ଆଜିଠୁ ତିନି ଦିନ ବର୍ଷା

ଆଜିଠୁ ତିନି ଦିନ ବର୍ଷା

ଆଜିଠୁ ତିନି ଦିନ ବର୍ଷା
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ହେଲେ ଏହା ପ୍ରଭାବରେ ରବିବାର ଓ ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିବା ସହ କହିଛି ଯେ, ଏହି ବର୍ଷାରେ ରାଜ୍ରର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ସକ୍ରିୟ ହେବ । ମୌସୁମୀ ଓଡ଼ିଶା ଛୁଇଁବା ପରେ ଦୁର୍ବଳ ହୋଇଯାଇଥିଲା । ତେଣୁ ଭଲ ବର୍ଷା ହୋଇନଥିଲା । ଜୁନ ମାସରେ ସ୍ୱାଭାବିକ ବର୍ଷା ହୋଇନଥିଲା । ହେଲେ ଏବେ ବର୍ଷା ଭଲ ହେବ । ନିୟମିତ ବ୍ୟବଧାନରେ ବର୍ଷା ହେବ । ଜୁନ ୩୦ ଠାରୁ ଜୁଲାଇ ୨ ପର୍ଯ୍ୟନ୍ତ କୋରାପୁଟ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ, କେନ୍ଦୁଝର, ଅନୁଗୁଳ, କନ୍ଧମାଳ ମାଲକାନଗିରି, ରାୟଗଡ଼ା, ଢେ଼ଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବର୍ଷାରେ ଏହି ସବୁ ଜିଲ୍ଲାରେ ବିଭିନ୍ନ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନେ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ କୁହାଯାଇଛି । ଜିଲ୍ଲାପାଳମାନେ ସ୍ଥିତି ଉପରେ ନଜର ରଖିବା ସହ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି । ସେହିପରି ମତ୍ସଜୀବୀମାନେ ତୁରନ୍ତ ସମୁଦ୍ର ଭିତରକୁ ଆସିବାକୁ କୁହାଯାଇଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଜୁଲାଇ ୩ ରୁ ବର୍ଷାର ପରିମାଣ କମିବ । କିନ୍ତୁ ଏହାର ଦୁଇରୁ ତିନି ଦିନ ପରେ ପୁଣି ବର୍ଷା ହେବ । ଆଜି ବାଲେଶ୍ୱର ଓ ବାରିପଦାରେ ସର୍ବାଧିକ ୧୬ ମିମି ବର୍ଷା ହୋଇଥିବା ବେଳେ ବଲାଙ୍ଗୀରରେ ୬ ମିମି, ପାରାଦ୍ୱୀପରେ ୦.୫ ମିମି, କୋରାପୁଟରେ ୦.୬ ମିମି ବର୍ଷା ହୋଇଛି । ପାଣିପାଗ ବିଭାଗ ବର୍ଷା ହେବ ବୋଲି ପୂର୍ବାନୁମାନ କରିବା ପରେ ଚାଷୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । କାରଣ ଜୁନ ଦ୍ୱିତୀୟ ସପ୍ତାହରେ ସାଧାରଣତଃ ଧାନ ରୁଆ ହେଉଥିବା ବେଳେ ଏବେ ସୁଦ୍ଧା ବିଲରେ ପାଣି ନଥିବାରୁ ଚାଷ ପ୍ରଭାବିତ ହୋଇଛି ।