କ୍ଷତି କରିବ କି ପାକିସ୍ତାନୀ ଗୋଲାପ ଜଳ
କ୍ଷତି କରିବ କି ପାକିସ୍ତାନୀ ଗୋଲାପ ଜଳ

ଭୁବନେଶ୍ୱର: ଆସୁଛି ପାକିସ୍ତାନୀ ଗୋଲାପ ଜଳ । ବାତ୍ୟା ରୂପ ନେଇ ଆସୁଛି । କଥାଟା ଟିକିଏ କେମିତି କେମିତି ଲାଗିପାରେ । ହେଲେ ଏହା ସତ । ବଙ୍ଗୋପସାଗରରେ ଯେଉଁ ବାତ୍ୟା ଦାନା ବାନ୍ଧୁଛି, ତା’ ନାଁ ରହିବ ଗୁଲାବ । କୁହାଯିବ-ଗୁଲ୍-ଆବ । ଏହି ବାତ୍ୟାର ନାମକରଣ କରିଛି ପାକିସ୍ତାନ । ଏହି ପାକିସ୍ତାନୀ ‘ଗୁଲାବ’ର ଅର୍ଥ ହେଉଛି ଗୋଲାପ ଜଳ ।
ପାକିସ୍ତାନୀ ଗୁଲାବ ବାତ୍ୟାକୁ ନେଇ ଓଡ଼ିଶା ଏବେ ପୂରା ସଜାଗ । ୨୬ ତାରିଖ (ରବିବାର) ସନ୍ଧ୍ୟାରେ ଏହା ଉପକୂଳ ଛୁଇଁବ । ସମ୍ଭବତଃ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ମଝିରେ ସ୍ଥଳଭାଗରେ ପଶିବ । ଆନ୍ଧ୍ରର କଳିଙ୍ଗପାଟନମ ପାଖାପାଖି ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।
ତାଜା ସୂଚନା ହେଲା, ସକାଳ ସାଢେ଼ ୮ଟାବେଳେ ଏହା ଗଭୀର ଅବପାତ (ଡିପ୍ ଡିପ୍ରେସନ) ଅବସ୍ଥାରେ ଉତ୍ତର ଓ ପାଖ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିଲା । ଘଣ୍ଟା ପ୍ରତି ୧୪ କିମି ବେଗରେ ପଶ୍ଚିମ ଦିଗରେ ଗତି କରୁଥିଲା । ଗୋପାଳପୁରଠାରୁ ୪୭୦ କିମି ଦୂରରେ ଥିଲା । ଅନୁମାନ କରାଯାଉଛି, ଦିନ ସାଢେ଼ ୨ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇଯିବ । ବାତ୍ୟା ରୂପ ନେବା ପରେ ଏହାର ନାଁ ରହିବ ‘ଗୁଲାବ’ । ସେଇ ପଶ୍ଚିମ ଦିଗରେ ଗତି କରି ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଦିଗରେ ଯିବ । ବିଶାଖାପାଟଣା ଓ ଗୋପାଳପୁର ମଝିରେ କଳିଙ୍ଗପାଟନମ ପାଖରେ ଉପକୂଳ ଛୁଇଁବ ରବିବାର ସନ୍ଧ୍ୟାରେ ।
ସେତେବେଳକୁ ପବନ ବେଗ ୭୦ରୁ କିମି ଥାଇପାରେ । ପବନ ଧକ୍କା ୯୦ କିମି ପର୍ଯ୍ୟନ୍ତ ଯାଇପାରେ ।
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ଓଡ଼ିଶାରେ ପବନ କମ୍ ରହିବ । କିନ୍ତୁ, ବର୍ଷା ପ୍ରବଳ ହୋଇପାରେ । ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସହ କିଛି ପବନ ମଧ୍ୟ ବହିବ । ତଳୁଆ ଅଂଚଳ ଜଳମଗ୍ନ ହୋଇପାରେ । ୨୦୧୮ ତିତ୍ଲି ଗଜପତି ଓ ରାୟଗଡ଼ାରେ ଭୂସ୍ଖଳନ ଆଶଙ୍କା ଥିବାରୁ ସତର୍କ କରାଯାଇଛି । ଦକ୍ଷିଣ ଓଡ଼ିଶା ନଦୀଗୁଡ଼ିକର ଜଳସ୍ତର କମ୍ ଥିଲେ ମଧ୍ୟ ନାଗାବଳୀ, ଋଷିକୂଲ୍ୟା ଓ ବଂଶାଧାରା ଫୁଲିପାରେ । ସ୍ଥିତି ମୁକାବିଲା ପାଇଁ ୪୨ଟି ଓଡ୍ରାଫ ଟିମ୍, ୧୦୨ଟି ଅଗ୍ନିଶମ ଟିମ୍, ୨୪ଟି ଏନଡିଆରଏର ଟିମ୍ ମୁତୟନ କରାଯାଇଛି । ଏହାବାଦ୍ ଉପକୂଳ ଓଡ଼ିଶାରେ ବି ପ୍ରବଳ ବର୍ଷା ହେବ । ଆଜି ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ । ୨୬ ଓ ୨୭ରେ ପ୍ରବଳ ବର୍ଷା ହେବ ଦକ୍ଷିଣ ଓଡ଼ିଶାରେ ।