୨୦ ଲକ୍ଷ ଅଯୋଗ୍ୟ କାଳିଆ ହିତାଧିକାରୀ:ବିଜେପି

୨୦ ଲକ୍ଷ ଅଯୋଗ୍ୟ କାଳିଆ ହିତାଧିକାରୀ:ବିଜେପି

୨୦ ଲକ୍ଷ ଅଯୋଗ୍ୟ କାଳିଆ ହିତାଧିକାରୀ:ବିଜେପି
ଭୁବନେଶ୍ୱର: ‘ କାଳିଆ’ ଅଯୋଗ୍ୟ ସଂଖ୍ୟା ନେଇ ଏବେ ରାଜନୀତି ଜୋର ଧରିଛି । ବିଜେଡି ପକ୍ଷରୁ ଦିଆଯାଇଥିବା କାଳିଆ ଅଯୋଗ୍ୟଙ୍କ ସଂଖ୍ୟାକୁ ନେଇ ବିଜେପି ଚ୍ୟାଲେଞ୍ଜ କରିଛି । ୩ ଲକ୍ଷ ୪୧ ହଜାର ନୁହେଁ ରାଜ୍ୟରେ ୨୦ ଲକ୍ଷ ଅଯୋଗ୍ୟ କାଳିଆ ହିତାଧିକାରୀ ଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହି ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି । କାଳିଆ ଯୋଜନାରେ ଅନ୍ତର୍ଭୂକ୍ତ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସରକାର ଟଙ୍କା ଫେରାଇ ନେବାକୁ ଘୋଷଣା କରିଛନ୍ତି । ତେବେ ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ନେବା ପ୍ରସଙ୍ଗକୁ ତୀବ୍ର ବିରୋଧ କରିଛି ରାଜ୍ୟ ବିଜେପି । ଏହା ଚାଷୀଙ୍କ ପ୍ରତି ଅପମାନ । ଯେଉଁମାନେ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରକାଶ କରିଥିଲେ ସେମାନଙ୍କୁ ବିରୋଧ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ପୃଥ୍ୱୀରାଜ ହରିଚନ୍ଦନ ଦାବି କରିଛନ୍ତି । ସେ କହିଛନ୍ତି ଯେ, ସ୍ଥାନୀୟ ବିଜେଡି ନେତାଙ୍କ ସୁପାରିଶରେ କାଳିଆ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇଛି । ଏନେଇ ୧୭୦ କୋଟି ଅପବ୍ୟୟ କରାଯାଇଛି । ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ଏହାର ତଦନ୍ତ କରାଯିବା ଦରକାର । ଯେଉଁମାନେ ଚୟନ ପ୍ରକ୍ରିୟାରେ ଥିଲେ ସେମାନଙ୍କ ଠାରୁ ଟଙ୍କା ଆଦାୟ କରାଯିବା ଦରକାର । କୃଷିମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ସଚିବଙ୍କ ଦରମାରୁ ଟଙ୍କା ଆଦାୟ କରାଯାଉ । ଚାଷୀଙ୍କ ଧମକ ଦେଲେ ବିଜେପି ଆନେ୍ଦାଳନ କରିବା ସହ କୋର୍ଟକୁ ଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ପ୍ରକାଶ ଯେ, ୩ ଲକ୍ଷ ୪୧ ହଜାର କାଳିଆ ଅଯୋଗ୍ୟ ହିତାଧିକାରୀ ଥିବା କୁହାଯାଉଥିବାବେଳେ ଗତକାଲି ବିଜେଡି ମୁଖପାତ୍ର ପ୍ରତାପ ଦେବ ନିଜ ପ୍ରତିକ୍ରିୟା ରଖି କହିଥିଲେ ଯେ, ୩ ଲକ୍ଷ ୪୧ ନୁହେଁ କେବଳ ୩୨ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ବଡ଼ ଚାଷୀ ଓ ସରକାରୀ କର୍ମଚାରୀ କେବଳ ଅଯୋଗ୍ୟ । ଟଙ୍କା ପାଇଥିବା ୧୨ ହଜାର ବଡ଼ ଚାଷୀ କେବଳ ଅଯୋଗ୍ୟ । ଟଙ୍କା ପାଇଥିବା ୨୦ ହଜାର ସରକାରୀ କର୍ମଚାରୀ ଅଯୋଗ୍ୟ । ଯେଉଁ ପରିବାରରୁ ଏକାଧିକ ପାଇଛନ୍ତି ସେମାନେ ଅଯୋଗ୍ୟ ନୁହନ୍ତି । ପରିବାରରୁ ଏକାଧିକ ପାଇଥିଲେ ପରବର୍ତ୍ତୀ କିସ୍ତି ଟଙ୍କା ପାଇବେନି । ସେମାନେ ପୂର୍ବରୁ ପାଇଥିବା ଟଙ୍କାକୁ ଆଡଜଷ୍ଟ କରାଯିବ ବୋଲି ପ୍ରତାପ ଦେବ କହିଥିଲେ ।