ବର୍ଷା ଦିନରେ ପିଲାମାନଙ୍କର ରୋଗ ଓ ପ୍ରତିକାର
ଭୁବନେଶ୍ୱର: ବର୍ଷା ଋତୁ ଆରମ୍ଭ ହେଲେ ବିଶେଷତଃ ଭୂତାଣୁମାନଙ୍କର ପ୍ରାଦୁର୍ଭାବ ବେଶି ଦେଖାଯାଏ ଓ ପିଲାମାନଙ୍କର ସାଧାରଣ ଥଣ୍ଡା, ଜ୍ବର, ଇନ୍ଫ୍ଲୁଏଞ୍ଜା ଓ ତରଳ ଝାଡ଼ାର ମୁଖ୍ୟ କାରଣ ହୋଇଥାଆନ୍ତି। ଡାକ୍ତରଖାନାମାନଙ୍କରେ ଶିଶୁରୋଗୀ ସଂଖ୍ୟା ବୃଦ୍ଧି ପାଇବା ଆରମ୍ଭ ହୋଇଗଲାଣି। ଚାରିଆଡ଼େ ପାଣି ଗୋଳିଆ ହୋଇ ଦୂଷିତ ହୁଏ। ରନ୍ଧା ଖାଦ୍ୟ ମଧ୍ୟ ଶୀଘ୍ର ବାସି ହୋଇଯାଏ। ତେଣୁ ଏହି ଦୂଷିତ ଖାଦ୍ୟ ଓ ପାନୀୟ ବ୍ୟବହାର ଦ୍ବାରା ଆନ୍ତ୍ରିକ ଜ୍ବର, ଭୂତାଣୁ ଜନିତ କାମଳ ରୋଗ ଓ ଫୁଡ ପଏଜନିଙ୍ଗ ରୋଗ ହୋଇଥାଏ।
ମଶା, ମାଛିଙ୍କର ବୃଦ୍ଧି ହୋଇଥାଏ। ଏମାନେ ମ୍ୟାଲେରିଆ, ଡେଙ୍ଗୁ ଓ ଆମାଶୟ ରୋଗର ଜୀବାଣୁବାହିତ କରିଥାଆନ୍ତି। ଛୋଟ ଛୋଟ ପିଲା ଏକତ୍ର ହେଉଥିବା ପ୍ଲେ ସ୍କୁଲ ଓ ଅନ୍ୟାନ୍ୟ ସ୍କୁଲରେ ଭୂତାଣୁଜନିତ ରୋଗ ସହଜରେ ବ୍ୟାପିଥାଏ। ବର୍ଷା ହେତୁ ପିଲା ଓ ବଡ଼ ଲୋକମାନେ ଗୃହବନ୍ଦୀ ହୋଇ ରହିବାରୁ ରୋଗ ସଂକ୍ରମଣ ଶୀଘ୍ର ହୋଇଥାଏ। ସର୍ବୋପରି ଅଳ୍ପ ବୟସ୍କ, ଅପପୃଷ୍ଟି ପ୍ରପିଡ଼ିତ ଓ ଦୀର୍ଘ କାଳ ରୋଗାକ୍ରାନ୍ତ ଶିଶୁମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ହେତୁ ସେମାନେ ବେଶି ଆକ୍ରାନ୍ତ ହୁଅନ୍ତି ।
ସାଧାରଣ ଥଣ୍ଡା, ଜ୍ବର ୫ ବର୍ଷର କମ୍ ପିଲା ଓ ସ୍କୁଲ ପିଲାମାନଙ୍କୁ ବାରମ୍ବାର ହୋଇଥାଏ। ଏଥିରେ ହଠାତ୍ ନାକ, ଆଖିରୁ ପାଣି ବୁହେ, ଝିଙ୍କ ହୁଏ, କାନ ବିନ୍ଧେ, କାଶ ହୁଏ ଓ ଜ୍ବର ଅଳ୍ପ ବା ଅଧିକ ହୋଇଥାଏ। ଆକ୍ରାନ୍ତ ପିଲାଟି ଖାଇବା ଛାଡ଼ିଦିଏ, ବାନ୍ତି ହୋଇପାରେ ଓ ସେ ବ୍ୟତିବ୍ୟସ୍ତ ହୁଏ। କିନ୍ତୁ ଏହା ଧୀରେ ଧୀରେ କମିଯାଇ ୬ରୁ ୭ ଦିନ ଭିତରେ ଠିକ୍ ହୋଇଯାଏ।
ଇନ୍ଫ୍ଲୁଏଞ୍ଜା ମଧ୍ୟ ଏହିପରି ଭାବରେ ଆରମ୍ଭ ହୋଇ ବେଶି ଜ୍ବର ଓ କମ୍ପ ହୋଇପାରେ। ଦେହ, ହାତ ବିନ୍ଧା ଘୋଳା ହୁଏ। ମୁଣ୍ଡ ବିନ୍ଧେ ଓ ଦେହ ଦୁର୍ବଳ ଲାଗେ। କିନ୍ତୁ ଏଥିରେ ନାକ ବନ୍ଦ ହେବା ଓ ଛିଙ୍କ କମ ହୋଇଥାଏ। ଏହା ବେଶି ହେଲେ ନିମୋନିଆ ହୋଇ ରୋଗୀ ଗୁରୁତର ହୋଇଥାଏ।
ବର୍ଷାରେ ତିନ୍ତିବା, ନଈ, ପୋଖରୀରେ ଗୋଧୋଇବା ଅନୁଚିତ। ଅଧିକାଂଶ ସ୍ଥଳରେ ଜ୍ବର ଓ ବିନ୍ଧା ଘୋଳା ପାଇଁ ପାରାସିଟାମୋଲ ଓ କାଶ ପାଇଁ ସାଧାରଣତଃ କଫ୍ସିରପ୍ ଦିଆଯାଇପାରେ। ଅଧିକାଂଶ କ୍ଷେତ୍ରରେ ଆଣ୍ଟିବାୟୋଟିକ୍ ଆବଶ୍ୟକ ହୋଇନଥାଏ। ବରଂ ସବୁ କ୍ଷେତ୍ରରେ ଏହାର ବ୍ୟବହାର କ୍ଷତିକାରକ ହୋଇଥାଏ। ଜ୍ବର ବେଶି ଦିନ ଲାଗି ରହିଲେ ବା ଶ୍ବାସ, ପ୍ରଶ୍ବାସ ଘନ ଘନ ହେଲେ ନିମୋନିଆ ହୋଇଥିବାର ସମ୍ଭାବନା କରି ସ୍ବାସ୍ଥ୍ୟକେନ୍ଦ୍ର ବା ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ଜରୁରୀ।
ଇନ୍ଫ୍ଲୁଏଞ୍ଜା (ଫ୍ଲୁ) ପାଇଁ ପ୍ରତିଷେଧକ ଟିକା ଉପଲବ୍ଧ। ଏହା ୬ ମାସରୁ ଆରମ୍ଭ କରି ପ୍ରଥମେ ଦୁଇଟି ମାତ୍ରା ଓ ତା’ ପରେ ବର୍ଷକୁ ବର୍ଷ ଗୋଟିଏ ମାତ୍ରା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେବା ଜରୁରୀ। ସରକାରୀ ସ୍ତରରେ ମାଗଣାରେ ଏହା ଉପଲବ୍ଧ ହୋଇପାରେ ନାହିଁ।
ସାଧାରଣତଃ ଏହା ରୋଟାଭାଇରସ୍ ବା ଅନ୍ୟାନ୍ୟ ଭୂତାଣୁଜନିତ ହୋଇଥାଏ। ପାଞ୍ଚବର୍ଷରୁ କମ୍ ଶିଶୁମାନେ ଏଥିରେ ବେଶି ଆକ୍ରାନ୍ତ ହୁଅନ୍ତି। ବାରମ୍ବାର ତରଳ ଝାଡ଼ା ଓ ବାନ୍ତି ହୁଏ। ସାମାନ୍ୟ ଜ୍ବର ହୋଇପାରେ। ବେଶି ଦିନ ବା ବେଶି ପରିମାଣରେ ଝାଡ଼ା ହେଲେ ଶରୀରରେ ଲବଣ ଓ ଜଳ ଶୁଷ୍କତା ହୋଇଥାଏ। ଏହାର ଆରମ୍ଭ ଅବସ୍ଥାରେ ପିଲାଟିକୁ ଶୋଷ ହୁଏ। ସେ ବ୍ୟତିବ୍ୟସ୍ତ ହୁଏ। ପରିସ୍ରା ଦିନରେ ଛଅ ଥରରୁ କମିଯାଏ। ଅଧିକ ଜଟିଳ ହେଲେ ପିଲାଟି ଖାଇବା, ପିଇବା ଛାଡ଼ିଦିଏ। ପରିସ୍ରା ବନ୍ଦ ହୋଇଯାଏ ଓ ଅବଶେଷରେ ପିଲାଟିକୁ ବାତମାରେ ଓ ସେ ଅଚେତ ହୋଇ ମୃତ୍ୟୁମୁଖରେ ପଡ଼େ। ପ୍ରତିବର୍ଷ ପୃଥିବୀରେ ସାଢ଼େ ପାଞ୍ଚ ଲକ୍ଷ ୫ ବର୍ଷରୁ କମ୍ ଶିଶୁ ମୃତ୍ୟୁବରଣ କରନ୍ତି।
ଶିଶୁଟିର ଖାଦ୍ୟ ତିଆରି କରିବା ସମୟରେ ମା’ମାନେ ହାତ ଧୋଇ, ପରିଷ୍କାର ପାତ୍ର ଓ ବିଶୁଦ୍ଧ ଜଳ ବ୍ୟବହାର କରି ଖାଦ୍ୟକୁ ଘୋଡ଼ାଇ ରଖିବା ଉଚିତ। ରହିଯାଇଥିବା ଖାଦ୍ୟ ପିଲାମାନଙ୍କୁ ନ ଦେବା ଉଚିତ। ଏହା ଭୂତାଣୁଜନିତ ହୋଇଥିବାରୁ ଏହା ବିରୋଧରେ ଆଣ୍ଟିବାୟୋଟିକ୍ ନାହିଁ ବରଂ ଏହାର ବହୁଳ ବ୍ୟବହାର ଦ୍ବାରା ଦେହରେ ଥିବା ରକ୍ଷାକାରୀ ଜୀବାଣୁ ନଷ୍ଟ ହୋଇ ପ୍ରତିରୋଧକ ଶକ୍ତି କମିଯାଏ।