ରାଗିଗଲେ ପାଣ୍ଡିଆନ
ରାଗିଗଲେ ପାଣ୍ଡିଆନ
admin
Feb 16, 2020 - 08:45
Updated: Feb 16, 2020 - 08:45
ପୁରୀ : ଶ୍ରୀମନ୍ଦିରରେ ଶନିବାର ସକାଳର ଏକ ଘଟଣା ଦିନତମାମ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ କାହିଁକି ରାଗିଲେ ତାକୁ ନେଇ ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଚାଲିଛି ଆଲୋଚନା । ତେବେ ପାଣ୍ଡିଆନଙ୍କ ରାଗର କାରଣ ଶ୍ରୀମନ୍ଦିର ଭିତରେ ପଡ଼ିଥିବା ପାନ ଛେପ ବୋଲି ଜଣାପଡ଼ିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଶ୍ରୀ ପାଣ୍ଡିଆନ ଶ୍ରୀମନ୍ଦିର ଘଣ୍ଟିଦ୍ୱାର ନିକଟରେ ପାନ ଛେପ ପଡ଼ିଥିବା ଦେଖିଥିଲେ । ପାଣ୍ଡିଆନ ଏହା ଦେଖି ଭୀଷଣ ବିରକ୍ତି ପ୍ରକାଶ କରିଥିଲେ । ସିଧାସଳଖ ଶ୍ରୀମନ୍ଦିର ପରିସରରେ ଥିବା ଶାଖା କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଦାୟିତ୍ୱରେ ଥିବା କର୍ମଚାରୀ କିଏ ବୋଲି ପ୍ରଶ୍ନ କରିଥିଲେ । ଗତ ଶନିବାର ଦିନ ମଧ୍ୟ ସେଠାରେ ପାନ ଛେପ ଦେଖି ବିରକ୍ତି ପ୍ରକାଶ କରିଥିଲେ ।
ବିରକ୍ତି ପ୍ରକାଶ କରିବା ସହ ଚୂନ, ବାଲିଟି ଦିଅ ନିଜେ ସଫା କରିଦେବି ବୋଲି ମଧ୍ୟ କହିଥିଲେ । ଆହୁରି ମଧ୍ୟ କହିଲେ, ଆଜି କହିକି ଯାଉଛି, ଯଦି ଆର ଥରକୁ ଆସିଲା ବେଳେ ଶ୍ରୀମନ୍ଦିର ପରିସରରେ କେଉଁଠି ପାନ ଛେପ ପଡ଼ିଥିବାର ଦେଖେ, କାହାକୁ କିଛି କହିବିନି, ଝାଡ଼ୁରେ ନିଜେ ଧୋଇଦେବି ।
ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ଭିତରକୁ ପାନ ଗୁଟଖା ନେବାରେ ପ୍ରତିବନ୍ଧକ ରହିଛି, ଧରାପଡ଼ିଲେ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି । ଏଭଳି ସ୍ଥିତିରେ କିଏ ପାନ ନେଇ ମନ୍ଦିର ଭିତରକୁ ଯାଉଛନ୍ତି ବୋଲି ପ୍ରଶ୍ନ ଉଠିଛି । ପ୍ରଦୀପ୍ତ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବେଳେ ଶ୍ରୀମନ୍ଦିର ଭିତରକୁ ପାନ ଗୁଟୁଖା ପ୍ରବେଶ ଉପରେ କଟକଣା ଲଗାଇଥିଲେ । ଏ ନେଇ କଡ଼ା ନିୟମ ଲାଗୁ ହୋଇଥିଲା । ଏପରିକି ମନ୍ଦିର ଭିତରକୁ ପାନ ଗୁଟୁଖା ନେଇ କରି ଯାଉଥିବା ବେଳେ ଧରାପଡ଼ିଲେ ଏକ ହଜାର ଟଙ୍କା ଜରିମାନା ବ୍ୟବସ୍ଥା ଥିଲା । ଏ ନେଇ ସିଂହଦ୍ୱାରରେ ଫଳକ ମଧ୍ୟ ଲାଗିଛି । ଦିନେ ଦୁଇ ଦିନ ନିୟମ କଡ଼ାକଡ଼ି କରି ପ୍ରଶାସନ ପୁଣି ଏହାକୁ ଭୁଲିଗଲା ।