ପରୀକ୍ଷାରେ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ପରୀକ୍ଷାରେ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ହୋଇଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)ରେ ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିଛି। ଏଥିସହ ପରୀକ୍ଷାରେ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ସହ ଶାରୀରିକ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ କୌଣସି ସୁବିଧା ଦିଆଯାଇନଥିବା ଅଭିଯୋଗ ହୋଇଛି। ରାଜ୍ୟର ବିଭିନ୍ନ ଜିଲାରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ଏଭଳି ସମସ୍ୟା ଦେଖା ଦେଇଥିଲା। ଏ ସଂକ୍ରାନ୍ତରେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଓଟିଇଟି ପରୀକ୍ଷାର୍ଥୀମାନେ ଅଭିଯୋଗ କରି ବୁଧବାର ବଜ୍ରକବାଟିସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପରୀକ୍ଷା ଚାଲୁଥିବା ସମୟରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ରାଜ୍ୟର ଏକାଧିକ ପରୀକ୍ଷା କେନ୍ଦ୍ରରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ପରୀକ୍ଷାର୍ଥୀମାନେ ଅନ୍ଧାର ଯୋଗୁଁ ଅଧିକ ସମୟ ଦେବାକୁ କହିଥିଲେ ମଧ୍ୟ ସମୟ ଦିଆଯାଇନଥିଲା ଅଭିଯୋଗ କରିଛନ୍ତି। ତେଣୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଗ୍ରେସ ମାର୍କ ପ୍ରଦାନ ପାଇଁ ଦାବି କରିଛନ୍ତି। ତେବେ ଏ ଦିଗରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ପରୀକ୍ଷାର୍ଥୀମାନେ କହିଛନ୍ତି।