ସେପ୍ଟେମ୍ବର ୨ ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ କରାଯିବ: ଦେବୀ ମିଶ୍ର
ସେପ୍ଟେମ୍ବର ୨ ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ କରାଯିବ: ଦେବୀ ମିଶ୍ର
admin
Aug 28, 2019 - 05:46
Updated: Aug 28, 2019 - 05:46
ଭୁବନେଶ୍ୱର : ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ପରେ ରାଜ୍ୟରେ ବିଜୁ ଜନତା ଦଳ ସଭ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି । ଏ ନେଇ ଆଜି ପୁଣି ଥରେ ନବୀନ ନିବାସରେ ଦଳର ରାଜ୍ୟସ୍ତରୀୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ମାସ ୨ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବର୍ତ୍ତମାନ ଦଳରେ ଥିବା ୪୭ ଲକ୍ଷ ସଦସ୍ୟ ସଂଖ୍ୟାକୁ ଦୁଇଗୁଣ କରିବାକୁ ଦଳ ଲକ୍ଷ୍ୟ ରଖିଥିବା କମିଟି ଆବାହକ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ବିଜେଡିର ସଭ୍ୟ ସଂଗ୍ରହ ନେଇ ମଙ୍ଗଳବାର ସନ୍ଧ୍ୟାରେ ନବୀନ ନିବାସରେ ରାଜ୍ୟସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ କମିଟି ସଦସ୍ୟ ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇ କହିଥିଲେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲ । ଆଜି ଦିଲ୍ଲୀରୁ ଫେରିବା ପରେ କମିଟିର ନିଷ୍ପତ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ସଭ୍ୟ ସଂଗ୍ରହ ଅଭିଯାନକୁ ସବୁ ସାଂଗଠନିକ ଜିଲ୍ଲା ଓ ବ୍ଲକ ସ୍ତରରେ ବ୍ୟାପକ କରାଯିବ । ଏଥିରେ ତୃଣମୂଳ ସ୍ତରର ନେତାଙ୍କ ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ନେତାଙ୍କୁ ସାମିଲ କରାଯିବ । ଦଳକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି । ସଭ୍ୟ ସଂଗ୍ରହ ଅଭିଯାନର ରାଜ୍ୟ ସ୍ତରୀୟ କମିଟି ଆବାହକ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ, ସଭ୍ୟ ସଂଗ୍ରହକୁ ନେଇ ଦଳ ପକ୍ଷରୁ କଣ ସବୁ ନିଷ୍ପତ୍ତି ହୋଇଛି ସେ ନେଇ ଆନୁଷ୍ଠାନିକ ଭାବେ ସାମ୍ବାଦିକ ସମ୍ମିଳନୀ କରି ଜଣାଇଦିଆଯିବ ।