ଫର୍ମ ଫିଲ୍-ଅପ୍ ନାଁରେ ଛାତ୍ରଛାତ୍ରୀଙ୍କ ଠାରୁ ଅଧିକ ଟଙ୍କା ଆଦାୟ, ଡିଇଓ ଚୁପ୍
ମାଟ୍ରିକ୍ ଫର୍ମ ଫିଲ୍ ଅପ୍ରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଆସନ୍ତା ଫେବୃଆରୀ ମାସରେ ପରୀକ୍ଷା ଘୋଷଣା ହେବା ପରଠାରୁ ଆରମ୍ଭ ହୋଇଛି ଫର୍ମ ଫିଲ୍ ଅପ୍ । କିନ୍ତୁ ଗଣଶିକ୍ଷା ବିଭାଗ ୪୨୦ ଟଙ୍କା ନିର୍ଧାରଣ କରିଥିବା ବେଳେ ପୁରୀ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କେଉଁଠି ଏହା ୪୩୦ ଟଙ୍କା ତ ଆଉ କେଉଁଠି ୬ ଶହ ଟଙ୍କା ଛାତ୍ରଛାତ୍ରୀଙ୍କ ଠାରୁ ନିଆଯାଉଛି । ଏନେଇ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଅବଗତ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆପତି ଉଠାଇଛି ପୁରୀ ଜିଲ୍ଲା ଆମ୍ ଆଦମୀ ପାର୍ଟି । ସେହିପରି ଯାନିଯାତ୍ରା ସମୟରେ ପୁରୀକୁ ଡ୍ୟୁଟି କରିବାକୁ ଆସୁଥିବା ପୋଲିସ ପ୍ରାୟତଃ ସରକାରୀ ସ୍କୁଲରେ କ୍ୟାମ୍ପ କରି ରହୁଛନ୍ତି, ତେଣୁ ସେହି ସମୟରେ ପାଠପଢା ବ୍ୟାହାତ ହେଉଛି । ଫଲରେ ଶିକ୍ଷା ଗ୍ରହଣରୁ ବଂଚିତ ରହୁଛନ୍ତି ଛାତ୍ରଛାତ୍ରୀ । ତେଣୁ ପୁରୀ ସହରରେ ସରକାରଙ୍କ ପକ୍ଷରୁ ପୋଲିସ ରହଣୀ ପାଇଁ ସ୍ୱତନ୍ତ୍ର କୋଠା ନିର୍ମାଣ କରିବା ପାଇଁ ଦାବି କରିଛି ଦଳ । ସେହିପରି ଛାତ୍ରଛାତ୍ରୀଙ୍କ ଠାରୁ ନିଆ ଯାଉଥିବା ବର୍ଦିତ ଫର୍ମ ଫିଲ୍ ଅପ୍ ଫି ବିରୋଧରେ କାର୍ଯାନୁଷ୍ଠାନ ମଧ୍ୟ ଦାବି କରିଛି ।