ଅଲ୍ଲୁ ଅର୍ଜୁନ ଗିରଫ ହେଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ଖୁସି । କହିଲେ ପୁଲିସ କିମ୍ବା ଥିଏଟର କର୍ତ୍ତୃପକ୍ଷଙ୍କୁ ଜଣାଇ ନଥିଲେ
ପୁଷ୍ପା ସିନେମା ଯେବେଠାରୁ ରିଲିଜ୍ ହୋଇଛି, ଏହା ସେବେଠାରୁ ଏହା ଚର୍ଚ୍ଚାରେ । ଏବେ ସଦ୍ୟ ଚର୍ଚ୍ଚା ସମସ୍ତେ ଜାଣନ୍ତି । ଦଳାଚକଟାରେ ଜଣେ ମହିଳା ପ୍ରାଣ ହେବା ଘଟଣାରେ ପୋଲିସର ଆକ୍ସନ ଠାରୁ ସିଏମଙ୍କ ଷ୍ଟେଟମେଣ୍ଟ ବଳି ଯାଇଛି ।
ତେଲାଙ୍ଗାନା ସିଏମ୍ ରେବାନ୍ତ ରେଡ୍ଡୀ ଏକ ଆଧିକାରୀକ ବିବୃତ୍ତି ଜାରି କରି ସେ କହିଛନ୍ତି ଯେ, ଆଇନ ତା'ର ଉଚିତ୍ କାର୍ଯ୍ୟ କରିବ । ଏହି ମାମଲାର ତଦନ୍ତରେ କେହି ହସ୍ତକ୍ଷେପ କରିବେ ନାହିଁ । ଅଭିନେତାଙ୍କ ଗିରଫଦାରୀରେ ତାଙ୍କର କିମ୍ବା ତାଙ୍କ ସରକାରଙ୍କର କୌଣସି ଭୂମିକା ନାହିଁ ବୋଲି ସେ ସଫେଇ ଦେଇଛନ୍ତି । ଏହି ଘଟଣାରେ ରାଜନୀତି କରିବାର କାରଣ ନାହିଁ, ଆଇନ ଆଗରେ ସମସ୍ତେ ସମାନ ବୋଲି ସେ କହିଛନ୍ତି ।
ଘଟଣା ଦିନ ସନ୍ଧ୍ୟାରେ ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସିବେ ବୋଲି ଥିଏଟର କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇ ନଥିଲେ ବୋଲି କହିଛନ୍ତି । ସେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି। ପୁଲିସ ତା’ କାମ କରୁଛି, ଅଲ୍ଲୁ ଅର୍ଜୁନ ପୁଲିସ କିମ୍ବା ଥିଏଟର କର୍ତ୍ତୃପକ୍ଷଙ୍କୁ ନଜଣାଇ ସେଠାରେ ପହଞ୍ଚିଥିଲେ। ତେଣୁ ଦଳାଚକଟା ସ୍ଥିତି ଉପୁଜି ଥିଲା। ସେ ଆହୁରି କହିଛନ୍ତି “ଅଲ୍ଲୁ ଅର୍ଜୁନ କେବଳ ଫିଲ୍ମ ଦେଖି ଚାଲି ଯାଇ ନଥିଲେ, ସେ ତାଙ୍କ କାରର ସନ୍ ରୁଫ୍ରେ ବାହାରକୁ ଆସି ଲୋକଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ସେଥିପାଇଁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା” । ମୁଖ୍ୟମନ୍ତ୍ରୀ ରେବାନ୍ତ ଆହୁରି କହିଥିଲେ ଯେ ଦଳାଚକଟାରେ ମରିଥିବା ମହିଳା କିମ୍ବା ତାଙ୍କ ପରିବାର ଲୋକଙ୍କ ସଂପର୍କରେ କେହି କିଛି କହୁ ନାହାନ୍ତି। ମୃତ ମହିଳାଙ୍କ ନାବାଳକ କୋମାକୁ ଚାଲି ଯାଇଛି। ସେ ଯେତେବେଳେ ସୁସ୍ଥ ହେବ, ବିନା ମା’ରେ ବଞ୍ଚିବ ।
ସେପଟେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ପୁଅ ତଥା ଭାରତ ରାଷ୍ଟ୍ର ସମିତିର କାର୍ଯ୍ୟକାରୀ ସଭାପତି କେ.ଟି ରାମାରାଓ ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ବାହାରି ତାଙ୍କ ଗିରଫକୁ କଂଗ୍ରେସ ଶାସନରେ ଅସୁରକ୍ଷିତତାର ଚରମ ସୀମା ବୋଲି କହିଛନ୍ତି । ସେ ନିଜ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଦଳାଚକଟାରେ ପୀଡିତଙ୍କ ପ୍ରତି ମୋର ସମ୍ପୂର୍ଣ୍ଣ ସହାନୁଭୂତି ଅଛି, କିନ୍ତୁ ପ୍ରକୃତରେ ଏଥିରେ ବିଫଳ କିଏ ? ଅଲ୍ଲୁ ଅର୍ଜୁନଙ୍କ ଭଳି ଜଣେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତାଙ୍କୁ ଜଣେ ସାଧାରଣ ଅପରାଧୀ ଭାବରେ ବ୍ୟବହାର କରିବା ଅନୁଚିତ । ବିଶେଷକରି ଏପରି କିଛି କାରଣ ପାଇଁ, ଯେଉଁଥିରେ ସେ ସିଧାସଳଖ ଦାୟୀ ନୁହଁନ୍ତି ।