ସେନା ଜଗିବେ ଶ୍ରୀମନ୍ଦିର ଆନନ୍ଦବଜାର

ସେନା ଜଗିବେ ଶ୍ରୀମନ୍ଦିର ଆନନ୍ଦବଜାର

ଶ୍ରୀମନ୍ଦିର ଆନନ୍ଦବଜାର ଜଗିବେ ଅବସରପ୍ରାପ୍ତ ସେନା କର୍ମଚାରୀ | ଶୋଷଣରୁ ମୁକ୍ତ ହେବେ ଭକ୍ତ | ଶୃଙ୍ଖଳିତ ହେବ ଆନନ୍ଦବଜାର। ସୂପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ସୁରକ୍ଷା କର୍ମୀ ।ଏଥିପାଇଁ ନିଯୁକ୍ତ ହେବେ ୨୦ ଜଣ ଦକ୍ଷ ଅବସର ପ୍ରାପ୍ତ ସେନାନିବୃତ କର୍ମଚାରୀ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ପ୍ରାୟ ୬୦ ଜଣ ସେନା ନିବୃତ କର୍ମୀ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ନିକଟରେ ସାକ୍ଷାତକାର ଦେଉଛନ୍ତି । PSIPL ନାମକ ଏକ ଘରୋଇ ଆଉଟ୍ ସୋର୍ସିଂ ସଂସ୍ଥା ଜରିଆରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ।  ୩୦ ତାରିଖ ସୁଦ୍ଧା ପୂରଣ ହେବ ସମସ୍ତ ୨୦ ପଦବୀ । ସେପ୍ଟେମ୍ବର ୧ ତାରିଖରୁ ଆନନ୍ଦ ବଜାରରେ ମୁତୟନ ହେବେ ଏହି ସ୍ବତନ୍ତ୍ର ସୁରକ୍ଷା କର୍ମୀ । ଏମାନଙ୍କ ପାଇଁ ଲାଗୁ ହେବ ସ୍ବତନ୍ତ୍ର ଡ୍ରେସ କୋଡ । ନିଯୁକ୍ତି ପରେ ଆନନ୍ଦ ବଜାରରେ ବିଭିନ୍ନ ଶୃଙ୍ଖଳା ଉପରେ କଡା ନଜର ରଖିବେ ଏବଂ ଏଥିପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ ନେବେ ।ଆନନ୍ଦ ବଜାରରେ ବାସୀ ଅବଢ଼ା ବିକ୍ରି ଉପରେ ଲାଗିବ ରୋକ । ଅଣ ସୂପକାର ମାନଙ୍କୁ ପ୍ରସାଦ ବିକ୍ରି ବାରଣ ରହିବ । କେବଳ ସୁଆର ମହାସୁଆର ନିଯୋଗ ତରଫରୁ ସୂଚିତ ସୂପକାର ମାନେ ହିଁ ମହାପ୍ରସାଦ ବିକ୍ରି ପାଇଁ ଅଧିକୃତ ରହିବେ । ଭକ୍ତ ଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣ ସଠିକ୍ ରହିବା ଦିଗରେ ଗୁରୁତ୍ବ ରହିବ । ଆନନ୍ଦ ବଜାରରେ ନିର୍ଦ୍ଦିଷ୍ଟ ଚିହ୍ନଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ମହାପ୍ରସାଦ ଓ ଅନ୍ୟ ଭୋଗ ବିକ୍ରି ବାରଣ କରାଯିବ । ଆନନ୍ଦ ବଜାରରେ କେବଳ ମହାପ୍ରଭୁଙ୍କ ଭୋଗ ହେଇଥିବା ଦ୍ରବ୍ୟ ବ୍ୟତୀତ ଅନ୍ୟ ଖାଦ୍ୟ ପ୍ରଦାର୍ଥ ବିକ୍ରି ହୋଇ ପାରିବ ନାହିଁ । ଦରକାର ପଡିଲେ ସୂପକାର ଙ୍କୁ ପରିଚୟ ପତ୍ର ପ୍ରଦାନ କରିବ ଶ୍ରୀମନ୍ଦିର ପ୍ରଶାସନ ।