ରହସ୍ୟ ଘେରରେ ରହିଗଲା କୁନ୍ଦୁଲି ମାମଲା
ରହସ୍ୟ ଘେରରେ ରହିଗଲା କୁନ୍ଦୁଲି ମାମଲା
admin
Aug 4, 2019 - 07:27
Updated: Aug 4, 2019 - 07:27
ଯୌନ ନିର୍ଯ୍ୟାତନା ଅଭିଯୋଗ ମିଛ
ଭୁବନେଶ୍ୱର : ବହୁଚର୍ଚ୍ଚିତ କୁନ୍ଦୁଲି ମାମଲାର ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି । ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କମିଶନ ଦର୍ଶାଇଛନ୍ତି । ତେବେ ଏହି ମିଥ୍ୟା ଅଭିଯୋଗ କାହିଁକି ହୋଇଥିଲା ତାହା ରହସ୍ୟ ଘେରରେ ରହିଯାଇଛି । ଅଧିକ ତଦନ୍ତ କରାଗଲେହିଁ ଏହାର ରହସ୍ୟ ଜଣାପଡ଼ିବ ବୋଲି କମିଶନ ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଏହି ଅବକାଶରେ କମିଶନ ରାଜ୍ୟ ସରକାରଙ୍କୁ କେତେକ ସୁପାରିଶ ମଧ୍ୟ କରିଛନ୍ତି ।
ରିପୋର୍ଟରେ ଉଲ୍ଳେଖ କରାଯାଇଛିଯେ, ଅଭିଯୋଗ ଅନୁଯାୟୀ୨୦୧୭ ଅକ୍ଟୋବର ୧୦ରେ ପୀଡ଼ିତା ଫଟୋ ଉଠାଇବାକୁ କୁନ୍ଦୁଲି ବଜାରକୁ ଯାଇଥିଲା । ତେବେ ସେ ଫେରିବା ବେଳେ ଦିନ ପ୍ରାୟ ସାଢେ଼ ୧୦ଟାରେ ତାଙ୍କୁ ମୁସାଗୁଡ଼ା ଠାରେ ସବୁଜ ୟୂନିଫର୍ମ ଓ କ୍ୟାପ ପିନ୍ଧିଥିବା ୪ ଜଣ ଅଜଣା ବ୍ୟକ୍ତି ଜଙ୍ଗଲ ଭିତରକୁ ନେଇ ଯାଇଥିଲେ । ତାଙ୍କୁ ସେଠାରେ ଗଣଦୁଷ୍କର୍ମ କରାଯାଇଥିଲା । ପରେ ପୀଡ଼ିତା ନିଜ ଘର ଲୋକଙ୍କୁ ଜଣାଇଥିଲେ । ତାଙ୍କ ତଳିପେଟରେ ଦରଜ ହେଉଥିବାରୁ ତାଙ୍କୁ କୁନ୍ଦୁଲି ସିଏଚସି ଓ ପରେ କୋରାପୁଟ ଜିଲ୍ଳା ହସପିଟାଲରେ ଭର୍ତି କରାଯାଇଥିଲା । ତେବେ ଏହି ମାମଲାର ତଦନ୍ତ ଚାଲିଥିବାବେଳେ ୨୦୧୮ ଜାନୁଆରୀ ୨୨ରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ ।
ଏହି ମାମଲାର ତଦନ୍ତ ପାଇଁ କୋରାପୁଟ ଜିଲ୍ଲା ଏବଂ ସେସନସ ଜଜ ବିଦୁ୍ୟତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ କରାଯାଇଥିଲା । କମିଶନ ୧୫ ଜଣ ସରକାରୀ ଅଧିକାରୀଙ୍କ ସାକ୍ଷ୍ୟଗ୍ରହଣ କରିଥିଲେ । ପୀଡ଼ିତାଙ୍କ ପରିବାରର ୪ ଜଣଙ୍କର ସାକ୍ଷୀ ମଧ୍ୟ କମିଶନ ନେଇଥିଲେ । ସାକ୍ଷ୍ୟ ପ୍ରମାଣ ନେବା ପରେ କମିଶନ ଉଲ୍ଲେଖ କରିଛନ୍ତିଯେ, ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିଲେ । ତାଙ୍କୁ ୪ ଜଣ ଗଣଦୁଷ୍କର୍ମ କରିଛନ୍ତି ବୋଲି ପୀଡ଼ିତା କହିଥିଲେବି ଡାକ୍ତରୀ ରିପୋର୍ଟରେ ସେଭଳି ହୋଇନଥିବା ଦର୍ଶାଯାଇଥିଲା । ଫୋରେନସିକ ପରୀକ୍ଷଣ ଦ୍ୱାରା ମଧ୍ୟ କିଛି ତଥ୍ୟ ପ୍ରମାଣ ମିଳିନଥିଲା । ଫଳରେ ପୀଡ଼ିତାଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ମିଥ୍ୟା ବୋଲି କମିଶନ ହୃଦବୋଧ କରିଛନ୍ତି ।
