ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି
ଆଲୋକର ପର୍ବ, ଆନନ୍ଦ ଉଲ୍ଲାସର ସମୟ ଦୀପାବଳି ଉତ୍ସବ ଏବେ ଉପସ୍ଥିତ। ବର୍ଷକର ଅପେକ୍ଷା ପରେ ଦେଶବାସୀ ପୁଣି ଥରେ ଆତସବାଜିର ଶବ୍ଦରେ ପ୍ରକମ୍ପିତ, ଏଥିରୁ ସୃଷ୍ଟ ବିଷାକ୍ତ ଗ୍ୟାସ ଭିତରେ ଅଣ ନିଃଶ୍ବାସୀ ହୋଇ ଏହି ମହାନ ପର୍ବକୁ ପାଳନ କରିବାକୁ ତତ୍ପରତା ପ୍ରକାଶ କଲେଣି। ପୁରାକାଳର ପ୍ରଥା ଥିଲା ଅଲଗା। ପ୍ରଦୀପର ଆଲୋକମାଳାରେ ସଜ୍ଜିତ ଧରାଧାମରେ ଆମେ ପୂର୍ବପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ସେମାନଙ୍କ ପାଇଁ କାଉଁରିଆ କାଠିରେ ପ୍ରସ୍ତୁତ ବିଡ଼ାରେ ଅଗ୍ନିସଂଯୋଗ କରି ଶ୍ରଦ୍ଧା ଏବଂ ବିଶ୍ବାସର ସହିତ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କରୁଥିଲୁ। ପିତୃ ସାତ ପୁରୁଷ ଓ ମାତୃ ସାତ ପୁରୁଷଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁ। ଏହି ପ୍ରଥା ମାଧ୍ୟମରେ ପରିବାରର ଭବିଷ୍ୟପିଢ଼ିକୁ ଜଣାଇ ଦେଇଥାଉ ଆମ ଅତୀତର ପୂର୍ବପୁରୁଷଙ୍କ ସମ୍ପର୍କରେ। ମାତ୍ର ଏବେ ଆମ ପରପିଢ଼ିଙ୍କୁ ପଚାରିଲେ ସେମାନେ ହୁଏତ ନିଜର ଜେଜବାପା,ମା ଓ ଅଜାଆଈଙ୍କ ଯାଏ ମନେ ରଖିଛନ୍ତି; ମାତ୍ର ତା ପୂର୍ବବର୍ତ୍ତୀ ପିଢ଼ି ସମ୍ପର୍କରେ ସଂପୂର୍ଣ୍ଣ ଭାବେ ଅଜ୍ଞ ଥିବାର ଦେଖାଯାଉଛି।
ଏବେ ବିଭିନ୍ନ ରଙ୍ଗବେରଙ୍ଗର ଆତସବାଜି, ଆଲୋକ ସଜ୍ଜା, ନୂଆ ପିନ୍ଧିବା, ମିଠା ବାଣ୍ଟିବା ଭିତରେ ଏହି ମହାନ ପର୍ବ ସୀମିତ ହୋଇ ରହୁଛି। ତେବେ ଏତିକିରେ ଏହି ଦିନରେ ବିପତ୍ତି ସରି ନାହିଁ। ଶୀତ ଋତୁର ଆରମ୍ଭରେ, ଶସ୍ୟକ୍ଷେତ୍ରରେ ପାଚିଲା ଅବସ୍ଥାରେ ଥିବା ଧାନକ୍ଷେତରେ ଲାଗୁଥିବା କେତେକ ମାରାତ୍ମକ କୀଟପତଙ୍ଗ ମଧ୍ୟ ପୂର୍ବେ ଜଳୁଥିବା ଦ୍ବୀପ ନିଆଁରେ ଦଗ୍ଧ ହୋଇ କୃଷିକ୍ଷେତ୍ର ପାଇଁ ସହାୟକ ହେଉଥିଲା। ଏବେ ସେ ପରମ୍ପରା ଛାଡ଼ି ପ୍ରମୁଖ ଭାବେ ଚାଇନା ପ୍ରସ୍ତୁତ ବିଦ୍ୟୁତ ଶକ୍ତିରେ ଜଳୁଥିବା ଏଲଇଡି ବଲ୍ବ ଆମେ ଦୀପାବଳିରେ ବ୍ୟବହାର କରିଚାଲିଛୁ। କିଛି ବର୍ଷ ହେବ ଦୀପାବଳିରେ ବାଣ ବ୍ୟବହାର ବଢ଼ିବଢ଼ି ଚାଲିଛି।
ପୃଥିବୀ ପୃଷ୍ଠରେ ସଜୀବଙ୍କ ସ୍ଥିତି ପାଇଁ ବାୟୁମଣ୍ଡଳର ନିମ୍ନ ସ୍ତରରେ ଥିବା ଟ୍ରପୋସ୍ପିୟର ମାଟିଠାରୁ ୧୬ କିଲୋମିଟର ଉଚ୍ଚତାଯାଏ ବ୍ୟାପିରହିଛି। ଯେଉଁଠାରେ ବାଦଲ ସୃଷ୍ଟି ହୁଏ, ନିୟମିତ ବୃଷ୍ଟିପାତ ପାଇଁ ଏହା ସହଯୋଗୀ ହୁଏ, ତାହା ଏବେ ବିଷବଳୟରେ ଆକ୍ରାନ୍ତ ହେଲାଣି। ବିଶେଷଭାବେ ମାଟିଠାରୁ ଏକ କିଲୋମିଟର ଉଚ୍ଚତାରେ ଥିବା ବାୟୁମଣ୍ଡଳ ଯେଉଁଥିରୁ ଆମେ ଶ୍ବାସକ୍ରିୟା ସଂପନ୍ନ କରୁ, ଜୀବନରକ୍ଷାକାରୀ ବର୍ଷାଜଳ ପାଉ ସେଠାରେ ବିଷାକ୍ତ ଗ୍ୟାସର ଘନତ୍ବ, ଅମ୍ଳତ୍ବ ବୃଦ୍ଧି ପାଉଛି ଓ ଅମ୍ଳବର୍ଷା ହେଉଛି। ଅମ୍ଳବର୍ଷା କୃଷିକ୍ଷେତ୍ର, ମାର୍ବଲ ସ୍ଥପତି, ପୁରୁଣା କୋଠାବାଡ଼ି ନଷ୍ଟ କରି ଏହାର ସ୍ଥାୟିତ୍ବ କମାଇବାର ପ୍ରମୁଖ କାରଣ ହୋଇଛି । ପ୍ରଚୁର ବାଣଫୁଟା ଦ୍ବାରା ପଟାସିୟମ, ଫସଫରସ, ସଲଫର ଭଳି ବିଷାକ୍ତ ଗ୍ୟାସ ସୃଷ୍ଟି ହେଉଛି। ଏହାଛଡ଼ା ବାଣଫୁଟାରୁ ଉତ୍ପନ୍ନ ପ୍ରଚଣ୍ଡ ଶବ୍ଦ ଜନ୍ମ ହୋଇଥିବା ପିଲାଙ୍କ କର୍ଣ୍ଣପଟହ ଓ ହୃତ୍ପିଣ୍ଡ ପାଇଁ କେବଳ ଯେ କ୍ଷତିକାରକ ତାହା ନୁହେଁ; ବୟସ୍କ ଲୋକମାନଙ୍କ କାନ ଓ ହୃତ୍ପିଣ୍ଡ ପାଇଁ କ୍ଷତିକାରକ।
ଆମ ଦେଶର କେତେକ ସହରରେ ମାତ୍ର ୨୫ ଡେସବିଲ ଶବ୍ଦ ଥିବା ବାଣ ସୀମିତ ସମୟରେ ଫୁଟାଇବାକୁ ଇତିମଧ୍ୟରେ ନିର୍ଦେଶ ଦିଆଯାଇଛି। ଆମ ଦେଶର ରାଜଧାନୀ ଦିଲ୍ଲୀ ସହରର ଅବସ୍ଥା ଏବେ ବାୟୁ ପ୍ରଦୂଷଣ ପାଇଁ ଶୋଚନୀୟ ଅବସ୍ଥାରେ ରହିଛି। ବଡ଼ବଡ଼ ସହର ମୁମ୍ବଇ, କଲକାତା, ଆମ ରାଜ୍ୟର ରାଜଧାନୀ ଭୁବନେଶ୍ବର ଓ ଦେଶର ଅଧିକାଂଶ ବଡ଼ବଡ଼ ସହର ଏବେ ପ୍ରଦୂଷଣରୁ ମୁକ୍ତି ପାଇବାକୁ ସଂଘର୍ଷ କରୁଥିବାବେଳେ ଚଳିତ ବର୍ଷ ସୁପ୍ରିମକୋର୍ଟ ଓ କେତେକ ରାଜ୍ୟ ସରକାର ମଧ୍ୟ ପାର୍ବଣରେ ପ୍ରଚୁର ବାଣଫୁଟା ଓ ଉତ୍କଟ ଶବ୍ଦ ସୃଷ୍ଟିକାରୀ ବାଜା ଓ ଡିଜେ ବ୍ୟବହାର ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଭାରତ ଭଳି ଜନବହୁଳ ଦେଶରେ ଅଙ୍ଗାରକାମ୍ଳ ସୃଷ୍ଟିକାରୀ େମାଟରଯାନର ପ୍ରାବଲ୍ୟ ଭିତରେ କ୍ରମେ ବାୟୁ ପ୍ରଦୂଷଣ ଭଳି ମାନବୀୟ ବିପତ୍ତି ଉଦ୍ବେଗର କାରଣ ହେଉଛି। ବର୍ତ୍ତମାନ ସଂଯମତାର ସମୟ। ଚାଲନ୍ତୁ ଆଲୋକର ପର୍ବ ଦୀପାବଳିକୁ ସାବଧାନତାର ସହ ପାଳନ କରିବା, ସଚେତନ ହେବା। ପୃଥିବୀ ମାତାର ପ୍ରାକୃତିକ ସଂପଦକୁ ସୁସ୍ଥ ରଖିବା ଏବଂ ନିଜେ ସୁସ୍ଥ ରହିବା।