୨୧ ଜିଲ୍ଲାକୁ ମାଡ଼ିଲାଣି ଡେଙ୍ଗୁ
୨୧ ଜିଲ୍ଲାକୁ ମାଡ଼ିଲାଣି ଡେଙ୍ଗୁ
admin
Aug 9, 2019 - 06:30
Updated: Aug 9, 2019 - 06:30
ଭୁବନେଶ୍ୱର : ରାଜ୍ୟର ୨୧ଟି ଜିଲ୍ଲାକୁ ମାଡ଼ିଲାଣି ଡେଙ୍ଗୁ । ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୨୬୧ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ପ୍ରତିଦିନ ଏକାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କଟକ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟ ବାହାରୁ ମଧ୍ୟ ଅନେକ ଆକ୍ରାନ୍ତ ଓଡ଼ିଶାରେ ଚିକିତ୍ସିତ ହେବା ସମୟରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେବେ ଚଳିତ ବର୍ଷ ଡେଙ୍ଗୁରେ ଜଣେ ହେଲେ ବ୍ୟକ୍ତି ପ୍ରାଣ ହରାଇ ନାହାନ୍ତି ।
ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ମାସ ୬ ତାରିଖ ସୁଦ୍ଧା ରାଜ୍ୟରେ ସମୁଦାୟ ୫୭୨୫ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ତହିଁରୁ ୨୬୧ଟି ପଜିଟିଭ ରହିଛି । ଗତବର୍ଷ ଅଗଷ୍ଟ ୬ ତାରିଖ ସୁଦ୍ଧା ରାଜ୍ୟରେ ୮୫୨ ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୨୦୬ ପଜିଟିଭ ଓ ଚଳିତ ବର୍ଷ ୮୧୫ ନମୁନାରୁ ୬୮ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିଲେ ହେଁ ତହିଁରେ ଆନ୍ଧ୍ର, ବାଙ୍ଗାଲୋର, ଚେନ୍ନାଇ ଓ ହାଇଦ୍ରାବାଦରେ ୧୭ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଭଦ୍ରକରେ ୩୭ ପଜିଟିଭ ମଧ୍ୟରୁ ବାହାର ରାଜ୍ୟର ୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଏଥିରେ ୨୯ ଜଣ ବାହାର ରାଜ୍ୟର ରହିଛନ୍ତି । କେନ୍ଦ୍ରାପଡ଼ାରେ ୨୪, ଗଞ୍ଜାମରେ ୨୨, ଜଗତସିଂହପୁର ଓ ଖୋର୍ଦ୍ଧାରେ ୧୧ ଲେଖାଏଁ, ଅନୁଗୁଳରେ ୯, ପୁରୀରେ ୬ ଓ ମୟୂରଭଞ୍ଜ ଓ ନବଙ୍ଗପୁର ଜିଲ୍ଲାରେ ୫ ଲେଖାଏଁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।
ତେବେ ଗତ ୩ ବର୍ଷରେ ରାଜ୍ୟରେ ଡେଙ୍ଗୁର ସ୍ଥିତି ବେଶ ଡରାଇବା ଭଳି ରହିଛି । ୨୦୧୬ ମସିହାରେ ମାତ୍ର ୬୧୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରେ ୧୨୨ ପଜିଟିଭ ଓ ୭ ଆକ୍ରାନ୍ତ ପ୍ରାଣ ହରାଇଥିଲେ । ୨୦୧୭ ମସିହାରେ ପରୀକ୍ଷା ହୋଇଥିବା ୪୮୭୯ ନମୁନା ମଧ୍ୟରୁ ୪୨୨ ପଜିଟିଭ ଓ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ତେବେ ଗତବର୍ଷ ଡେଙ୍ଗୁ ଜ୍ୱରରେ କମ୍ପିଥିଲା ଓଡ଼ିଶା । ଗତବର୍ଷ ୬୩୩୩ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରେ ୧୬୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ଅନ୍ୟ ବର୍ଷ ତୁଳନାରେ ନିୟନ୍ତ୍ରଣାଧୀନ ରହିଛି । ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଡିସ୍ ମଶାର ଉତ୍ସକୁ ନଷ୍ଟ କରିବା ଓ ଜଳ ସଚେତନତାକୁ ବିଭାଗ ଗୁରୁତ୍ୱ ଦେଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।