ଆଚାର୍ଯ୍ୟ ହରିହର ଶିଶୁ ଭବନର ୪୬ ତମ ପ୍ରତିଷ୍ଠା ଦିବସ

ପୁରୀଜିଲା ଅନ୍ତର୍ଗତ ସତ୍ୟବାଦୀ ସାକ୍ଷୀ ଗୋପାଳ ସ୍ଥିତ ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିସରରେ ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଆଚାର୍ଯ୍ୟ ହରିହରଙ୍କ ଜୀବନ ଆଦର୍ଶ ତ୍ୟାଗ ଓ ସାଧୁତାର ଜୀବନ ଥିଲା। ତେଣୁ ତାଙ୍କ ନାମରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଭଲ ମଣିଷ ତିଆରି କରୁ ବୋଲି ସେ ମତ ଦେଇ ଆଚାର୍ଯ୍ୟଙ୍କ ଉନ୍ନତ ଚରିତ୍ର ଓ ଶୃଙ୍ଖଳାକୁ ଅନୁସରଣ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା,ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଜିତ ମହାପାତ୍ର ପ୍ରତିଟି ପିଲା କଠୋର ପରିଶ୍ରମ କରି ନିଜର ଲକ୍ଷ୍ୟ ହାସଲ ସହ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଶିଶୁ ମଙ୍ଗଳ ସମିତି ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ସତ୍ୟବାଦୀ ବିକାଶ ପରିଷଦର ସଭାପତି ଗୁଣ୍ଡିଚା ବରାଳ ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ରହିଛି। ତାହାର ଉପଯୋଗ କରି ନିଜର ପରିଚୟ ସୃଷ୍ଟି ଲାଗି ଅଧ୍ୟବସାୟ କରିବା ଓ ଆଚାର୍ଯ୍ୟଙ୍କ ଆଦର୍ଶକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା ଏଥିରେ ଅଧ୍ୟକ୍ଷତା କରିବା ସହ ଅନୁଷ୍ଠାନ ପ୍ରତିଷ୍ଠା ସମୟର କଥା,ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅନୁଷ୍ଠାନରେ ବର୍ତ୍ତମାନ ୨୫ ପିଲା ରହୁଛନ୍ତି। ଏହାକୁ ୫୦ ପିଲା ରହିବା ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଥିଲେ।ଏହି ଅନୁରୋଧକୁ କାର୍ଯ୍ୟକାରୀ କରିବାକୁ ସହଯୋଗ କରିବେ ବୋଲି ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷ ସୂଚନା ଦେଇଥିଲେ। ଉଦଘୋଷକ ଶ୍ୟାମପ୍ରକାଶ ସେନାପତି ସଭା ପରିଚାଳନା କରିଥିଲେ। କାର୍ଯ୍ୟକାରିଣୀ ସଦସ୍ୟା ରାଜଲକ୍ଷ୍ମୀ ଦାଶ ବିବରଣୀ ପଠନ କରିଥିଲେ ।