ଜାଣନ୍ତୁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ବୁଡିବାର ପ୍ରକୃତ କାରଣ!
ଜାଣନ୍ତୁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ବୁଡିବାର ପ୍ରକୃତ କାରଣ!
admin
Nov 20, 2020 - 11:20
Updated: Nov 20, 2020 - 11:20
ମୁମ୍ବାଇ : ବିଗତ କିଛି ବର୍ଷ ମଧ୍ୟରେ ବୁଡି ଯାଇଥିବା କିଛି ବ୍ୟାଙ୍କ ମଧ୍ୟରେ ନିଜ ନାମକୁ ସାମିଲ କରିଛି ଲକ୍ଷ୍ମୀ ବିଳାସ ବ୍ୟାଙ୍କ । ୯୪ ବର୍ଷର ଏହି ବ୍ୟାଙ୍କର ଅର୍ଥବ୍ୟବସ୍ଥା ପ୍ରାୟ ୮୦ ବର୍ଷ ଯାଏଁ ସଠିକ ଦିଗରେ ପରିଚାଳିତ ହେଉଥିଲା । ମାତ୍ର ଶେଷ ୧୦ ବର୍ଷରେ ବ୍ୟାଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ବିଗତ ଏକ ଦଶନ୍ଧି ମଧ୍ୟରେ ବ୍ୟାଙ୍କର ଆର୍ଥିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା ବେଳେ ବ୍ୟାଙ୍କଟି ବନ୍ଦ ହୋଇ ଯାଇଥିଲା । ବିଗତ ୧୦ ବର୍ଷ ମଧ୍ୟରେ ବ୍ୟାଙ୍କରେ ୫ ଜଣ ସିଇଓ କାର୍ଯ୍ୟ କରିଛନ୍ତି । ଏହି ୧୦ ବର୍ଷ ମଧ୍ୟରେ କେହିବି ୨-୩ ବର୍ଷରୁ ଅଧିକ ଦିନ କାର୍ଯ୍ୟ କରିନାହାନ୍ତି । ଏହା ସହିତ ବ୍ୟାଙ୍କ ପକ୍ଷରୁ ଆର୍ଥିକ କ୍ଷମତା ଠାରୁ ଅଧିକ ଋଣ ପ୍ରଦାନ କରାଯାଇଥିଲା । ଛୋଟ କମ୍ପାନୀ ମାନଙ୍କୁ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ କରାଯାଇଥିଲା । ଏହି ଋଣ ପ୍ରଦାନ କାରଣରୁ ବ୍ୟାଙ୍କରେ ଏନପିଏ ବଢିବାରେ ଲାଗିଥିଲା ।
ଏହି କର୍ପୋରେଟ ଲୋନ ଏବଂ ଏନପିଏ କାରଣରୁ ବ୍ୟାଙ୍କର ଅଧୋପତନ ଆରମ୍ଭ ହୋଇଥିଲା । ଦେଶର ଦ୍ୱିତୀୟ ବୃହତ ଘରୋଇ ବ୍ୟାଙ୍କ ଏଚଡିଏଫସିର ଏକ ଷଷ୍ଠମାଂଶ ଅର୍ଥର ମାଲିକାନା ରଖିଥିବା ଏହି ବ୍ୟାଙ୍କ ରିୟଲ ଇଷ୍ଟେଟ, ଶକ୍ତି, ଭିତ୍ତିଭୂମି ଏବଂ ବୟନ ଶିଳ୍ପର ଅନେକ ମଧ୍ୟମ ବର୍ଗୀୟ କମ୍ପାନୀକୁ ହଜାର ହଜାର କୋଟିର ଋଣ ପ୍ରଦାନ କରିଥିଲା । ୨୦୦୭ରୁ ୨୦୧୦ ମଧ୍ୟରେ ବି ଏସ ରେଡ୍ଡୀ ଏହି ବ୍ୟାଙ୍କର ସିଇଓ ରହିଥିଲେ । ୨୦୦୮ର ମାନ୍ଦାବସ୍ଥା ସତ୍ତ୍ୱେ ବ୍ୟାଙ୍କ ପକ୍ଷରୁ ଏହି ସମୟରେ ଋଣ ପ୍ରଦାନ କରାଯାଇଥିଲା । ପୂର୍ବରୁ ବ୍ୟାଙ୍କର ଋଣ ୩୬୧୨ କୋଟି ରହିଥିବା ବେଳେ ୨୦୧୦ ସୁଦ୍ଧା ଏହା ୬୨୭୭ କୋଟିରେ ପହଞ୍ଚିଥିଲା ।
ରେଡ୍ଡୀଙ୍କ ପରେ ଆର ଆର ସୋମାସୁନ୍ଦରନ ବ୍ୟାଙ୍କର ଦାୟିତ୍ୱ ଗ୍ରହଣ କରିଥିଲେ । ପୂର୍ବରୁ ହିନ୍ଦୁସ୍ତାନ ୟୁନିଲିଭର ଏବଂ ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କର ଦାୟିତ୍ୱ ଗ୍ରହଣ କରିଥିବା ସୁନ୍ଦରନ ବ୍ୟାଙ୍କକୁ ସଙ୍କଟରୁ ଉଦ୍ଧାର କରି ପାରିନଥିଲେ । ୨୦୦୮ ମାନ୍ଦାବସ୍ଥା ମୁକାବିଲାରେ ବିଫଳ ହେବା ପରେ ସେ ୨୦୧୨ରେ ଇସ୍ତଫା ପ୍ରଦାନ କରିଥିଲେ । ୨୦୧୦ରେ ୬୨୭୭ କୋଟିରେ ରହିଥିବା ଲୋନବୁକ ୨୦୧୩ ସୁଦ୍ଧା ୧୧୭୦୨ କୋଟିରେ ପହଞ୍ଚିଥିଲା । ୨୦୧୦ ମସିହାରେ ଭିତ୍ତିଭୂମି କ୍ଷେତ୍ରରେ ୫୮୮ କୋଟିର ଋଣ ପ୍ରଦାନ କରାଯାଇଥିବା ବେଳେ ୨୦୧୩ରେ ଏହା ବୃଦ୍ଧି ପାଇ ୧୦୫୯ କୋଟିରେ ପହଞ୍ଚିଥିଲା । ଏହି କାରଣରୁ ବ୍ୟାଙ୍କର ଏନପିଏ ବଢିଥିଲା ଏବଂ ବ୍ୟାଙ୍କ ବୁଡିବା ପରସ୍ଥିତି ଆଡକୁ ଆସିଥିଲା ।