ମହାକାଶରେ ଜିନିଆଫୁଲ
ନୂଆଦିଲ୍ଲୀ : ଆଗକୁ ମଙ୍ଗଳଗ୍ରହ ବା ପୃଥିବୀ ବାହାରେ ଅନ୍ୟାନ୍ୟ ସ୍ଥାନକୁ ମହାକାଶ ଯାତ୍ରା ନିମନ୍ତେ ମହାକାଶଚାରୀମାନଙ୍କୁ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ । ତାହାକୁ ଦୃଷ୍ଟିରେ ରଖି ମହାକାଶ ଗବେଷକ ମାନେ ଅନ୍ତରୀକ୍ଷରେ ଉଦ୍ଭିଦ ବିକଶିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ବୈଜ୍ଞାନିକ ମାନେ ଉଦ୍ଭିଦର ସ୍ଥିତି ସମ୍ପର୍କରେ ୧୯୭୦ ଦଶକରୁ ପରୀକ୍ଷା ନିରୀକ୍ଷା ଚଲାଇ ଆସୁଛନ୍ତି । ନାସା ପକ୍ଷରୁ ୨୦୧୫ ମସିହାରେ ମହାଶୂନ୍ୟରେ ପୃଥିବୀ ଚାରିପଟେ ଘୂରୁଥିବା ଆର୍ନ୍ତଜାତିକ ମହାକାଶ କେନ୍ଦ୍ରରେ ଫୁଲଗଛ ଲଗାଇବା ଆରମ୍ଭ ହୋଇଥିଲା । ଏହାର ସୁଫଳ ମିଳିଥିବା ଏବେ ଜଣାଯାଇଛି । ସେଠାରେ ଫୁଟୁଥିବା ଜିନିଆଫୁଲର ଚିତ୍ର ନାସା ନିକଟରେ ପ୍ରକାଶ ପାଇଛି ।
ମହାକାଶରେ ବଗିଚା ଗବେଷଣାରେ ଅଂଶବିଶେଷ ଏହି ଜିନିଆ ଫୁଲ କେବଳ ପ୍ରଦର୍ଶନୀ ପାଇଁ ନୁହେଁ , ବରଂ ପୃଥିବୀ ବାହାରେ କିପରି ଉଦ୍ଭିଦ ବଢାଯାଇପାରିବ , ସେ ସଂକ୍ରାନ୍ତଜ୍ଞାନ ଆହୋରଣ ପାଇଁ ତାହା ସହାୟକ ହେବ । ଏହା ଦ୍ୱାରା ଚନ୍ଦ୍ର, ମଙ୍ଗଳ ପରି ପୃଥିବୀ ବାହାରକୁ ଦୀର୍ଘମିଆଦୀ ମହାକାଶ ଯାତ୍ରା ବେଳେ ମହାକାଶଚାରୀଙ୍କୁ ସଜ ଫଳମୂଳ ଯୋଗାଇବାରେ ମୂଲ୍ୟବାନ ଉତ୍ସ ମିଳିପାରିବ ।
ନାସା ମହାକାଶଚାରୀମାନେ ମଧ୍ୟ ପୂର୍ବରୁ ଆର୍ନ୍ତଜାତିକ ମହାକାଶ କେନ୍ଦ୍ରରେ ଟମାଟୋ, ବନ୍ଧାକୋବି ଓ କଂଚାଲଙ୍କା ଆଦି ବଢାଇବା ସହ ଆଗକୁ ଆହୁରି ଅନେକ ଉଦ୍ଭିଦ ବିକଶିତ କରିବାରେ କାର୍ଯ୍ୟକ୍ରମ ରହିଛି । ମହାକାଶରେ ନଗଣ୍ୟ ବା ଶୂନ ମାଧ୍ୟାକର୍ଷଣ ବଳ ପରିବେଶରେ କିପରି ଏକ ସ୍ୱୟଂକ୍ରିୟା ବଗିଚା ସୃଷ୍ଟି କରିହେବ ସେ ବାବଦରେ ଏହି ଜିନିଆ ଫୁଲ ଫୁଟିବା ଘଟଣା ମହାକାଶଚାରୀଙ୍କୁ ଅଧିକଜ୍ଞାନ ଯୋଗାଇବା ବୋଲି ନାସା କହିଛି ।