‘ପଙ୍ଗୁ ହୋଇଯାଇଛି ଶିକ୍ଷା ବ୍ୟବସ୍ଥା’

‘ପଙ୍ଗୁ ହୋଇଯାଇଛି ଶିକ୍ଷା ବ୍ୟବସ୍ଥା’

ଭୁବନେଶ୍ୱର : ରାଜ୍ୟରେ ଶିକ୍ଷାର ଭିତିଭୂମି ଭୁଷୁଡ଼ିଯାଇଛି । ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି । ଗୋଟିଏ ଗୋଟିଏ ଶ୍ରେଣୀଗୃହରେ ପାଂଚ ପାଂଚଟା କ୍ଲାସ ଚାଲିଛି । ପଂଚମ ଶ୍ରେଣୀ ପିଲାଙ୍କୁ ଦ୍ୱିତୀୟ ଶ୍ରେଣୀ ପାଠ ଆସୁନାହିଁ । ଝିଅ ପିଲାମାନଙ୍କ ପାଇଁ ଶୌଚାଳୟ ମଧ୍ୟ ନାହିଁ । ପାଠ ନୁହେଁ ଅଣ୍ଡା ଖାଇବାକୁ ପିଲା ସ୍କୁଲକୁ ଯାଉଛନ୍ତି । ଭୂତ ପିଲାଙ୍କ ନାମରେ ମଧ୍ୟାହ୍ନ ଭୋଜନ ଓ ୟୁନିଫର୍ମ ଟଙ୍କା ହରିଲୁଟ ହେଉଛି । ସେଇ ପୁରୁଣା ବ୍ରିଟିଶ ଢାଂଚାରେ ପାଠପଢ଼ା ଚାଲିଛି । ଫଳରେ ଆମ ଦେହ ଭାରତୀୟ ହୋଇଥିଲେ ବି ମନ କିନ୍ତୁ ବିଦେଶୀ ହୋଇଯାଇଛି । ରାଜ୍ୟର ସାମଗ୍ରୀକ ଶିକ୍ଷା ବ୍ୟବସ୍ଥା ପଙ୍ଗୁ ହୋଇଯାଇଛି । ଏଭଳି ଢଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ବିରୋଧୀଙ୍କ ସମାଲୋଚନାର ଉତର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଲେଯେ, ୨୦୦୧-୦୨ରେ ରାଜ୍ୟର ଶିକ୍ଷା ବଜେଟ ମାତ୍ର ୧୩୦୨ କୋଟି ଟଙ୍କା ଥିବାବେଳେ ଏବେ ତାହା ୧୬୪୯୭ କୋଟିରେ ପହଁଚିଛି । ଏବେ ବଜେଟର ୧୧.୨୭% ଅର୍ଥ ଶିକ୍ଷା ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି । ପାସ ଫେଲ ବ୍ୟବସ୍ଥା ଉଠି ଯାଇଥିବାରୁ ଯେଉଁ ସମସ୍ୟା ହେଉଥିଲା ଆଗକୁ ତାହା ହେବନାହିଁ । ୫ମ ଓ ୮ମରେ ରାଜ୍ୟସ୍ତରୀୟ ପରୀକ୍ଷା କରିବାକୁ ନିଷ୍ପତି ନିଆଯାଇଛି । ବେସରକାରୀ ସ୍କୁଲରେ ମାତ୍ର ୯% ପିଲା ପଢ଼ୁଥିବାବେଳେ ସରକାରୀ ସ୍କୁଲରେ ୯୧% ପିଲା ପାଠ ପଢ଼ୁଛନ୍ତି । ଶିକ୍ଷକ ସମସ୍ୟା ଦୂରୀଭୂତ କରିବା ପାଇଁ ସମସ୍ତ ବିଧାୟକଙ୍କର ଦାୟିତ୍ୱ ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ସେହିପରି ଶିକ୍ଷାବିତମାନଙ୍କୁ ନେଇ ଗଣଶିକ୍ଷା ଉପଦେଷ୍ଟା ପରିଷଦ ଗଠନ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଅପରପକ୍ଷରେ ଜିଲ୍ଲାପାଳମାନେ ପ୍ରସ୍ତାବ ଦେଲେ ପିଲାଭାବରୁ ଯେଉଁ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି ତାହା ଖୋଲଯାଇପାରିବ ବୋଲି ସେ କହିଥିଲେ । ମୁଲତବୀ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେଯେ, ଶିକ୍ଷା ଦ୍ୱାରା ହିଁ ଦେଶ ଓ ଜାତିର ପ୍ରଗତି ହୋଇପାରିବ । ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ିଗଲେ ଗୋଟିଏ ଜାତି ଭୁଷୁଡ଼ିଯିବ । ଭାରତର ଶିକ୍ଷା ବ୍ୟବସ୍ଥାକୁ ବ୍ରିଟିଶରମାନେ ହିଁ ଭୁଷୁଡ଼ାଇ ଦେଇଥିଲେ । ଆଜି ମଧ୍ୟ ସେଇ ବ୍ରିଟିଶ ଢାଂଚାରେ ଶିକ୍ଷାଦାନ ଚାଲିଛି । ଆମ ଦେହ ଭାରତୀୟ ହୋଇଥିଲେ ବି ମାନସିକତା ବିଦେଶୀ ହୋଇଯାଇଛି । ସରକାର କହୁଛନ୍ତି ଆମର ବଳକା ବଜେଟ । ଯଦି ବଳକା ବଜେଟ ଅଛି ତାହାକୁ ଶିକ୍ଷାର ବିକାଶ ପାଇଁ ଖର୍ଚ୍ଚ କରିବା ଦରକାର । ରାଜ୍ୟର ୯୫୭୧ ସ୍କୁଲରେ ମାତ୍ର ଗୋଟିଏ ଲେଖାଏଁ ଶ୍ରେଣୀଗୃହ ରହିଛି । ଶିକ୍ଷା ବିଭାଗରେ ୩୦୨୯୯ ପଦବୀ ଖାଲି ପଡ଼ିଛି । ଆସେର ରିପୋର୍ଟ ଅନୁଯାୟୀ, ୫ମ ଶ୍ରେଣୀ ପିଲାଙ୍କୁ ୨ୟ ଶ୍ରେଣୀ ପାଠ ଜଣାନାହିଁ । ଏମିତିକି ୫ମ ଶ୍ରେଣୀର ପିଲା ୧ରୁ ୧୦ ଯାଏଁ ସଂଖ୍ୟା ବି ଚିହ୍ନି ପାରୁନାହାନ୍ତି । ସରସ୍ୱତୀ ଶିଶୁ ମନ୍ଦିରରେ ଭଲ ପାଠପଢ଼ା ହେଉଛି ବୋଲି ଭଲ ଫଳାଫଳ ହେଉଛି । ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ୧୦ ସ୍ଥାନରେ ଏହି ବିଦ୍ୟାଳୟଗୁଡ଼ିକର ଅଧିକ ଛାତ୍ରଛାତ୍ରୀ ଥିବାରୁ ସରକାର ବେଷ୍ଟ ଟେନଥ ବ୍ୟବସ୍ଥା ବି ଉଠାଇଦେଲେ । ବିଧାୟକ ଓ ଅଫିସରଙ୍କ ପିଲା ସରକାରୀ ସ୍କୁଲରେ ପଢ଼ିବା ବାଧ୍ୟତାମୂଳକ କରାଯାଉ ବୋଲି ସେ ଦାବି କରିଥିଲେ । କେନ୍ଦୁଝର ଜିଲ୍ଲାପାଳଙ୍କ ଉଦାହରଣ ଦେଇ ସେ କହିଲେଯେ, ସର୍ବଶିକ୍ଷା ଅଭିଯାନର ଟଙ୍କା ଜିଲ୍ଲାପାଳଙ୍କ ଗାଡ଼ି ଖର୍ଚ୍ଚରେ ଅପବ୍ୟୟ କରାଯାଉଛି । ନିରକ୍ଷରତା ଯୋଗୁଁ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ମଧ୍ୟାହ୍ନଭୋଜନ ଟଙ୍କା ଲୁଟ କରାଯାଉଛି । ଭୂତ ପିଲାଙ୍କ ନାମରେ ୫୦ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ସେ ଅଭିଯୋଗ କରିଥିଲେ । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେଯେ, ରାସ୍ତା କଡ଼ରେ ଥିବା ସ୍କୁଲର ଶିକ୍ଷକମାନେ ପାଠ କମ ପଢ଼ାଉଛନ୍ତି । କେତେବେଳେ ବସରେ ଘରକୁ ଯିବେ ସେଇ କଥା ଭାବୁଛନ୍ତି । ୪୪୧ ସ୍କୁଲରେ ବାଳିକାମାନଙ୍କ ପାଇଁ ଟଏଲେଟ ବି ନାହିଁ । ବଲାଙ୍ଗୀର ଭଳି ବିଭିନ୍ନ ଜିଲ୍ଲାରେ ମଧ୍ୟାହ୍ନଭୋଜନର ଏକ ର୍ୟାକେଟ ଚାଲିଛି । କେତେକ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀ ଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ୁଛନ୍ତି । ଶିକ୍ଷକମାନେ ଗୋଟିଏ ସ୍କୁଲରେ ଦୀର୍ଘଦିନ ଧରି ରହିବା ପରେ ରାଜନୀତି କରୁଛନ୍ତି । ଦୀର୍ଘଦିନ ଧରି ରହିଥିବା ଶିକ୍ଷକମାନଙ୍କୁ ବଦଳି କରିବାକୁ ସେ ଦାବି କରିଥିଲେ । ଆଲୋଚନାରେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ବିଧାୟକ ମୁକେଶ ମହାଲିଙ୍ଗ, ତାରା ପ୍ରସାଦ ବାହିନୀପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଅପରପକ୍ଷରେ ଧ୍ୟାନ ଆକର୍ଷଣକାରୀ ନୋଟିସ ଜରିଆରେ ଶାସକ ଦଳ ବିଧାୟକ ମନୋହର ରାନ୍ଧାରୀ, ରଘୁରାମ ପଡ଼ାଲ, ଶ୍ରୀକାନ୍ତ ସାହୁ ଓ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ସରକାର ଗୁଣାତ୍ମକ ଶିକ୍ଷା ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଆଲୋଚନାର ଉତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଲେଯେ, ଭାରତ ସରକାରଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ଲାଗୁ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ଓଡ଼ିଶାରେ ୬ରୁ ୧୪ ବର୍ଷ ବୟସର ୫୬୩୩୬୯୦ ପିଲା ଥିବାବେଳେ ୫୬୨୩୪୭୪ ଜଣ ପିଲା ପାଠ ପଢ଼ୁଛନ୍ତି । ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଏହି ମୁକ୍ତ ବିଦ୍ୟାଳୟ ଜରିଆରେ ୩୨୯୩୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ୧ କିଲୋମିଟର ଭିତରେ ପ୍ରାଥମିକ ଓ ତିନି କିଲୋମିଟର ଦୂରତା ମଧ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବ୍ୟବସ୍ଥା ପାଇଁ ସରକାର ଅଙ୍ଗୀକାରବଦ୍ଧ । କିନ୍ତୁ କମ ଜନସଂଖ୍ୟା ଥିବା ଅଂଚଳରେ ଏହାର ବ୍ୟତିକ୍ରମ ହେଉଥିବାରୁ ସରକାର ୪୦୨୧ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ପରିବହନ ଓ ସହଚର ରକ୍ଷୀର ବ୍ୟବସ୍ଥା କରିଛନ୍ତି । ସହରରେ ପାଠପଢ଼ାରୁ ବଂଚିତ ଶିଶୁ ଶ୍ରମିକ ଓ ରାସ୍ତା କଡ଼ର ପିଲାମାନଙ୍କ ପାଇଁ ଭୁବନେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, କଟକ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ମାଲକାନାଗିରି ଓ ରାୟଗଡ଼ାରେ ୧୬ଟି ଆବାସିକ ଛାତ୍ରାବାସ ଖୋଲାଯାଇଛି । ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ ପାଇଁ ୨୧୪ ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପିତ ହୋଇଥିବାବେଳେ ଆଉ ୧୦୦ ବିଦ୍ୟାଳୟ ସ୍ଥାପନର ଲକ୍ଷ୍ୟ ରହିଛି । ପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ‘ଉଜ୍ଜ୍ୱଳ’ ଓ ‘ଉତଥାନ’ ସାମଗ୍ରୀ ଯୋଗାଇ ଦିଆଯାଇଛି । ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ସହ ଆଇଏଫଏ ଟାବଲେଟ ପ୍ରଦାନ କରାଯାଉଛି । ଏତଦବ୍ୟତୀତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପୁସ୍ତକ ଦିଆଯାଉଛି । ବେସରକାରୀ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ୫୦% ରିହାତି ଦରରେ ପୁସ୍ତକ ଯୋଗାଣ କରାଯାଉଛି । ଅନ୍ୟ ରାଜ୍ୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକର ବ୍ୟବସ୍ଥା ମଧ୍ୟ ହୋଇଛି । ସେହିପରି ମାଗଣା ଦୁଇହଳ ପୋଷାକ ଓ ହଳେ ଯୋତା ଯୋଗାଇ ଦିଆଯିବା ସହ ଶୈକ୍ଷିକ ଜ୍ଞାନ ବୃଦ୍ଧି ନିମନ୍ତେ ‘ଗାରିମା’ ପୁରସ୍କାରର ବ୍ୟବସ୍ଥା ହୋଇଛି । ‘ମୋ ସ୍କୁଲ ଅଭିଯାନ’ ଜରିଆରେ ବିଦ୍ୟାଳୟଗୁଡ଼ିକୁ ସରକାର ୫୯ କୋଟି ୫୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ୨୦୦୨-୦୩ରେ ଛାତ୍ର ଶିକ୍ଷକ ଅନୁପାତ ୪୬.୬୭% ଥିବାବେଳେ ୨୦୧୮-୧୯ରେ ତାହା ୨୦.୯୨%କୁ ହ୍ରାସ ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ ।