ପୁରୀରୁ ତଡ଼ା ହେବେ ବାଂଲାଦେଶୀ | ଆକ୍ସନ ମୋଡ଼ରେ ପୁରୀ ପ୍ରଶାସନ, ରାଜ୍ୟରେ ହଜାର ହଜାର ଅନୁପ୍ରବେଶକାରୀ, ଦାୟୀ କିଏ ?
ଅନୁପ୍ରବେଶକାରୀଙ୍କୁ ବିଦା କରିବା ପାଇଁ ଆକ୍ସନ ମୋଡ଼ରେ ପୁରୀ ପ୍ରଶାସନ । ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଏସପି ଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ତହସିଲ,ବ୍ଲକ, ଥାନା ସ୍ତରରେ ଗଠନ ହେବ କମିଟି । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଭୁବନେଶ୍ବର,କେନ୍ଦ୍ରାପଡା ଓ ପୁରୀରେ ଥିବା ଅନୁପ୍ରବେଶ କାରୀଙ୍କୁ ଚିହ୍ନଟ କରିବାକୁ ଦିଆଯାଇଛି ଅର୍ଡର୍ । ତେବେ ଉପକୂଳ ଶ୍ରୀକ୍ଷେତ୍ରରେ ଅନୁପ୍ରବେଶ ବଢିବାର ସବୁବେଳେ ସୁଯୋଗ ଥାଏ ।ମୁକୁଳା ଉପକୂଳ ଦେଇଥାଏ ଅନୁପ୍ରବେଶକାରୀ ଙ୍କୁ ସୁଯୋଗ। ବେଳାଭୂମି ଠାରୁ ଆରମ୍ଭ କରି ବଡ଼ଦାଣ୍ଡ କୁ ସାହାରା କରି ଚାଲି ଆସନ୍ତି ଅନେକ ବହିରାଗତ ।ସେଥିରୁ କିଏ ବାଂଲାଦେଶୀ ,କିଏ ଭାରତୀୟ ଚିହ୍ନିବା ମୁସ୍କିଲ ।ବେପାର ପାଇଁ ଏମାନେ ସୁଦୀର୍ଘ ବେଳାଭୂମି ଓ ବଡ଼ଦାଣ୍ଡରେ ପସରା ମେଲାଉଥିବା ବେଳେ ଏମାନଙ୍କୁ ଚିହ୍ନଟ ପାଇଁ ନାହିଁ କୌଣସି ବ୍ୟବସ୍ଥା । ପ୍ରଶାସନ ପାଖରେ ଅନେକ ସମୟରେ ଏମାନଙ୍କ ତଥ୍ୟ ନ ଥାଏ ।ତେବେ ଯେଉଁଠାରେ ଶ୍ରୀମନ୍ଦିରର ଅବସ୍ଥାନ ରହିଛି ଓ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ରହିଛି ,ସେଠାରେ ଅନଧିକୃତ ବା ବିନା ପ୍ରମାଣପତ୍ର ବା ଭିସା ନ ଥିବା ବିଦେଶୀଙ୍କୁ ବାରଣ କରିବାର ରହିଛି ଆବଶ୍ୟକତା ।ତେଣୁ ଏମାନଙ୍କୁ ଚିହ୍ନଟ କରିବା ସହ ଉଚିତ୍ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଗବେଷକ ଓ ବୁଦ୍ଧିଜୀବୀ ।
