ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ହାଲଚାଲ
ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ହାଲଚାଲ
admin
Mar 21, 2019 - 07:49
Updated: Mar 21, 2019 - 07:49
ଭଦ୍ରକ: ୧୯୭୪ ମସିହାରେ ପ୍ରଥମ କରି ସୃଷ୍ଟି ହୋଇଥିଲା ଅନୁସୂଚିତ ଜାତି ନିମନ୍ତେ ସଂରକ୍ଷିତ ୧୮-ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହା ପୂର୍ବରୁ ଧାମନଗର ବିଧାନସଭା କ୍ଷେତ୍ର ସହ ଏହି ଅଂଚଳ ସଂଯୁକ୍ତ ହୋଇ ରହିଥିଲା । ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ୍ ଅଂଚଳର କ୍ଷେତ୍ରୀୟ ପରିସରକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରୁ ସେହି ସମୟରୁ ଅଦ୍ୟାବଧି ୧୧ ଜଣ ବିଧାୟକ ନିର୍ବାଚିତ ହୋଇସାରିଛନ୍ତି । ସେଥିମଧ୍ୟରୁ ମାତ୍ର ୪ ଜଣ ପ୍ରତିନିଧି କଂଗ୍ରେସର ହୋଇଥିବାବେଳେ ୮ ଜଣ ପ୍ରତିନିଧି ଅଣକଂଗ୍ରେସର ନିର୍ବାଚିତ ହୋଇଥିବା ଜଣାଯାଇଛି । ୧୯୭୪ ରୁ ୧୯୭୭ ପର୍ଯ୍ୟନ୍ତ ପ୍ରଥମ ବିଧାୟକ ହେବାର ଗୌରବ ବୈରାଗୀ ଯେନାଙ୍କୁ ମିଳିଥିଲା । ସେ ଉତ୍କଳ କଂଗ୍ରେସର ପ୍ରାର୍ଥିୀ ଭାବେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସ୍ୱାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ସେଠୀଙ୍କୁ ହରାଇ ନିର୍ବାଚିତ ହୋଇ ୩ ବର୍ଷ ପାଇଁ କାର୍ଯ୍ୟ କରିଥିଲେ । ୧୯୭୭ ରେ ଅନୁଷ୍ଠିତ ମଧ୍ୟବର୍ତୀକାଳୀନ ନିର୍ବାଚନରେ ତତ୍କାଳୀନ ଜନତା ପାର୍ଟିର ପ୍ରାର୍ଥିୀ ଅଖିଳ ଚରଣ ସେଠୀ ୫୬.୦୮% ଭୋଟ୍ ପାଇ ନିକଟତମ କଂଗ୍ରେସ ପ୍ରାର୍ଥୀ ଅର୍ଜୁନ ଚରଣ ସେଠୀଙ୍କୁ ହରାଇ ବିଧାନସଭାକୁ ୧୯୮୦ ମସିହା ପର୍ଯ୍ୟନ୍ତ ପ୍ରତିନିଧ୍ୱିତ୍ୱ କରିଥିଲେ । ନିର୍ବାଚନ ମଣ୍ଡଳୀ ଗଠିତ ହେବା ପରଠାରୁ ପ୍ରଥମ ଥର ପାଇଁ କଂଗ୍ରେସ (ଆଇ) ର ପ୍ରାର୍ଥିୀ ପୁରୁଷୋତମ ସେଠୀ ୧୯୮୦ ମସିହାରେ ସୃଷ୍ଟି ହୋଇଥିବା ଦଳ ସପକ୍ଷ ହାୱା ଯୋଗୁଁ ୫୪.୨୨% ଭୋଟ୍ ପାଇ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରଥ ଦାସଙ୍କୁ ହରାଇ ୫ ବର୍ଷ ପ୍ରତିନିଧିତ୍ୱ କରିବାର ଗୌରବ ଲାଭ କରିଥିଲେ । ୧୯୮୫ ମସିହାରେ କଂଗ୍ରେସ ପ୍ରାର୍ଥିୀ ପଂଚାନନ ମଣ୍ଡଳ ୪୨.୪୧ % ଭୋଟ୍ ପାଇଁ ନିକଟତମ ଅର୍ଜୁନ ସେଠୀଙ୍କୁ ହରାଇ ୧୯୯୦ ମସିହା ପର୍ଯ୍ୟନ୍ତ ୫ ବର୍ଷ ପ୍ରତିନିଧିତ୍ୱ କରିଥିଲେ । ୧୯୯୦ ମସିହାରେ ବିଜୁ ପଟ୍ଟନାୟକ ସପକ୍ଷ ପ୍ରବଳ ନିର୍ବାଚନୀ ହାୱାର ଜନତା ଦଳର ପ୍ରାର୍ଥିୀ ଅର୍ଜୁନ ଚରଣ ସେଠୀ ସର୍ବାଧିକ ୭୨.୨୫% ଭୋଟ୍ ଅକ୍ତିଆର କରି କଂଗ୍ରେସ ପ୍ରାର୍ଥୀ ପୁରୁଷୋତମ ସେଠୀଙ୍କୁ ହରାଇ ନିର୍ବାଚିତ ହୋଇଥିଲେ । ଦଳୀୟ ନିର୍ଦ୍ଦେଶ ଯୋଗୁଁ ମାତ୍ର ଏକବର୍ଷ ପରେ ପଦବୀ ତ୍ୟାଗ କରିବାରୁ ମଧ୍ୟବର୍ତୀକାଳୀନ ନିର୍ବାଚନ ଆବଶ୍ୟକତା ପଡିଥିଲା । ୧୯୯୧ ମସିହାରେ ସେହି ଦଳର ପ୍ରାର୍ଥୀ ପ୍ରଫୁଲ୍ଲ ଜେନା ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ପଂଚାନନ ମଣ୍ଡଳଙ୍କୁ ହରାଇ ନିର୍ବାଚିତ ହୋଇ ବାକି ୪ ବର୍ଷ ପ୍ରତିନିଧିତ୍ୱ କରିଥିଲେ । ୧୯୯୫ ମସିହାରେ ପୁନର୍ବାର ଅଜୁର୍ନ ଚରଣ ସେଠୀ ଜନତା ଦଳର ପ୍ରାର୍ଥୀ ଭାବେ କଂଗ୍ରେସ ହାୱା ସତ୍ୱେ ୪୪.୨୦% ଭୋଟ୍ ପାଇ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଅନନ୍ତ ଚରଣ ସେଠୀଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପୁନର୍ବାର ଦଳୀୟ ନିଷ୍ପତି ଅନୁଯାୟୀ ଅର୍ଜୁନ ବାବୁ ବିଧାୟକ ପଦରୁ ଇସ୍ତଫା ଦେଇ ସଂସଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ମଧ୍ୟବର୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୯୮ ମସିହା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କୁମାର ଶ୍ରୀ ଚିରଞ୍ଜିବୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରଥ ଦାସଙ୍କୁ ହରାଇ ୨ ବର୍ଷ ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ଅନୁଷ୍ଠିତ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ରଥ ଦାସ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର କୁମାରଶ୍ରୀ ଚିରଞ୍ଜିବୀଙ୍କୁ ହରାଇ ୫୮.୧୬ % ଭୋଟ ପାଇ ନିର୍ବାଚିତ ହୋଇଥିଲେ । ବିଜେଡି ପାଇଁ ଅନୁକୂଳ ପରିସ୍ଥିତି ସତ୍ୱେ ୨୦୦୪ ନିର୍ବାଚନରେ କଂଗ୍ରେସର ଟାଣୁଆ ପ୍ରାର୍ଥିୀ ଅନନ୍ତ ପ୍ରସାଦ ସେଠୀ ୪୯.୩୩ % ଭୋଟ୍ ପାଇଁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରଥ ଦାସଙ୍କୁ ହରାଇ ବିଧାୟକ ଭାବେ ୫ ବର୍ଷ ଦାୟିତ୍ୱ ତୁଲାଇଥିଲେ । ଏହି ସମୟରେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂରକ୍ଷଣ ମୁକ୍ତ ହୋଇ ବିଧାନସଭାର ୪୩ନଂ ନିର୍ବାଚନ ମଣ୍ଡଳୀ ରୂପେ ପରିଚିତ ଲାଭ କରିଥିଲା । ୨୦୦୯ ନିର୍ବାଚନରେ ଭଦ୍ରକ ବିଜେଡିର ଅନ୍ୟତମ ପ୍ରତିଷ୍ଠିତ ନେତା ପ୍ରଫୁଲ୍ଲ ସାମଲ ଦଳୀୟ ଥଇଥାନ ଭିତିରେ ଭଣ୍ଡାରିପୋଖରୀରୁ ପ୍ରାର୍ଥିୀ ହୋଇ ୪୪.୩୭ % ଭୋଟ୍ ପାଇ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ବଦ୍ରୀ ନାରାୟଣ ଧଳଙ୍କ ଠାରୁ ୨୦,୪୧୦ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ୨୦୧୪ ନିର୍ବାଚନରେ ପ୍ରଫୁଲ ବାବୁ, ୭୦,୧୭୩ ଭୋଟ ହାସଲ କରି ନିକଟତମ କଂଗ୍ରେସ ପ୍ରାର୍ଥିୀ ସୁବ୍ରତ ଦାସଙ୍କ ଠାରୁ ୩୪,୦୯୭ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଦାସ ୩୬,୦୭୬ ଭୋଟ୍ ହାସଲ କରି ୨ୟ ସ୍ଥାନ ଓ ବିଜେପି ପ୍ରାର୍ଥିୀ ବଦ୍ରୀ ନାରାୟଣ ଧଳ ୨୮,୮୦୯ ଭୋଟ ପାଇ ୩ୟ ସ୍ଥାନରେ ଥିଲେ ।