ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଦେବ ଓଟିଭି

ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଦେବ ଓଟିଭି

ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଦେବ ଓଟିଭି


ଭୁବନେଶ୍ୱର: ଲାଇଭ୍ ରିପୋର୍ଟିଂବେଳେ ଚାଲିଗଲେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ । ମୁଣ୍ଡୁଳି ବ୍ୟାରେଜ ସ୍ରୋତରେ ଫସିଥିବା ହାତୀ ଉଦ୍ଧାର ଅପରେସନରେ ସାମିଲ ହୋଇ ଅରିନ୍ଦମ ଚାଲିଗଲେ ଆରପାରିକୁ । ଏହି ୩୯ ବର୍ଷୀୟ ଦୁଃସାହସିକ ସାମ୍ବାଦିକଙ୍କୁ ହରାଇ ସାରା ଓଡ଼ିଶା କାନ୍ଦୁଛି । ସ୍ତବ୍ଧ ହୋଇଯାଇଛି ଓଡ଼ିଶା ଗଣମାଧ୍ୟମ ଜଗତ । ତାଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡ଼ିଛି ଛୋଟ ପରିବାର । ମା’, ପତ୍ନୀ ଓ ୩ ବର୍ଷର ପୁଅର ମୁଣ୍ଡ ଉପରୁ ଯେମିତି ଆକାଶ ହଟିଯାଇଛି । ପାଦ ତଳୁ ଧସିଯାଇଛି ମାଟି । ଏଭଳି ଦୁଃଖ ସମୟରେ ଅରିନ୍ଦମଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି ଓଟିଭି ପରିବାର । ଓଟିଭି କର୍ତ୍ତୃପକ୍ଷ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଅପରପକ୍ଷରେ ସରକାର ମଧ୍ୟ ଅରିନ୍ଦମଙ୍କ ପରିବାରକୁ ସହାୟତା ଘୋଷଣା କରିବାକୁ ସାମ୍ବାଦିକ ମହଲରେ ଦାବି ହୋଇଛି ।

  ମୃତୁ୍ୟ କେତେବେଳେ କେଉଁ ରୂପରେ ଆସେ, ତାହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଅରିନ୍ଦମ । ଗତକାଲି ଏହି ସମୟରେ ସେ ମୁଣ୍ଡୁଳି ବ୍ୟାରେଜ ପାଖରୁ  ମହାନଦୀରେ ଫସିଥିବା ହାତୀ ବାବଦରେ ଲାଇଭ୍ ବିବରଣୀ ରଖୁଥିଲେ । ମାତ୍ର କେଇ ମିନିଟ ପରେ ତାଙ୍କର ଜଳ ସମାଧି ଖବର ପାଲଟିଗଲା । ହାତୀ କୂଳକୁ ଆସୁନଥିବାବେଳେ ଓଡ୍ରାଫ ଟିମ୍ ରବର ବୋଟ ନେଇ ପାଣିକୁ ଓହ୍ଲାଇଥିଲେ । ଉଦେ୍ଧଶ୍ୟ ଥିଲା- ପାଟି କରି ହାତୀକୁ କୂଳ ଆଡ଼କୁ ଯିବା ପାଇଁ ଘଉଡ଼ାଇବେ । ଏହି ଅପରେସନ ବେଶ୍ ଚାଲେଞ୍ଜିଂ ଥିଲା । ତଥାପି ଜୀବନକୁ ବାଜି ଲଗାଇ ଅରିନ୍ଦମ ତାଙ୍କ କ୍ୟାମେରାମ୍ୟାନଙ୍କ ସହ ଓଡ୍ରାଫ ବୋଟରେ ବସିଯାଇଥିଲେ ପୂରା ଅପରେସନର ଟିକିନିଖି ଖବରକୁ ଲାଇଭ କରିବା ପାଇଁ । ସବୁ କିଛି ଠିକଠାକ ଚାଲିଥିଲା । ଅଚାନକ ସୁଅ ମୁହଁକୁ ଟାଣି ହୋଇଗଲା ବୋଟ । ଓଲଟିଗଲା ବ୍ୟାରେଜ ତଳମୁଣ୍ଡ ସୁଅ ମାଡ଼ରେ । ବ୍ରିଜ୍ ଉପରୁ ଦଉଡ଼ି ପକାଇ ସଭିଙ୍କୁ ଉଠାଇବାକୁ ପ୍ରୟାସ କରାଗଲା । ଅରିନ୍ଦମ ବି ଜୀବନ ରକ୍ଷା ପାଇଁ ଦଉଡ଼ି ଧରି ଉପରକୁ ଉଠିବାକୁ ପ୍ରୟାସ କରୁଥିଲେ । ମାତ୍ର ପ୍ରଖର ପାଣି ସ୍ରୋତରେ ସେ ଖସିଯାଇଥିଲେ । ଆଉ ଭାସିଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରି କଟକ ହସ୍ପିଟାଲ ନିଆଯାଇଥିଲା । ହେଲେ କଟକ ବଡ଼ ମେଡିକାଲରେ  ତାଙ୍କୁ ମୃତ ଘୋଷଣା କରାଯାଇଥିଲା । କ୍ୟାମେରା ମ୍ୟାନ ବି ଗୁରୁତର ଆହତ ହୋଇଥିଲେ । ଏବେ ସେ ଭଲ ଥିବା ଖବର ମିଳିଛି । ଅନ୍ୟ ଜଣେ ଓଡ୍ରାଫ କର୍ମଚାରୀ ଏବେ ବି ନିଖୋଜ ଅଛନ୍ତି ।

  ଅରିନ୍ଦମଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା କଟକ ବଡ଼ ମେଡିକାଲରୁ ରାଜଧାନୀ  ଓ ଜନ୍ମ ମାଟି କେନ୍ଦୁଝର ପର୍ଯ୍ୟନ୍ତ ଶୋକର ଛାୟା ଖେଳିଗଲା । ପତ୍ନୀ ଓ ମା’ ହସ୍ପିଟାଲରେ ପହଂଚିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ପରିବେଶ । ପରେ ତାଙ୍କ ମୃତଦେହକୁ ଓଟିଭି କାର୍ଯ୍ୟାଳୟ ନିଆଗଲା । ସେଠାରେ ସହଯୋଗୀ କର୍ମଚାରୀମାନେ ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ । ସଭିଙ୍କ ଆଖି ଥିଲା ଛଳଛଳ ।  ସେଠାରୁ ଜୟଦେବଭବନ ସାମ୍ନା ଡଟକମ୍ (ସାମ୍ବାଦିକଙ୍କ ମେଳି ସ୍ଥାନ) ନିଆଯାଇଥିଲା ଅରିନ୍ଦମଙ୍କ ମରମଶରୀର । ଶେଷ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଥିଲା । ପରେ କେନ୍ଦୁଝରସ୍ଥିତ ତାଙ୍କ ପୈତୃକ ଗାଁକୁ ମରଶରୀର ନିଆଯାଇଥିଲା । ଆଜି ସକାଳୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପଂଚଭୂତରେ ଲୀନ ହୋଇଛନ୍ତି  ସାମ୍ବାଦିକତତା ଜଗତର ଏହି ସାହାସୀ ଯୁବକ । ଆଉ ସେ ଫେରିବେନି । ହେଲେ ତାଙ୍କ ସ୍ମୃତି ସବୁବେଳେ ଯୁବ ସାମ୍ବାଦିକମାନଙ୍କ ପାଇଁ ପ୍ରେରଣା ହୋଇ ରହିବ ।

  ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସମେତ ବହୁ ବିଶିଷ୍ଟ ରାଜନେତା ଓ ସମସ୍ତ ସାମ୍ବାଦିକ ଗଭୀର ଶୋକ ପ୍ରକାଶ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ସଭା ଓ ନୀରବ ପ୍ରାର୍ଥନା କରାଯାଇଛି ।