୬ରେ ଲଘୁଚାପ ସମ୍ଭାବନା
୬ରେ ଲଘୁଚାପ ସମ୍ଭାବନା
admin
Aug 4, 2019 - 07:34
Updated: Aug 4, 2019 - 07:34
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ରରେ ପ୍ରଭାବ ସେଭଳି ରହିବ ନାହିଁ । ତେବେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସମାନ୍ତରାଳ ଭାବେ ଏହି ଘୂର୍ଣ୍ଣିବଳୟ ରହିଛି । ୬ କିମ୍ବା ୭ ବେଳକୁ ତାହା ଲଘୁଚାପ ବଳୟରେ ପରିଣତ ହୋଇପାରେ । ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ଅଗଷ୍ଟ ୫ ତାରିଖ ଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୭ ତାରିଖ ଯାଏଁ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୪ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନ ଗିରି, ନବରଙ୍ଗପୁର, ନୂଆପଡ଼ା, କଳହାଣ୍ଡି, କୋରାପୁଟ, ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ୫ ତାରିଖ ଯାଏଁ ବରଗଡ଼, ନୂଆପଡ଼ା ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ । ତେବେ ଏହାର ୨୪ ଘଣ୍ଟା ପର୍ଯ୍ୟନ୍ତ କୋହଲା ପାଗ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ । ୬ ତାରିଖ ଠାରୁ ପାଗ ବଦଳିବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ । ୭ ତାରିଖରେ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ୫ ତାରିଖ ସକାଳ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଦକ୍ଷିଣ ଚାଇନା ସାଗର ଉପରେ ରହିଥିବା ଗଭୀର ଅବପାତ ଦୁର୍ବଳ ହୋଇ ବଙ୍ଗୋପସାଗର ଆଡକୁ ଗତି କରିବ । ବର୍ତ୍ତମାନ ଏହା ମିଅାଁମାର ଓ ବାଲାଂଦେଶ ଦେଇ ଧୀରେ ଧୀରେ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରୁଛି । ଏହା ଲଘୁଚାପର ରୂପ ନେଇ ଅଗଷ୍ଟ ୫ ତାରିଖ ରାତିରେ ବଙ୍ଗୋପସାଗର ଉପରେ ପହଞ୍ଚିବ । ସେହିପରି ଦକ୍ଷିଣ ଚାଇନା ଉପରେ ଥିବା ଆଉ ଏକ ଗଭୀର ଅବପାତ ଟ୍ରପିକାଲ ସାଇକ୍ଲୋନରେ ପରିଣତ ହୋଇଛି । ପ୍ରଭାବରେ ଆସନ୍ତା ୫ ତାରିଖରୁ ଉତ୍ତର ଓଡ଼ିଶା ଓ ଏହାର ପାଖାପାଖି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶାଙ୍କା ରହିଛି । ଦୁଇଠି ଲଘୁଚାପର ମିଶ୍ରଣ ହେବାର ଆଶଙ୍କା ଥିବାରୁ ୭ ତାରିଖ ଯାଏଁ ପ୍ରବଳ ବର୍ଷା ହେବ । ଗତ ୧୨ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୨୪.୪ ମିମି ବର୍ଷା ହୋଇଛି । ମାଲକାନଗିରି ୧୪, ବାରିପଦାରେ ୧୩, ଭୁବନେଶ୍ୱରରେ ୬.୬, ବଲାଙ୍ଗୀରରେ ୬.୬ ମିି.ମି ବର୍ଷା ରେକର୍ଡ କରାଯାଇଛି ।