ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଅସୁସ୍ଥ
ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଅସୁସ୍ଥ
admin
Aug 9, 2019 - 06:14
Updated: Aug 9, 2019 - 06:14
ଭୁବନେଶ୍ୱର : ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଅସୁସ୍ଥ ହୋଇପଡ଼ିଥିବାରୁ ତାଙ୍କୁ ଚିକିତ୍ସା ଲାଗି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ଅସୁସ୍ଥତାର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।
ଗତ ତିନି ଦିନ ଧରି ଶ୍ରୀ ମିତ୍ର ଅସୁସ୍ଥ ଥିବା ନେଇ କିଛି ସୋସିଆଲ ମିଡିଆରେ ଖବର ପ୍ରଚାରିତ ହେଉଥିଲା । ତେବେ ଗତକାଲି ଜେଏନଏମ ଫ୍ୟାନ କ୍ଲବ ନାମକ ଏକ ହ୍ୱାଟସ ଆପ୍ ଗ୍ରୁପରେ କିନ୍ତୁ ମିତ୍ର ଅସୁସ୍ଥ ଥିବା ଓ ତାଙ୍କୁ ପ୍ରଥମେ ଭୁବନେଶ୍ୱର କେୟାର ହସ୍ପିଟାଲ ପରେ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କଥା ଦର୍ଶାଇ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏହି କଥା ଖୋର୍ଦ୍ଧାରେ ପ୍ରଚାରିତ ହେବା ପରେ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ଏ ନେଇ ସମ୍ବାଦ ପକ୍ଷରୁ ଜିତୁ ମିତ୍ରଙ୍କ ବ୍ୟକ୍ତିଗତ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନଥିଲା । ପରେ ତାଙ୍କ ଭଣଜା ରୁଦ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଜ୍ୟୋତିରିତ୍ର ନାଥ ମିତ୍ରଙ୍କ ତଣ୍ଟିରେ କିଛି ସଂକ୍ରମଣ ହୋଇଥିଲା । ଦୁଇ ଦିନ ପୂର୍ବେ ପ୍ରଥମେ କେୟାର ହସ୍ପିଟାଲରେ ପରୀକ୍ଷଣ କରାଯାଇଥିଲା । ଏହା ପରେ ବିଜୁ ଯୁବ ବାହିନୀର ସିଓଓ ଅରୂପ ପଟ୍ଟନାୟକଙ୍କ ସହାୟତାରେ ତାଙ୍କୁ ମୁମ୍ବାଇ କୋକିଲା ବେନ୍ ଧୀରୁ ଭାଇ ଅମ୍ବାନୀ ହସ୍ପିଟାଲ ଆଣ୍ଡ ମେଡିକାଲ ରିସର୍ଚ୍ଚ ସେଣ୍ଟରକୁ ନିଆଯାଇଛି । ସେଠାରେ ଶ୍ରୀ ମିତ୍ରଙ୍କ ଭାଇ, ପତ୍ନୀ, ଝିଅ, ଜ୍ୱାଇଁ ସମସ୍ତେ ଅଛନ୍ତି । ପରୀକ୍ଷା ଚାଲିଛି । ରିପୋର୍ଟ ଆସିବା ପରେ ଯାହା କିଛି ଜଣାଯିବ ବୋଲି ରୁଦ୍ର ସୂଚନା ଦେଇଛନ୍ତି ।