ରତ୍ନଭଣ୍ଡାରଖୋଲିଦେଇ ବାଃ ବାଃ ନେଉଛନ୍ତି ସରକାର

ରତ୍ନଭଣ୍ଡାରଖୋଲିଦେଇ ବାଃ ବାଃ ନେଉଛନ୍ତି ସରକାର

ଜୁଲାଇ ୧୮ ରୁ ବାହାର ଅସ୍ଥାୟୀ ରତ୍ନ ଭଣ୍ଡାରରେ ରହିଛି ଭିତର ଭଣ୍ଡାରର ଦୁର୍ମୂଲ୍ୟ ଅଳଙ୍କାର । ଏହା ସର୍ଭେ ମରାମତି ଆଳରେ ଗଡୁଛି ଦିନ ! ଜଗନ୍ନାଥ ପ୍ରେମୀ ଅପେକ୍ଷା କରିବେ ଆଉ କେତେଦିନ?  ଓଡ଼ିଆ ଅସ୍ମିତା ଓ ଶ୍ରୀମନ୍ଦିର କଥା କହି ରାଜ୍ୟ ସରକାର କ୍ଷମତାକୁ ଆସିଲେ । କ୍ଷମତାକୁ ଆସିବା ପରେ ଚାରିଦ୍ଵାର ଖୋଲିଲା ,ହେଲେ ଏବେ ବି ଭିତର ଦର୍ଶନ ବ୍ୟବସ୍ଥା  ଭକ୍ତଙ୍କୁ ଅଣନିଶ୍ବାସୀ କରୁଛି । ସେପଟେ ଜୁଲାଇ ୧୪ ରେ ରତ୍ନ ଭଣ୍ଡାର ଖୋଲାଯିବା ପରେ ଜୁଲାଇ ୧୮ ରୁ ବାହାରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର । କିନ୍ତୁ ଦିନ ସିନା ଗଡୁଛି ,କାମ ଆଗଉନି । ୬ ବର୍ଷ ତଳୁ ଅସୁରକ୍ଷିତ ରତ୍ନଭଣ୍ଡାରକୁ ତତ୍କାଳୀନ ବିଜେଡି ସରକାର ସେମିତି ଛାଡ଼ି ଦେଇଥିଲେ । ଏବେ ବିଜେପି ସରକାର ବି ତୁ ତ ମୁତୁରୀ ମୁଁ ମୁତୁରୀ ହେଂସ କାହିଁ ପାଇଁ ଧାଇଁବା ନାଁରେ ସମୟ ଗଡ଼ାଉଛନ୍ତି ।ଏକଥା କହିଛନ୍ତି ଖୋଦ୍ ଜଗନ୍ନାଥଙ୍କ ବା଼ଡଗ୍ରାହୀ। ଯଦି ଏତେ ବଡଭଣ୍ଡାରରୁ ପଥର ଖସି ଅଘଟଣ ଘଟେ,କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି । ASI ବି ନିଜ କାର୍ଯ୍ୟରେ ବାରମ୍ବାର ଅବହେଳା କରୁଥିବା ବେଳେ ଅନେକ କଥା ଲୁଚାଉଛି ବୋଲି ଅଭିଯୋଗ କରିଛନ୍ତି ଜଗନ୍ନାଥ ସ୍ବାଇଁ ମହାପାତ୍ର ।

ସେପଟେ ଜାନୁଆରୀ ସୁଦ୍ଧା ରତ୍ନଭଣ୍ଡାର ମରାମତି ଓ ଗଣତିମଣତି ଶେଷ ହେବ ବୋଲି ଆଇନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ବି ଆଇନ ମନ୍ତ୍ରୀଙ୍କ ଗାଇଡ ଲାଇନ୍ ଅନୁଯାୟୀ ପ୍ରସ୍ତୁତ ଅଛୁ ବୋଲି ପ୍ରତିକ୍ରିୟା ରଖିଛନ୍ତି। ହେଲେ ଏହା ପୂର୍ବରୁ ବୈଷୟିକ ଟିମ କରିଥିବା GPR ସର୍ଭେର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବାର ଆବଶ୍ୟକତା ରହିଛି ।ଯାହା ଏ ଯାଏଁ ବି ଆସିନାହିଁ ବୋଲି ଆଇନମନ୍ତ୍ରୀ ନିଜେ ସ୍ପଷ୍ଟ କରିଛନ୍ତି।ତେବେ SOP ଅନୁଯାୟୀ ପ୍ରକ୍ରିୟାକରଣ କରିବାକୁ ହେଲେ ଯାଞ୍ଚ ରିପୋର୍ଟ ଆଧାରରେ ମରାମତି , ପରେ ରତ୍ନ ସ୍ଥାନାନ୍ତର ଓ ସ୍ଥାନାନ୍ତର ପରେ ଭିତର ଭଣ୍ଡାରରେ ହିଁ ହେବ ରତ୍ନ ଗଣତି ମଣତି । ସେଇ ଆଧାରରେ କେବେ ଯାଞ୍ଚ ରିପୋର୍ଟ ଆସିବ ,ରିପୋର୍ଟ ଆଧାରରେ ମରାମତି ହେବ,ମରାମତି ହେଲେ ରତ୍ନ ସ୍ଥାନାନ୍ତର ହେବ ,ସ୍ଥାନାନ୍ତର ହେଲେ ହିଁ ଭିତରେ ଗଣତି ହେବ ।ଏକଥା ଏବେ ବୁଢିଆଣୀ ଜାଲ ପରି ଛନ୍ଦି ହୋଇ ଯାଉଛି । ଶ୍ରୀମନ୍ଦିର ପ୍ରଶାସନ , ରାଜ୍ୟ ସରକାର ଓ ASI ର ସଂମନ୍ଵୟ ର ଅଭାବ ଯୋଗୁ , ଏବେ ଯଥା ପୂର୍ବଂ ତଥା ପର ସ୍ଥିତି ଉପୁଜିଛି ।

ତେବେ GPR ରିପୋର୍ଟ କେବେ ଆସିବ ଓ କେବେ ରତ୍ନଭଣ୍ଡାର ମରାମତି ହେବ ତାହା ଏବେ ଅନିଶ୍ଚିତତା ଆଡକୁ ଠେଲି ହେଉଯାଉଥିବା ପରି ମନେ ହେଉଛି । ଖାଲି ସେତିକି ନୁହେଁ ଯେଉଁ ପ୍ରସଙ୍ଗକୁ ମୁଦ୍ଦା କରି ବିଜେପି ସରକାରକୁ ଆସିଲା ସେଇ ପ୍ରସଙ୍ଗରେ କେବଳ ଲୋକ ଦେଖାଣିଆ କାର୍ଯ୍ୟ ଛଡ଼ା ପ୍ରକୃତ କାର୍ଯ୍ୟ ହୋଇନାହିଁ । ନା ମରାମତି,ନା ଗଣତିମଣତି। କେବଳ ରତ୍ନଭଣ୍ଡାରକୁ ଖୋଲିଦେଇ ବାଃ ବାଃ ଚକରରେ ରହିଛନ୍ତି ମୋହନ ସରକାର । ପୁରୀରୁ ରଞ୍ଡିତ୍ ମିଶ୍ରଙ୍କ ରିପୋର୍ଟ ୟୁବିସି ଓଡିଆ ।