ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ
ଭୁବନେଶ୍ୱର : ଦୁଇ ସପ୍ତାହ ହେଲା ଓଡ଼ିଶାରେ ବଡ଼ ବର୍ଷା ନାହିଁ । କାଁ ଭାଁ କେମିତି କେଉଁଠି ଅଳ୍ପ ବର୍ଷା ହେଉଛି । ନ ହେଲେ ସାରା ଓଡ଼ିଶାରେ ବର୍ଷା ଦିନେ ଶୁଖିଲା ପାଗ ଲାଗି ରହିଛି । ବର୍ଷା ଅଭାବରୁ ପରିସ୍ଥିତି ଜଟିଳ ହେଉଥିବା ବେଳେ ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉପରେ ଓଡ଼ିଶା ଉପକୂଳକୁ ଲାଗି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇପାରେ ଏବଂ ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଚାଷୀମାନଙ୍କ ଲାଗି ଏହି ଲଘୁଚାପ ସେତେଟା ସହାୟକ ହେବ ନାହିଁ । ଘୂର୍ଣ୍ଣିବଳୟ ପରବର୍ତ୍ତୀ ସମୟରେ ଲଘୁଚାପରେ ପରିଣତ ହେବାକୁ ଥିଲେ ମଧ୍ୟ ବଡ଼ ବର୍ଷାର ସମ୍ଭାବନା କ୍ଷୀଣ । ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହି ସମୟ ମଧ୍ୟରେ ଉପକୂଳ ଓ ଉତ୍ତର କେନ୍ଦ୍ରୀୟ ଓଡ଼ିଶାରେ ବଜ୍ରପାତ ଜନିତ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗୁରୁବାର ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢ଼େଙ୍କାନାଳ, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ତେବେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ କେତେକ ସ୍ଥାନରେ ବଜ୍ରପାଦ ସହ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ୧୯ ଓ ୨୦ ତାରିଖରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ପରେ ପାଗରେ ପରିବର୍ତ୍ତନ ଆସିବ । ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହୋଇଛି ଯେ ଲଘୁଚାପ ସୃଷ୍ଟ ହେଲେ ମଧ୍ୟ ତାହାର ପ୍ରଭାବ ଅଧିକ ରହିବନି । ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ବର୍ଷା ହୋଇପାରେ । ପବନର ବେଗ ଅଧିକ ରହୁ ନଥିବାରୁ ଲଘୁଚାପ ଅଧିକ ଘନୀଭୂତ ହେବ ନାହିଁ । ଯେଉଁଥିପାଇଁ ବଡ଼ ବର୍ଷାର ସମ୍ଭାବନା ନାହିଁ । ଆସନ୍ତା ତିନି ଦିନ ଯାଏଁ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ଦିନରେ ତାତି ସହ ସନ୍ଧ୍ୟାରେ ଘଡ଼ଘଡ଼ି ଓ ବଜ୍ରପାଦ ଜନିତ ବର୍ଷା ହୋଇପାରେ । ତେବେ ତାହା ସେତେଟା ପ୍ରଭାବ ପକାଇବ ନାହିଁ ବୋଲି ସେ ଆକଳନ କରିଛନ୍ତି । ଅନ୍ୟପକ୍ଷରେ ଗତ ୧୨ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୧୭ ମିମି ବର୍ଷା ହୋଇଛି । ଏହା ବ୍ୟତୀତ ଭବାନୀପାଟଣାରେ ୮, ପୁରୀରେ ୬, ଫୁଲବାଣୀରେ ୩, କଟକରେ ୨ ମିମି ସମେତ ଭୁବନେଶ୍ୱର, ଟିଟିଲାଗଡ଼ରେ ହାଲକା ବର୍ଷା ହୋଇଛି ।