ଫୋକସରେ ବ୍ରଜରାଜନଗର ନିର୍ବାଚନୀ ମଣ୍ଡଳୀ

ଫୋକସରେ ବ୍ରଜରାଜନଗର ନିର୍ବାଚନୀ ମଣ୍ଡଳୀ

 ଫୋକସରେ ବ୍ରଜରାଜନଗର ନିର୍ବାଚନୀ ମଣ୍ଡଳୀ
ଝାରସୁଗୁଡା: ଏକଦା କଂଗ୍ରେସ ଓ ବାମପନ୍ଥୀ ଦଳର ଏକ ଅଭ୍ୟେଦ ଦୁର୍ଗ ଭାବରେ ପରିଚିତ ଥିଲା ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ । ଏବେ କିନ୍ତୁ ଏଠାରେ ନା ଅଛି କଂଗ୍ରେସର ପତିଆରା ନା ଅଛି କମ୍ୟୁନିଷ୍ଟର ଦବଦବା । ଗତ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ବିଜେପି ଏଠାରେ ଖାତା ଖୋଲିଥିଲା । ୧୯୬୧ ମସିହା ଠାରୁ ୨୦୧୪ ମସିହା ମଧ୍ୟରେ ଏହି ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଥିବା ୧୩ ଗୋଟି ବିଧାନସଭା ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି ସର୍ବାଧିକ ୬ଥର, କଂଗ୍ରେସ ଦଳ ୫ଥର, ଓଡିଶା ଜନ କଂଗ୍ରେସ ଓ ବିଜେପି ଥରେ ଲେଖାଏ ଏହି ଆସନ ଦଖଲ କରିଛନ୍ତି । ୨୦୦୦ ମସିହାରୁ ତିାନୋଟି ନିର୍ବାଚନରେ ନିରନ୍ତର ହୋଇ ହ୍ୟାଟ୍ରିକ୍ କରିଥିବା କଂଗ୍ରେସ ପ୍ରାର୍ଥୀ ଅନୁପ କୁମାର ସାଏ ଜଣେ ବେଶ୍ ପ୍ରଭାବଶାଳୀ ନେତା । ମାତ୍ର ୨୦୧୪ ନିର୍ବାଚନରେ ରାଧାରାଣୀ ତାଙ୍କୁ ୬ ହଜାର ୭ଶହ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ରାଜନୈତିକ ବିଶେଷଞ୍ଜଙ୍କ ମତରେ ନିର୍ବାଚନର ଠିକ୍ ପୂର୍ବରୁ ଅନୁପ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବାରୁ ଏକ ବୃହତ ଗୋଷ୍ଠି ତାଙ୍କୁ ବିରୋଧ କରିଥିଲେ । ଯାହାକି ତାଙ୍କ ପରାଜୟର ମୁଖ୍ୟ କାରଣ । ଏବେ ମଧ୍ୟ ସେହି ବିରୋଧୀ ଗୋଷ୍ଠୀ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବେଶ୍ ସକ୍ରିୟ ଥିବା ଜଣାଯାଇଛି । କିଛି ଦିନ ପୂର୍ବରୁ ଏହି ଗୋଷ୍ଠୀ ଭୁବନେଶ୍ୱର ନବୀନ ନିବାସରେ ପହଂଚି ଅନୁପ ସାଏଙ୍କ ପ୍ରତି ତାଙ୍କ ବିରୋଧ ପ୍ରକଟ କରିଥିଲେ । ଏହି ବିଦ୍ରୋହ ଗୋଷ୍ଠୀ ବ୍ରଜରାଜନଗରରେ ଅନେକ ଥର ପୋଷ୍ଟର ମାରି ‘ଅନୁପ ହଟାଓ ବିଜେଡି ବଚାଓ’ ନାରା ଦେଇ ଆସିଛନ୍ତି । ଅନେକଥର ଇସ୍ତଫାରେ ଧମକ ମଧ୍ୟ ଦେଇଛନ୍ତି । ଆଗାମୀ ନିର୍ବାଚନରେ ଅନୁପଙ୍କ ବିଜେଡି ଟିକେଟ ପାଇବାରେ ଏହି ବିଦ୍ରୋହ ଗୋଷ୍ଠୀ ଅନ୍ତରାୟ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏହି ବିଦ୍ରୋହ ମାନଙ୍କୁ ଜିଲ୍ଲାର ଜଣେ ବରିଷ୍ଠ ନେତା ପୃଷ୍ଠପୋଷକତା ଯୋଗାଉଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି । ସେହିପରି ବିଜେପି ବିଧାୟକ ଶ୍ରୀମତୀ ପଣ୍ଡା ମଧ୍ୟ ଏହି ଆସନରେ ଏବେ ବିରୋଧଭାସର ସମ୍ମୁଖୀନ ହେଉଛନ୍ତି । ଶ୍ରୀମତୀ ପଣ୍ଡା ଜିଲ୍ଲା ବିଜେପିର ଜିଲ୍ଲା ସଭାନେତ୍ରୀ ଥିବାବେଳେ ସଂଗଠନକୁ ସୁଦୃଢ଼ କରିବାରେ ଅବହେଳା କରୁଥିବା ବହୁ ବିଜେପି କମୀ ଅଭିଯୋଗ କରି ଆସୁଛନ୍ତି । ଅତୀତରେ ୩ ଜଣ ମହିଳା ବିଜେପି କର୍ମକର୍ତାଙ୍କୁ ଦଳରୁ ନିଲମ୍ବନ କରିବା ଘଟଣାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସଂପୃକ୍ତ ମହିଳାକର୍ମୀ ମାନେ ବିଜେପି ସଭାନେତ୍ରୀ ତାଙ୍କୁ ନିଲମ୍ବନ କରିବା ଅଗଣତାନ୍ତ୍ରୀକ ଓ ଅସମ୍ବିଧାନିକ ଅଟେ ବୋଲି କହି ଦଳର ରାଜ୍ୟ ସଭାପତିଙ୍କ ପର୍ଯ୍ୟନ୍ତ ଯାଇଥିଲା । ରାଧାଙ୍କ ବିରୋଧରେ ମଧ୍ୟ ପୋଷ୍ଟର ୱାର ଜୋର ଧରିଛି । ବିଜେଡି ଓ ବିଜେପି ଉଭୟ ଦଳରେ ବିଦ୍ରୋହିଙ୍କ ସ୍ୱର ଶାଣିତ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ପ୍ରାର୍ଥୀଙ୍କୁ ନେଇ ଉଭୟ ଦଳରେ ମୁଣ୍ଡବ୍ୟଥା ଆରମ୍ଭ ହେବା ସ୍ୱାଭବିକ । ଅନ୍ୟପକ୍ଷରେ, ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସରେ ନେତୃତ୍ୱ ନେଇଥିବା ପୂର୍ବତନ ବାଚସ୍ପତି କିଶୋର ପଟେଲ ଗତ ୨୦୧୪ ନିର୍ବାଚନରେ ୩୮ ହଜାର ୧୭୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ନବ ଦାସ କଂଗ୍ରେସ ଛାଡି ବିଜେଡିକୁ ଯିବା ପରେ ଜିଲ୍ଲା କଂଗ୍ରେସରେ ଏହାର ପ୍ରଭାବ ପଡିଛି । କିଶୋର ପଟେଲ ମଧ୍ୟ କିଛି ଦିନ ହେଲା ଅସୁସ୍ଥ ହୋଇ ରାଜ୍ୟ ବାହାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । କଂଗ୍ରେସ ଦଳ ଏଠାରେ କମ୍ୟୁନିଷ୍ଟ ପାର୍ଟି ସହିତ ଆସନ ବୁଝାମଣା କରିବା ନେଇ ରାଜ୍ୟ ନେତୃବୃନ୍ଦ ଆଲୋଚନା କରୁଥିବା ଜଣାଯାଇଛି । ଏହିଭଳି ସ୍ଥିତିରେ ରାଧା ଓ ଅନୁପ ବିଦ୍ରୋହୀଙ୍କ ଠାରୁ କିଭଳି ମୁକୁଳିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।