ସେପଟେ ସରକାରଙ୍କ ପରେ ସାରା ଜିଲ୍ଲାରେ ଆକ୍ସନ ମୋଡ଼ ରେ ରହିଛନ୍ତି ଜିଲ୍ଲାପାଳ ଓ ଏସପି ।ଏଥିରୁ ପୁରୀ ବି ବାଦ୍ ପଡିନି ।ବିଭିନ୍ନ ସ୍ଥାନରୁ ଆସି କିଏ ବସ୍ତିରେ ତ ଆଉ କିଏ ରେଳ ଷ୍ଟେସନ, କିଏ ଜରି ଗୋଟାଉଛି, ତ କିଏ ଖୋଲା ଆକାଶ ତଳେ ରହି ଚଳାଉଛି କାରବାର । ବର୍ଷ ବର୍ଷ ଧରି ସହରର ବିଭିନ୍ନ ସ୍ଥାନରେ ରହି ନିଜର କାୟା ବିସ୍ତାର କରିସାରିଲେଣି ବହିରାଗତ। ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ରହିବା ଆଉ ପରେ ଜାଗା ହଡ଼ପ କରିବା, ରାତିରେ ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା, ବିଭିନ୍ନ ଅପରାଧ ଭିଆଇବା ଭଳି ଅପରାଧିକ କାର୍ଯ୍ୟରେ ଏମାନଙ୍କ ନାଁ ଆଗରେ।ଭୋଟ ବ୍ୟାଙ୍କ ପଲିଟିକ୍ସ କରିବାକୁ ଏମାନଙ୍କୁ ସୁରକ୍ଷା ଦେବାପାଇଁ ଏମାନଙ୍କୁ ଅନେକ ଆଗେଇ ଆସିଥିବା ବେଳେ ଏବେ କିନ୍ତୁ ଏମାନଙ୍କୁ ଆଉ ନିସ୍ତାର ନାହିଁ। କିଏ ବାଂଲାଦେଶୀ କିଏ ଭାରତୀୟ ଚିହ୍ନଟ କରିବା ପାଇଁ ଏବେ ଅଣ୍ଟା ଭିଡିବ ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲାପାଳ କହିଛନ୍ତି ,ସମସ୍ତ ମେରାଇନ ଥାନା ଏବେ ସମ୍ପୁର୍ଣ୍ଣ ଆକ୍ସନ ମୋଡ଼ ରେ ରହିଛନ୍ତି । ସେମାନଙ୍କର ପେଟ୍ରଲିଂ ଫ୍ରୀକ୍ୱେନ୍ସି ବଢାଇ ଦିଆଯାଇଥିବା ବେଳେ ସମସ୍ତେ ସଜାଗ ରହିଛନ୍ତି ।ଯେହେତୁ ଉପକୂଳ ସୁରକ୍ଷାର ଆଉଟର ଲେୟାରରେ ନାଭି ଓ ଇନ୍ନର ଲେୟାର ରେ କୋଷ୍ଟ ଗାର୍ଡ ରହିଥାନ୍ତି ତେଣୁ କୋଷ୍ଟ ଗାର୍ଡ ମାନଙ୍କ ସହ ନୀୟମିତ ସମ୍ପର୍କରେ ରହି ପେଟ୍ରୋଲିଂ କରୁଛି ମେରାଇନ ପୋଲିସ । ତେବେ ବିଭାଗୀୟ ନିର୍ଦ୍ଦେଶ ପରେ ଚିହ୍ନଟ ବା ଅନ୍ୟାନ୍ୟ ଆକ୍ସନ ନେବା ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ।
ତେବେ ବରଗଡରେ- ୨, ଭଦ୍ରକରେ-୧୯୯, କେନ୍ଦ୍ରାପଡ଼ାରେ-୧୬୪୯, ଭୁବନେଶ୍ଵରରେ-୧୭, ଜଗତସିଂପୁର-୧୧୧୨. ମାଲକାନଗିରିରେ -୬୫୫ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ ବାଂଲାଦେଶୀ ବସବାସ କରୁଥିବା ତଥ୍ୟ ରହିଥିବା ବେଳେ ପୁରୀରେ ଏହାର କୌଣସି ତଥ୍ୟ ନାହିଁ । ତେଣୁ ପୁରୀରେ ବୁଲୁଥିବା ବିଭିନ୍ନ ବଞ୍ଜାରା ମାନଙ୍କୁ ଚିହ୍ନଟ କରାଗଲେ ପ୍ରକୃତ ତଥ୍ୟ ସାମନାକୁ ଆସିବ।