ଫୋକସରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ

ଫୋକସରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ

ଫୋକସରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ
ରାଉଲକେଲା: ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦିବାସୀ ନେତା ଜର୍ଜ ତର୍କୀ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଦୁଇଥର ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା, ଥରେ ସ୍ୱାଧୀନ ଓ ଗତଥର ୨୦୧୪ ନିର୍ବାଚନରେ ସେ ସମତାକ୍ରାନ୍ତି ଦଳର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜ୍ୟରେ ଜେଏମ୍ଏମ୍ ଓ ସମତାକ୍ରାନ୍ତି ଦଳକୁ ସକ୍ରିୟ କରିବା ସହ ନିଜ ଦମ୍ରେ ଜର୍ଜ ସବୁ ନିର୍ବାଚନ ଜିତିଛନ୍ତି । କଂଗ୍ରେସ ଦଳରେ ଯୋଗ ଦେବା ପରେ ଏଥର ନିର୍ବାଚନରେ ଜର୍ଜ ବୀରମିତ୍ରପୁର ବିଧାନସଭା କ୍ଷେତ୍ର ଛାଡି ସୁନ୍ଦରଗଡ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ପ୍ରଚାର ଚାଲିଛି । ଯଦି ଜର୍ଜ ଲୋକସଭା ଟିକେଟ ପାଇବେ, ତେବେ ବୀରମିତ୍ରପୁର ଲୋକସଭା ଆସନ ପାଇଁ ସେ କାହାକୁ ନିଜର ଉତରାଧିକାରୀ ବାଛିବେ ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୨୦୧୪ରେ ଜର୍ଜ ତର୍କୀ ସମତାକ୍ରାନ୍ତି ଦଳରୁ ନିର୍ବାଚନ ଲଢ଼ି ୪୬,୧୧୪ ଖଣ୍ଡ ଭୋଟ ପାଇଥିଲେ । ତାଙ୍କର ପ୍ରତିଦ୍ୱନ୍ଦୀ ବିଜେପିର ଶଙ୍କର ଓରାମକୁ ୩୪,୧୬୭ ଖଣ୍ଡ, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ସେଭିଆନ ଆଇନ୍ଦଙ୍କୁ ୨୭,୮୪୯ ଖଣ୍ଡ, ବିଜେଡିକୁ ମାଗଦାଲି କାଙ୍କାଡିଙ୍କୁ ୨୫,୧୫୮ଖଣ୍ଡ ଏବଂ କଂଗ୍ରେସ ଦଳର ରାଜେଶ କେର୍କେଟାଙ୍କୁ ୧୩ ହଜାର ୬ ଖଣ୍ଡ ଭୋଟ ମିଳିଥିଲା । ରାଜ୍ୟରେ ବିଜେଡି ହାୱା ବହୁଥିବା ବେଳେ ଏହି ବିଧାନ ସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥିନୀ ୩ ନମ୍ବରରେ ରହିଥିଲେ । ୨୦୦୯ ନିର୍ବାଚନ ସହିତ ୨୦୧୪ ନିର୍ବାଚନକୁ ତୁଳନା କଲେ ବିଜେପି ପରାଜିତ ହୋଇଥିଲେ ବି ଖୁବ୍ ଭଲ ପ୍ରଦର୍ଶନ କରିଥିଲା । ପୂର୍ବାପେକ୍ଷା ବିଜେପି ୧୦.୭୮ ପ୍ରତିଶତ ଅଧିକ ଭୋଟ ପାଇଥିବା ବେଳେ ଜେଏମ୍ଏମ୍, ବିଜେଡି ଓ କଂଗ୍ରେସରେ ଭୋଟ ହାର କମିଥିଲା । ୧୯୯୦ ମସିହାରେ ଏହି ଆସନରୁ ଜନତା ଦଳର ସତ୍ୟ ନାରାୟଣ ପ୍ରଧାନ ବିଜୟ ହୋଇଥିଲେ । ତାଙ୍କ ପରେ ଏହି ନିର୍ବାଚନ ମଣ୍ଡଳୀ ଜର୍ଜ ତର୍କୀଙ୍କ କବଜାରେ ରହିଛି । ତେଣୁ କଂଗ୍ରେସ ପ୍ରାର୍ଥୀ ଉପରେ ସମସ୍ତଙ୍କ ନଜର । ଗତ ବିଧାନ ସଭା ନିର୍ବାଚନରେ ଏହି ଆସନରେ ବିଜେଡି ଶୋଚନୀୟ ପରାଜିତ ହୋଇଥିଲେ ମଧ୍ୟ ପଚାଂୟତ ନିର୍ବାଚନ ଫଳାଫଳ ଦଳକୁ ଉତ୍ସାହିତ କରିଛି । ଏହି ନିର୍ବାଚନ ମଣ୍ଡଳୀରେ ୬ଟି ଜିଲ୍ଲା ପରିଷଦ ଆସନରୁ ବିଜୁ ଜନତା ଦଳ ୪ଟି ବିଜୟ ହୋଇଥିଲା । ବିଜେଡି ଏଠାରେ ସଂଗଠନକୁ ସୁଦୃଢ଼ କରିଛି । କିନ୍ତୁ ଏଠାରେ ଟିକେଟ ପାଇଁ ଅନେକ ଆଶାୟୀ । ଟିକେଟ ଦୌଡରେ ସୁନ୍ଦରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମ୍ମାଏକ୍କା, କୁଆର ମୁଣ୍ଡା ଲ୍ୟାମ୍ପ୍ସ ଏମଡି ଋଣଜିତ ଲାକ୍ରା, ନୂଆ ବ୍ଲକ୍ ଅଧ୍ୟକ୍ଷ ମକୁଲ ଏକ୍କା, ପୂର୍ବତନ ବିଧାୟକ ନିହାର ସୁରିନ ଓ କୁଆରମୁଣ୍ଡା ବ୍ଲକ୍ ବିଜେଡି ସଭାପତି ରାଜେନ୍ଦ୍ର କୁଜୁର ନାମ ଶୁଣିବାକୁ ମିଳୁଛି । ଜର୍ଜ ତିର୍କୀଙ୍କୁ ଟଙ୍କର ଦେବା ପାଇଁ ଦଳ ଜଣେ ଟାଣୁଆ ନେତାଙ୍କ ତଲାସରେ ଅଛି । ଯଦି ଏହି ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କୁ ଟିକେଟ ନମିଳେ ତେବେ ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କୀଙ୍କ କଥା ବିଚାର କରାଯାଇପାରେ ।