ଦୁଇ ଦିନ ପରେ ମାଟ୍ରିକ୍ ପରୀକ୍ଷା: ଏଥର କଡ଼ା ପଦକ୍ଷେପ
ଦୁଇ ଦିନ ପରେ ମାଟ୍ରିକ୍ ପରୀକ୍ଷା: ଏଥର କଡ଼ା ପଦକ୍ଷେପ
admin
Feb 20, 2019 - 05:32
Updated: Feb 20, 2019 - 05:32
ଭୁବନେଶ୍ୱର: ଆଉ ମାତ୍ର ଦୁଇଦିନ ପରେ ମାଟ୍ରିକ୍ ପରୀକ୍ଷା। ପରୀକ୍ଷା ପାଇଁ ମାନସିକ ଭାବେ ପ୍ରସ୍ତୁତ ହୋଇ ସାରିଛନ୍ତି ରାଜ୍ୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଏପଟେ ଚଳିତ ବର୍ଷ ପରୀକ୍ଷାକୁ ଯେଭଳି ତ୍ରୁଟିଶୂନ୍ୟ, ବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ପରିଚାଳନା କରାଯିବ ସେ ନେଇ ସରକାରଙ୍କ ପକ୍ଷରୁ ବହୁ କଡ଼ା ତଥା ଅଭିନବ ପଦକ୍ଷେପ ନିଆଯାଇଛି। ଆଉ ଦୁଇ ଦିନ ପରେ ୨୨ରୁ ଆରମ୍ଭ ହେବାକୁ ଯାଉଥିବା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷା ପୂର୍ବରୁ କିଏ ସ୍କୁଲରୁ ଆଡମିଟ୍ କାର୍ଡ ସଂଗ୍ରହ କରୁଛନ୍ତି ତ ଆଉ କିଏ ପଢ଼ାପଢ଼ିରେ ବ୍ୟସ୍ତ ଅଛନ୍ତି। ଛାତ୍ର ଜୀବନର ଏ ଗୁରୁତ୍ୱପୂର୍ଣ ଚ୍ୟାଲେଞ୍ଜକୁ କିଭଳି ସହଜରେ ଗ୍ରହଣ କରିହେବ, ତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାଲିଛି ଆଲୋଚନା।
ଏପଟେ ପରୀକ୍ଷା ହେବାକୁ ଥିବା ରାଜ୍ୟର ସମସ୍ତ ୯ ଶହ ୫୩ ପରୀକ୍ଷା କେନ୍ଦ୍ରରେ ବି ଚୂଡ଼ାନ୍ତ ଆୟୋଜନ ହୋଇଛି। ନୋଡାଲ୍ ସେଣ୍ଟର୍ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚି ସାରିଥିବା ବେଳେ ଏଣେ ଶିକ୍ଷକ, ପରିଚାଳକ ଓ ସେଣ୍ଟର୍ ଅଧିକ୍ଷକକଙ୍କୁ ବି ତାଲିମ କାର୍ଯ୍ୟକ୍ରମ ବି ଶେଷ ହୋଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏ ବର୍ଷ ପ୍ରଥମ ଥର ଲାଗି ପରୀକ୍ଷା ଦିନ ସକାଳେ ହିଁ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବାକୁ ନିଷ୍ପତ୍ତି ହୋଇଛି। ଗତବର୍ଷ ପ୍ରଶ୍ନପତ୍ର ଭାଇରାଲ ଘଟଣା ବୋର୍ଡର ପରୀକ୍ଷା ପରିଚାଳନା ଦକ୍ଷତାରେ ପ୍ରଶ୍ନଚିହ୍ନ ଲଗାଇଥିବାରୁ ଏଥର ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି। ଏପରିକି ସେଣ୍ଟର ସୁପରିଟେଣ୍ଡେଣ୍ଟ୍ ବି ନିହାତି ଆବଶ୍ୟକ, ନହେଲେ ମୋବାଇଲ ବ୍ୟବହାର ନକରିବାରୁ ନିର୍ଦ୍ଦେଶ ରହିଛି। ସେହିଭଳି ପରୀକ୍ଷା ସମ୍ବନ୍ଧୀୟ ବେଆଇନ୍ କାର୍ଯ୍ୟକୁ ଧର୍ତ୍ତବ୍ୟ ଓ ଜାମିନ ବିହୀନ ଅପରାଧ ବୋଲି ଧରାଯିବ।
ଏ ବର୍ଷ ନୂଆ କରି ସିସିଟିଭି କ୍ୟାମେରା ନଜରରେ ରହିବ ପ୍ରାୟ ୫୦୦ କେନ୍ଦ୍ର। ସେହିଭଳି ୨୦୦ରୁ ଅଧିକ ସମ୍ବେଦନଶୀଳ ସେଣ୍ଟରରେ ୧୪୪ ଧାରା ଲଗାଇବାକୁ ବି ନିଷ୍ପତ୍ତି ହୋଇଛି। ଏପଟେ ଠିକ୍ ପରୀକ୍ଷା ପୂର୍ବରୁ ନିଜ ପୁରୁଣା ଦାବିକୁ ନେଇ କାଲିଠୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ରାଜ୍ୟ ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ।
ଏ ବର୍ଷ ରାଜ୍ୟରେ ମୋଟ ୫ ଲକ୍ଷ ୮୭ ହଜାର ୭୨୦ ପିଲା ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୨ ହଜାର ୯ ଶହ ୫୩ଟି କେନ୍ଦ୍ରର ବ୍ୟବସ୍ଥା ହୋଇଛି।