ସରିଲା ବିଧାନସଭା ଅଧିବେଶନ, ୪ ଦିନ ଆଗରୁ ଶେଷ
ସରିଲା ବିଧାନସଭା ଅଧିବେଶନ, ୪ ଦିନ ଆଗରୁ ଶେଷ
admin
Aug 4, 2019 - 07:30
Updated: Aug 4, 2019 - 07:30
ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ଶେଷ ହୋଇଛି । ଜୁନ୍ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅଗଷ୍ଟ ୮ ତାରିଖ ଯାଏ ଚାଲିବାର ଥିଲା । ତେବେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଚାରି ଦିନ ଆଗରୁ ଏହାକୁ ବନ୍ଦ କରି ଦିଆଯାଇଛି । ଏହି ଅଧିବେଶନର ମୋଟ ୨୫ଟି କାର୍ଯ୍ୟଦିବସ ରହିଥିଲା ।
ଅଧିବେଶନକୁ ଆଜି ଶେଷ କରିବା ପାଇଁ ଶାସକ ଦଳ ସଭ୍ୟ ପ୍ରତାପ କେଶରୀ ଦେବ ପ୍ରସ୍ତାବ ଆଣିଥିଲେ । ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ ସାମଲ ଏହାକୁ ସମର୍ଥନ କରିଥିଲେ । ଅଧିବେଶନର ଅବଧିକୁ ଆଜି ଶେଷ କରିବା ପାଇଁ ଆବଶ୍ୟକତା ଅନୁଭବ କରି ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରଖିଥିଲେ । ଏହା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ଚରଣ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଆସନ ପାଖକୁ ଯାଇ କରମର୍ଦ୍ଧନ କରିଥିଲେ ।
ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଏହା ଥିଲା ପ୍ରଥମ ବିଧାନସଭା ଅଧିବେଶନ । ଗୃହରେ ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନ ନେଇଥିଲା । ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ଭାବେ ମନୋନୀତ ହୋଇଥିଲେ । ନୂଆ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅଧିବେଶନ ପରିଚାଳିତ ହୋଇଥିଲା ।
ଅଧିବେଶନର ପ୍ରଥମ ଦିନ ଅର୍ଥାତ ୨୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୭ ତାରିଖରେ ଉପବାଚସ୍ପତି ନିର୍ବାଚିତ ହୋଇ ରଜନୀକାନ୍ତ ସିଂହଙ୍କୁ ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ କରାଯାଇଥିଲା । ୨୮ ତାରିଖରେ ନୂଆ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଗତ ଫେବୃୟାରୀ ମାସରେ ତତ୍କାଳୀନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ । ଯେଉଁଥିରେ କି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବ୍ୟୟବରାଦ ସାଧାରଣ ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇପାରିନଥିଲା ।
ଜୁଲାଇ ୩ ରୁ ୧୧ ତାରିଖ ଯାଏ ବିଧାନସଭା ବନ୍ଦ ରହିଥିଲା । ୧୨ ତାରିଖରେ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଏହି ଅଧିବେଶନରେ ୫ ଜଣ ପୂର୍ବତନ ମନ୍ତ୍ରୀ/ସଦସ୍ୟ ଏବଂ ସାମରିକ କର୍ମଚାରୀ/ପୁଲିସ କର୍ମଚାରୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ୨୦୦୪ ତାରକା ଚିହ୍ନିତ ପ୍ରଶ୍ନ ଓ ୨୪୧୬ ଅଣତାରକା ଚିହ୍ନିତ ପ୍ରଶ୍ନ ଉପରେ ନୋଟିସ ଗ୍ରହଣ କରାଯାଥଇଥିଲା । ୧୨ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ୧୯ଟି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା । ଜୁଲାଇ ୩୧ ରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଥିବା ବେଳେ ୨ ତାରିଖରେ ସ୍ୱତନ୍ତ୍ର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ୨୦୧୯ ପାରିତ ହୋଇଥିଲା ।