ବିଜେଡିର ସମର୍ଥନକୁ କଟାକ୍ଷ କଲେ ଅଜୟ କୁମାର
ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ଘଟଣାକୁ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର କଟାକ୍ଷ କରିଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ ଡ. ଅଜୟ କୁମାର କହିଛନ୍ତି ଯେ ବିଜେପି ଓ ବିଜେଡି ମଧ୍ୟରେ ବୈବାହିକ ମେଣ୍ଟ ପ୍ରକ୍ରିୟା ଆଗେଇ ଚାଲିଛି । ବିଜେଡି ସବୁବେଳେ ବିଜେପିକୁ ସମର୍ଥନ ଦେଇଆସିଛି । ବ୍ୟାପକ ଦୁର୍ନୀତି ସତ୍ତ୍ୱେ ଓଡ଼ିଶାରେ କାହିଁଁକି ଚଢଉ ହେଉନି ତାହା ଓଡ଼ିଶାବାସୀ ବୁଝିଗଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଉପରେ କାହିଁକି ସିବିଆଇ ଓ ଇଡି ଚଢଉ କରୁନାହିଁ ତାହା ଓଡ଼ିଶାବାସୀ ଏବେ ଭଲଭାବେ ବୁଝିଗଲେ । ତେବେ ଖବର ଲେଖା ସୁଦ୍ଧା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାରଙ୍କ ମନ୍ତବ୍ୟ ଉପରେ ବିଜେପି କି ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ପ୍ରକାଶ ଯେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କରିଛି । ତେବେ କ’ଣ ପାଇଁ ବିଜେଡି ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିବ ସେ ସମ୍ପର୍କରେ ବି ଆଜି ବିଜେଡି ପକ୍ଷରାୁ ଜାରି ପ୍ରେସ ରିଲିଜରେ ଉଲ୍ଲେଖ କରାଯାଇଛି ।
ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଶ୍ୱିନୀଙ୍କୁ ସମର୍ଥନ ଘୋଷଣା କରିଛି ବିଜେଡି । ରେଲୱେ ଓ ଟେଲିକମ କ୍ଷେତ୍ରରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ଘୋଷଣା କରିଛି ବିଜେଡି ।
୨୦୧୯ରେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ ଅଶ୍ୱିନୀ। ଏବେ ମଧ୍ୟ ବିଜେଡି ତାଙ୍କୁ ସମର୍ଥନ ଜଣାଇବ ବୋଲି ଘୋଷଣା କରିଛି । ସମର୍ଥନ ନେଇ ବିଜେଡି ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି ।
ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ଦୁଇ ଦିନ ତଳେ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ତେବେ ତୃତୀୟ ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଥିଲା। ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଆଜି ସେହି ଚର୍ଚ୍ଚାର ଅନ୍ତ ଘଟିଛି। ଅଶ୍ୱିନୀ ବୈଷ୍ଣବ ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି।