ରାଜ୍ୟସଭା ନିର୍ବାଚନ; ନାମାଙ୍କନ ଦାଖଲ କଲେ ଶିବସେନା ନେତା ସଂଜୟ ରାଉତ
ରାଜ୍ୟସଭା ନିର୍ବାଚନ; ନାମାଙ୍କନ ଦାଖଲ କଲେ ଶିବସେନା ନେତା ସଂଜୟ ରାଉତ

ମୁମ୍ବାଇ: ଜୁନ ୧୦ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ଓ କୋଲାପୁର ଶିବସେନା ସଭାପତି ସଞ୍ଜୟ ପାୱାର। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ସୁପ୍ରିମୋ ଶରଦ ପାୱାର ଓ ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାଟଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।ଇୟଗ୍ଦ ଭଚ୍ଚ
ତେବେ ପୂର୍ବତନ ସାଂସଦ ସମ୍ବାଜୀରାଜେ ଛତ୍ରପତି ଏଥର ରାଜ୍ୟସଭା ନିର୍ବାଚନ ଲଢ଼ିବେ କି ନାହିଁ, ସେ ସମ୍ପର୍କରେ ଆଜି ହିଁ ଘୋଷଣା କରିବେ। ସପ୍ତାହକ ତଳେ ଛତ୍ରପତି ସ୍ୱାଧୀନ ଭାବେ ରାଜ୍ୟସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କୁ ଫୋନ କରି ସମର୍ଥନ ଦେବାକୁ ଅନୁରୋଧ କରିଥିଲେ। ତେବେ ଏମାନେ ଛତ୍ରପତିଙ୍କୁ ସମର୍ଥନ କରିବେ କି ନାହିଁ, ସେକଥା ଜଣାପଡ଼ିନି।
ସୂଚନାଯୋଗ୍ୟ, ଜୁଲାଇ ୪ରେ ଭେଟରାନ କଂଗ୍ରେସ ନେତା ପି ଚିଦାମ୍ବରମ, ଏନସିପିର ପ୍ରଫୁଲ ପଟେଲ, ବିଜେପିର ପୀୟୂଷ ଗୋଏଲ, ବିକାଶ ମହାତମେ ଓ ବିନୟ ସହସ୍ରବୁଦ୍ଧେ ଏବଂ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ରାଜ୍ୟସଭାର କାର୍ୟ୍ୟକାଳ ସରିବ। ପଟେଲ, ଚିଦାମ୍ବରମ, ଗୋଏଲ ଓ ରାଉତ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହେବେ। ଯଦି ସହସ୍ରବୁଦ୍ଧେଙ୍କୁ ରାଜ୍ୟସଭା ଟିକେଟ ନ ମିଳେ, ତା’ହେଲେ ପୂର୍ବତନ ମନ୍ତ୍ରୀ ଅନୀଲ ବୋନ୍ଦେ ଓ ବିଜେପିର ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ସୁଯୋଗ ମିଳିପାରେ। ଶିବସେନା ପକ୍ଷରୁ ରାଉତ ଓ ପାୱାର ନାମାଙ୍କନ ଦାଖଲ କରିଥିଲେ ହେଁ କଂଗ୍ରେସ, ଏନସିପି ଓ ବିଜେପି ପକ୍ଷରୁ ଏଯାଏ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନି।