ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର: ପୁଣି ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ବିଜେପି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାମ ରାଜ୍ୟସଭା ପ୍ରାର୍ଥୀଭାବେ ଘୋଷଣା କରାଯାଇଛି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।
ରାଜ୍ୟସଭା ପାଇଁ ବିିଜୁ ଜନତା ଦଳ ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିଛି । ଗତକାଲି ମଧ୍ୟ ଦେବାଶିଷ ଓ ଶୁଭାଶିଷ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଥିଲେ। ହେଲେ ଓଡିଶାରୁ ରାଜ୍ୟସଭା ପାଇଁ ୩ଟି ଆସନ ଖାଲି ପଡୁଥିବାବେଳେ, ବିଜେଡି କେବଳ ୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିଲା ।
ବିଜେପିରୁ ଅଶ୍ଵିନୀ ବୈଷ୍ଣବଙ୍କୁ ଜିତିବାକୁ ହେଲେ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ପାଖରେ ଆବଶ୍ୟ ସଂଖ୍ୟା ନାହିଁ। ବିଜେପିର ବର୍ତ୍ତମାନ ୨୨ ଜଣ ଅଛନ୍ତି। ପୂର୍ବରୁ ବିଜେଡି ପକ୍ଷରୁ ୨ ଜଣ ନାମାଙ୍କନ ଭରି ସାରିଥିବାବେଳେ ତୃତୀୟ ଆସନକୁ ନେଇ ଲାଗି ରହିଥିଲା ସସପେନ୍ସ । ଯାହାକି ବର୍ତ୍ତମାନ ସ୍ପଷ୍ଟ ହୋଇଛି । ଓଡିଶାରୁ ରାଜ୍ୟ ସଭାକୁ ଯିବେ ୩ ପ୍ରାର୍ଥୀ । ଏହା ପୂର୍ବରୁ ୨୦୧୯ରେ ଅଶ୍ୱିନୀ ବୈଷ୍ଣବ ଉଭୟ ବିଜେପି ଓ ବିଜେଡିର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବୁଧବାର ସେ ରେଳବାଇ ଓ ବିଏସଏନଏଲ୍ ପ୍ରକଳ୍ପର ସମୀକ୍ଷା କରିବେ। ରାତିରେ ରେଳବାଇ ଗେଷ୍ଟ ହାଉସରେ ରାତ୍ରୀ ଯାପନ କରିବେ । ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ସେ ଭୁବନେଶ୍ୱର ଛାଡ଼ିବେ । ଗୁରୁବାର ଦିନ ସେ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କୁହାଯାଉଛି ।