ପୀଡ଼ିତାଙ୍କ ଅନ୍ୟ ଏକ ଅଭିଯୋଗ ଥିଲା କୋବ୍ରା ପୁଲିସ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଏନେଇ ତଦନ୍ତ ମଧ୍ୟ କରାଯାଇଥିଲା । କୋବ୍ରା ପୁଲିସର ଡେପୁଟି କମାଣ୍ଡାଂଟଙ୍କ ସାକ୍ଷ୍ୟ ମଧ୍ୟ ଗ୍ରହଣ କରାଯାଇଥିଲା । ତେବେ ସେଦିନ କୌଣସି ଟିମକୁ ଅପରେସନ ପାଇଁ ପଠାଯାଇନଥିଲା । ସେଦିନ କୋବ୍ରା ପୁଲିସର ୪ ଜଣ ବ୍ୟକ୍ତି ଭିନ୍ନ ଭିନ୍ନ ସମୟରେ ବାହାରକୁ ଆସିଥିଲେ । ବ୍ୟାଙ୍କ, ଜର୍ସି ଫାର୍ମ, ହାଲ ଭଳି ଭିନ୍ନଭିନ୍ନ କାର୍ଯ୍ୟରେ ସେମାନଙ୍କୁ ପଠାଯାଇଥିଲା । ଅପରେସନ ନଥିବାରୁ ସେମାନେ ବିନା ୟୂନିଫର୍ମରେ ହିଁ ଯାଇଥିଲେ । ତେବେ ସେମାନେ ୧୧ଟାରୁ ୧ଟା ୪୦ରେ ହିଁ ଯାଇଥିଲେ । କୋବ୍ରା ପୁଲିସର ସମସ୍ତ ରେଜିଷ୍ଟର ମଧ୍ୟ ଯାଂଚ କରାଯାଇଥିଲା । ସେହିପରି କୋବ୍ରା ପୁଲିସଙ୍କୁ ଦେଖିଥିବା ସମ୍ପର୍କରେ ମଧ୍ୟ ସ୍ଥାନୀୟ ଅଂଚଳର କୌଣସି ଲୋକ କହିନଥିଲେ । ଘଟଣା ଦିନ କୋବ୍ରା ପୁଲିସ, ବିଏସଏଫ, ଡିଭଏଫର କୌଣସି ପୁଲିସ ଅପରେସନରେ ନିୟୋଜିତ ନଥିବାରୁ ଏହି ଅଭିଯୋଗକୁ ମିଥ୍ୟା ବୋଲି କମିଶନ ଦର୍ଶାଇଛନ୍ତି ।
ସରକାରୀ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପ୍ରକୃତ କାରଣ ଜାଣିବା ପାଇଁ ବହୁ ଉଦ୍ୟମ କରିଥିବା କମିଶନ ହୃଦବୋଧ କରିଛନ୍ତି । ଅପରପକ୍ଷରେ କମିଶନ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପରୋକ୍ଷରେ ଦାୟୀ କରିଛନ୍ତି । ରାଜନୈତିକ ବ୍ୟକ୍ତି ଓ ଗଣମାଧ୍ୟମଗୁଡ଼ିକ ପୀଡ଼ିତାର ମାନସିକ ସ୍ଥିତିକୁ ପ୍ରଭାବିତ କରିଛନ୍ତି ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି । ପୀଡ଼ିତାଙ୍କ ପରିବାର ତଦନ୍ତରେ ସନ୍ତୁଷ୍ଟ ନଥିଲେ । ସେମାନେ ତଦନ୍ତରେ ସହଯୋଗ ନକରି ତଦନ୍ତ ଅଧିକାରୀଙ୍କ ବିରୋଧରେ ଅଯଥା ଅଭିଯୋଗ ଆଣୁଥିଲେ ।
କମିଶନ ଉଲ୍ଲେଖ କରିଛନ୍ତିଯେ, ପ୍ରଶ୍ନ ଉଠିପାରେ ନାବାଳିକା ପୀଡ଼ିତା ମିଥ୍ୟା ଅଭିଯୋଗ କାହିଁକି ଆଣିଥିଲେ ? ତେବେ ଏହି ପ୍ରଶ୍ନର ଉତର ଏତେ ସହଜ ନୁହେଁ । ଏହା ପଛରେ ଅନେକ କାରଣ ଥାଇପାରେ । ଏହାର ଉତର କେବଳ ପୀଡ଼ିତା ହିଁ ଦେଇପାରିଥା’ନ୍ତେ । ପୀଡ଼ିତା ମୃତୁ୍ୟବରଣ କରିଥିବାରୁ ଏହା ରହସ୍ୟ ଘେରରେ ରହିଯାଇଛି ।