ବଦଳିଲା ବିଜେପୁର ସମୀକରଣ : ବିଜେଡିକୁ ବାହ୍ୟ ସମର୍ଥନ ଦେବେ ଅଶୋକ
ବଦଳିଲା ବିଜେପୁର ସମୀକରଣ : ବିଜେଡିକୁ ବାହ୍ୟ ସମର୍ଥନ ଦେବେ ଅଶୋକ
admin
Oct 14, 2019 - 09:16
Updated: Oct 14, 2019 - 09:16
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପୂର୍ବରୁ ରାଜନୈତିକ ସମୀକରଣ ବଦଳିଛି । ଶନିବାର ବିଜେପି କ୍ୟାମ୍ପ ଛାଡ଼ିଥିବା ଅଶୋକ ପାଣିଗ୍ରାହୀ ଆଜି ବିଜେଡିକୁ ସମର୍ଥନ ଦେବେ ବୋଲି ପରୋକ୍ଷରେ ଘୋଷଣା କରିଛନ୍ତି । ଶ୍ରୀ ପାଣିଗ୍ରାହୀ ନିଜ ସମର୍ଥକଙ୍କ ସହ ବୈଠକ କରି ବିଚାର ବିମର୍ଶ ପରେ ଏ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
ବିଜେପି ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ଦଳରୁ ଇସ୍ତଫା ଦେଇଥିବା ଅଶୋକ ଆଜି ନିଜ ସମର୍ଥକଙ୍କ ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଏକ ବୈଠକ ଡାକିଥିଲେ । ସମର୍ଥକଙ୍କ ସହ ଆଲୋଚନା ବେଳେ ସ୍ଥିର ହୋଇଛି ଯେ ଅଶୋକ ଏବେ ବିଜେଡିକୁ ଯିବେନି କିନ୍ତୁ ବାହ୍ୟ ସମର୍ଥନ ଦେବେ । ପ୍ରତି ପଞ୍ଚାୟତରେ ତାଙ୍କ ସମର୍ଥକମାନେ ବିଜେଡି ପତାକା ଧରି ବୁଲିବେ, ରୀତାଙ୍କ ପାଇଁ କାମ କରିବେ । ଏବେ ସେ ବିଜେଡିରେ ମିଶିଲେ ବିଜେଡି ସଂଗଠନରେ ଫାଟ ଆଶଙ୍କା ରହିଛି । ତେଣୁ ଏ ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଚାର କରିବାକୁ ସେ କର୍ମୀମାନଙ୍କୁ କହିଥିଲେ । କର୍ମୀମାନେ ମଧ୍ୟ ତାଙ୍କୁ ପାଲଟା ପ୍ରଶ୍ନ କରିଥିଲେ, ଆମ ମାନଙ୍କ କାମ ହେବ ବୋଲି କିଏ ଗ୍ୟାରେଣ୍ଟି ଦେବ? ଅଶୋକ ଦମ୍ଭର ସହ କହିଲେ, ମୁଁ ସେ ଗ୍ୟାରେଣ୍ଟି ଦେଉଛି । ଏହାପରେ କର୍ମୀମାନେ ସହମତ ହୋଇ ବିଜେଡି ପାଇଁ କାମ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ପୂର୍ବତନ ବିଧାୟକ ଅଶୋକଙ୍କୁ ବିଜେପି ଦଳରେ ମିଶାଇ ୨୦୧୮ ଉପନିର୍ବାଚନରେ ପ୍ରାର୍ଥୀ କରିଥିଲେ । ସେ ରୀତାଙ୍କ ଠାରୁ ପରାଜୟ ବରଣ କରିଥିଲେ । ଗତ ନିର୍ବାଚନରେ ସେ ବିଜେପି ଟିକଟ ପାଇନଥିଲେ । ସନତ ଗଡ଼ତିଆ ବାଜି ମାରି ନେଇଥିଲେ । ମାତ୍ର ଏଥର ଉପନିର୍ବାଚନରେ ଅଶୋକ ଟିକେଟ ପାଇବାକୁ ଆଶା ରଖିଥିଲେ । ହେଲେ ଦଳ ଶ୍ରୀ ଗଡ଼ତିଆଙ୍କୁ ପୁଣି ଭରସା କରି ଟିକଟ ଦେବା ପାଇଁ ଅଶୋକ ଶନିବାର ଦଳ ଛାଡ଼ିଥିଲେ ।