ବର୍ଡର-ଗାଭାସ୍କର ଟ୍ରଫି ପାଇଁ ରୋହିତ ଅନୁପସ୍ଥିତ ରହିପାରନ୍ତି  

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ରୋହିତ ଅନୁପସ୍ଥିତ ରହିପାରନ୍ତି   

ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି ବର୍ଡର-ଗାଭାସ୍କର ଟ୍ରଫି । କିନ୍ତୁ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଅନୁପସ୍ଥିତ ରହି ପାରନ୍ତି । ଯଦି ରୋହିତ ପର୍ଥ ଟେଷ୍ଟରେ ଅନୁପସ୍ଥିତ ରହିବେ, ତା’ହେଲେ ଯଶପ୍ରୀତ ବୁମ୍ରା ଭାରତୀୟ ଟିମର ନେତୃତ୍ୱ ନେବେ । ଭାରତୀୟ ଟିମର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏ କଥାକୁ ନିଶ୍ଚିତ କରିଛନ୍ତି ।

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର କହିଛନ୍ତି, ବୁମ୍ରା ହେଉଛନ୍ତି ଭାରତୀୟ ଟେଷ୍ଟ ଟିମର ଉପ ଅଧିନାୟକ । ଯଦି ରୋହିତ ଅନୁପସ୍ଥିତ ରହିବେ , ତା’ହେଲେ ବୁମ୍ରା ପର୍ଥରେ ଭାରତୀୟ ଟିମର ନେତୃତ୍ୱ ନେବେ । ବର୍ଡର ଗାଭାସ୍କର ଟ୍ରଫି ପାଇଁ ପ୍ରଥମ ପଯ୍ୟାୟରେ କିଛି ଖେଳାଳି ରବିବାର ଠାରୁ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ଦ୍ୱିତୀୟ ଦଫାରେ ଗମ୍ଭୀରଙ୍କ ସହ ଅନ୍ୟମାନେ ଅଷ୍ଟ୍ରେଲିଆ ଗସ୍ତ କରିବେ। ତେବେ ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆ ଗସ୍ତ କରିବେ ନାହିଁ।

 ବ୍ୟକ୍ତିଗତ କାରଣ ପାଇଁ ସେ ପ୍ରଥମ ଟେଷ୍ଟ ଖେଳି ନ ପାରନ୍ତି । କିନ୍ତୁ ମୁଖ୍ୟ କୋଚ ଗମ୍ଭୀର ଏ ଯାଏ ତାଙ୍କ ଅନୁପସ୍ଥିତିକୁ ନିଶ୍ଚିତ କରି ନାହାନ୍ତି। ସେ କହିଛନ୍ତି, ରୋହିତଙ୍କୁ ନେଇ ଏବେ କିଛି ନିଶ୍ଚିତ ହୋଇନି, ଆମ ଆଶା ସେ ଖେଳିବେ । ସିରିଜର ଠିକ ପୂର୍ବରୁ ଆମେ ଏକଥ ଜଣାଇ ଦେବୁ । ରୋହିତଙ୍କ ବିକଳ୍ପ ପାଇଁ ମ୍ୟାନେଜମେଣ୍ଟ ବ୍ୟାକଅପ ପ୍ଲାନ ପ୍ରସ୍ତୁତ କରି ରଖିଛି। ଗମ୍ଭୀର ମଧ୍ୟ ଏକଥାକୁ ଦୋହରାଇଛନ୍ତି । ରୋହିତ ଉପସ୍ଥିତ ନ ରହିଲେ ଅଭିମନ୍ୟୁ ଈଶ୍ୱରନ କିମ୍ବା କେଏଲ ରାହୁଲ ଅଷ୍ଟ୍ରେଲିଆରେ ଭାରତ ପାଇଁ ଯଶସ୍ୱୀ ଜୈସୱାଲଙ୍କ ସହ ଇନିଂସ ଆରମ୍ଭ କରିବେ । ଗମ୍ଭୀର କହିଛନ୍ତି, ଆମ ପାଖରେ ଅଭିମନ୍ୟୁ ଈଶ୍ୱରନ ଓ କେଏଲ ରାହୁଲଙ୍କ ଭଳି ଖେଳାଳି ସ୍କ୍ୱାଡରେ ରହିଛନ୍ତି। ତେଣୁ ଆମେ ଶ୍ରେଷ୍ଠ ଏକାଦଶ ଚୟନ କରିବୁ। ପ୍ରଥମ ଟେଷ୍ଟ ପୂର୍ବରୁ ଏହା ଉପରେ ନିଷ୍ପତ୍ତି ହେବ।