ପ୍ରତି ମାସ ୭ରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ ମନ୍ତ୍ରୀ
ପ୍ରତି ମାସ ୭ରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ ମନ୍ତ୍ରୀ
admin
Jun 4, 2019 - 14:00
Updated: Jun 4, 2019 - 14:00
ଭୁବନେଶ୍ୱର : ପ୍ରତି ମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବା ଦିଗରେ କି କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ଆଗାମୀ ଜୁଲାଇ ୭ ମଧ୍ୟରେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ପ୍ରଥମ ରିପୋର୍ଟ ପ୍ରଦାନ କରିବେ ।
ସୂଚନାଯୋଗ୍ୟଯେ, ମେ’ ୨୯ରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀମଣ୍ଡଳର ବୈଠକ ବସି ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ତଥା ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିଥିଲେ । ସେତେବେଳେ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ‘ଆଜିଠାରୁ ଠିକ ୩୬୫ ଦିନ ପରେ ୨୦୨୦ ମେ’ ୨୯ରେ ଆମେ ଲୋକଙ୍କୁ ଦେଇଥିବା ଆମର ପ୍ରତିଶ୍ରୁତି ଓ ଏହାର ରୂପାୟନ ସମ୍ପର୍କରେ ଜଣାଇବୁ । ମୁଁ ଚାହେଁ ଆମ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଏହି ପ୍ରତିଶ୍ରୁତିଗୁଡ଼ିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରନ୍ତୁ ।’
ଏହି ଅବସରରେ ନବୀନ ଶାସନର ତିନୋଟି ମନ୍ତ୍ର ଟିମ ୱାର୍କ, ଟ୍ରାନ୍ସପାରେନ୍ସି ଓ ଟେକ୍ନୋଲୋଜି ସହିତ ଟ୍ରାନ୍ସଫର୍ମେସନ ନିମନ୍ତେ ପଂଚମ ପରିମାପକ ଟାଇମ ବା ସମୟକୁ ଅନ୍ତର୍ଭୁକ୍ତ କରିଥିଲେ । ଏକ ଗତିଶୀଳ ପ୍ରଶାସନିକ ମଡେ଼ଲ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଗରିବୀ ଦୂର କରିବା, ମହିଳାମାନଙ୍କର ବିକାଶ ଏବଂ ଅଭିବୃଦ୍ଧିରେ ସମାନ ଭାଗିଦାରୀ, ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ଏବଂ ଯୁବକମାନଙ୍କ ସ୍ୱପ୍ନର ସଫଳ ରୂପାୟନ ଜରିଆରେ ଏକ ସଶକ୍ତ ଓଡ଼ିଶା ଗଠନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏହିସବୁ ଦିଗ ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀମାନେ ସେମାନଙ୍କ ବିଭାଗର ପ୍ରାଥମିକତା କ୍ଷେତ୍ର ଉପରେ ତ୍ୱରିତ ପଦକ୍ଷେପ ନେବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି ।