ବାତ୍ୟା ମୋନ୍ଥାକୁ ନେଇ ସତର୍କ କଲା ପୁରୀ ଜିଲ୍ଲା ପ୍ରଶାସନ |

ବାତ୍ୟା ମୋନ୍ଥାକୁ ନେଇ ସତର୍କ ରହିଛି ପୁରୀ ଜିଲ୍ଲା ପ୍ରଶାସନ। ବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖାଯାଇ ସମସ୍ତ ପ୍ରସ୍ତୁତି କରାଯାଇଛି। ପୁରୀ ବେଳାଭୂମିରେ ସମୁଦ୍ର ସ୍ନାନ ଉପରେ ପର୍ଯ୍ୟଟକଙ୍କ ପାଇଁ କଟକଣା ଲାଗିଥିବା ବେଳେ ଏହାର ସିଧାସଳଖ ଉଲଙ୍ଘନ ଆଜି ଦେଖିବାକୁ ମିଳିଛି।

ବାତ୍ୟାର ପ୍ରଭାବରେ ଆଜି ପୁରୀଜିଲ୍ଲାରେ ପବନର ବେଗ ସାମାନ୍ୟ ବୃଦ୍ଧି ପାଇବାରୁ ଉଚ୍ଚ ଲହଡି ସମୁଦ୍ରରେ ଆସୁଥିବା ଦେଖିବାକୁ ମିଳିଛି। ବାରମ୍ବାର ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପର୍ଯ୍ୟଟକଙ୍କୁ ସମୁଦ୍ର ସ୍ନାନ କରିବାକୁ ବାରଣ କରିବା ସତ୍ତ୍ୱେ ସମୁଦ୍ର ସ୍ନାନରୁ ପର୍ଯ୍ୟଟକ ମାନେ ନିବୃତ ରହିନଥିବା ଆଜି ଦେଖିବାକୁ ମିଳିଛି। ସେହିପରି ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲେ ତାକୁ ନିଷ୍କାସନ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ମାନଙ୍କୁ ଆଲର୍ଟ ରଖାଯାଇଛି। ଆବଶ୍ୟକତା ଅନୁଯାୟୀ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ରଖାଯିବା ନେଇ ବ୍ୟବସ୍ଥା ମଧ୍ୟ କରାଯାଇଛି। ରାସ୍ତାଘାଟରେ ଗଛ ପଡି ଅବରୋଧ ହେଲେ ଏହାକୁ ହଟେଇବା ପାଇଁ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏଣୁ ବର୍ଷା ଜନିତ ସମସ୍ୟାକୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି। ସେପଟେ ବାତ୍ୟାର ସ୍ଥିତିକୁ ଦେଖି ହବିଷ୍ୟାଳିଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଥିବାବେଳେ ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ବିଭାଗୀୟ ଅଧିକାରୀ କାର୍ଯ୍ୟରେ କୌଣସି ଅବହେଳା ନ କରିବାକୁ ତାଗିଦ କରିଛନ୍ତି ପୁରୀ ଜିଲ୍ଲାପାଳ।