ପ୍ରଦୀପ ମାଝି ନିରାଶ

ପ୍ରଦୀପ ମାଝି ନିରାଶ

ପ୍ରଦୀପ ମାଝି ନିରାଶ
ଭୁବନେଶ୍ୱର: କଂଗ୍ରେସର ପ୍ରଦେଶ କାର୍ଯ୍ୟକାରୀ ସଭାପତି ଥିଲେ । ରାହୁଲ ଗାନ୍ଧିଙ୍କ ଅତି ନିକଟତର ନେତା ଥିଲେ । ଦଳରେ ଥିଲା ବେଶ୍ ଦବଦବା । ଏମିତିକି ପିସିସି ସଭାପତି ପଦ ପାଇଁ ସବୁଠୁ ବଡ଼ ଦାବିଦାର ବି ଥିଲେ । ତଥାପି ସେ କଂଗ୍ରେସକୁ ବାଏବାଏ କରି ବିଜେଡିରେ ମିଶିଥିଲେ । ଖାଲି ମିଶିନଥିଲେ କଂଗ୍ରେସ ଗଡ଼ ଭାଙ୍ଗି ନବରଙ୍ଗପୁରରେ ପଂଚାୟତ ଭୋଟରେ ବିଜେଡି ପତାକା ଉଡ଼ାଇଥିଲେ । ଶୁଣାଯାଉଥିଲା, ହାତ ଛାଡ଼ି ଶଙ୍ଖ ଧରିବାବେଳେ ରାଜ୍ୟସଭା ପଠାଇବାକୁ ବିଜେଡି ନେତାଏ କୁଆଡେ଼ ଆଶା ଦେଇଥିଲେ । ହେଲେ ଫୁସ୍.... । ସବୁ ଆଶା ଧୂଳିସାତ । ନିରାଶ ହେଲେ ପ୍ରଦୀପ ମାଝୀ । ନବରଙ୍ଗପୁରର ଏ ଆଦିବାସୀ ନେତାଙ୍କୁ ଭୁଲି ପଶ୍ଚିମ ଓଡ଼ିଶାର ଆଉ ଜଣେ ଆଦିବାସୀ ସଂଗଠକଙ୍କୁ ରାଜ୍ୟସଭା ପଠାଇଲେ ବିଜେଡି ସୁପ୍ରିମୋ ନବୀନ । ତେଣୁ ପ୍ରଦୀପ ମାଝୀଙ୍କ ରାଜ୍ୟସଭା ଆଶା ଚକମାଚୁର ହୋଇଯାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପ୍ରଦୀପ ଯେତେବେଳେ କଂଗ୍ରେସରେ ଥିଲେ, ଦଳର ସବୁଠୁ ଫେଭରାଇଟ ଚେହେରା ଥିଲେ । କେବଳ ଥରୁଟିଏ ସାଂସଦ ନିର୍ବାଚନ ଜିତିଥିଲେ ବି ରାହୁଲଙ୍କ ପ୍ରିୟ ହୋଇଥିବାରୁ ଦଳରେ ଥିଲା ତାଙ୍କର ବେଶ୍ ଦବଦବା । ଗତ ଦୁଇଟି ନିର୍ବାଚନ ହାରିବା ସତ୍ତ୍ୱେ ପିସିସି ସଭାପତି ପାଇଁ ତାଙ୍କ ନାଁ ସବୁବେଳେ ଚର୍ଚ୍ଚାରେ ଥିଲା । ଏମିତିକି ଏ ଦିଗରେ ଏଆଇସିସି ତଥା ରାହୁଲଙ୍କଠାରୁ ସିଗନାଲ ବି ଦିଆଯାଇଥିଲା । ମାତ୍ର ରାଜ୍ୟରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇପଡ଼ିଥିବାରୁ ଶାସକ ଦଳକୁ ଡେଇଁଥିଲେ ପ୍ରଦୀପ । ଚର୍ଚ୍ଚା ହେଉଥିଲା, ଦକ୍ଷିଣ ଓଡ଼ିଶାର ଏହି ଆଦିବାସୀ ନେତାଙ୍କୁ ନବୀନ ନିଶ୍ଚିତ ରାଜ୍ୟସଭା ପଠାଇବେ । ଏମିତିକି ଆଶାୟୀ ତାଲିକାରେ ତାଙ୍କ ନାଁ ଥିବା କୁହାଯାଉଥିଲା । ବେଶ୍ କିଛଦିନ ହେବ ଗଣମାଧ୍ୟମରେ ବି ତାଙ୍କ ନାଁ ବେଶି ଉଠିଥିଲା । ମାତ୍ର ନବୀନ ଦକ୍ଷିଣ ଛାଡ଼ି ପଶ୍ଚିମରୁ ଆଦିବାସୀ ଚେହେରାଙ୍କୁ ବାଛିଲେ । ନିରାଶ ହେବା ସତ୍ୱେ ପ୍ରଦୀପ ମୁହଁ ଖୋଲି କହିପାରୁନାହାନ୍ତି । କଂଗ୍ରେସ ଛାଡ଼ି ବିଜେଡିକୁ ଆସିବା ପରଠୁ ସେ ଯେମିତି ନବରଙ୍ଗପୁର ଜିଲ୍ଲା ଭିତରେ ସୀମିତ ରହିଥିବା ଲକ୍ଷ୍ୟ କରାଯାଉଛି । ଏମିତିକି ବ୍ରଜରାଜନଗର ଉପନିର୍ବାଚନରେ ବି ତାଙ୍କୁ ବିଶେଷ ଦେଖିବାକୁ ମିଳିନି । କଂଗ୍ରେସରେ ଥିବାବେଳେ ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଯାଏଁ ଦଳର ତାରାକା ନେତା ଥିବା ପ୍ରଦୀପଙ୍କୁ ବିଜେଡିରେ ଯେମିତି ଅଲୋଡ଼ା । ଏମିତିକି ବ୍ରଜରାଜନଗରର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ବି ପ୍ରଦୀପଙ୍କ ନାଁ ନାହିଁ । କଟକରୁ ପ୍ରଶାନ୍ତ ବେହେରା, ଚନ୍ଦ୍ରସାରଥୀ ବେହେରା, ସୁବାସ ସିଂଙ୍କ ଭଳି ନେତା ତାରାକା ପ୍ରଚାରକ ତାଲିକାରେ ଥିବାବେଳେ ପ୍ରଦୀପଙ୍କ ନାଁ ରହିଲାନି । କଂଗ୍ରେସରେ ଥିବାବେଳେ ପାୱାରଫୁଲ୍ ଥିବାବେଳେ ବିଜେଡିରେ ପ୍ରଭାବହୀନ ହୋଇପଡ଼ିଛନ୍ତି । ତେବେ ଆଗାମୀଦିନରେ ବିଜେଡି ପ୍ରଦୀପଙ୍କୁ କି ଦାୟିତ୍ୱ ଦେବ, ତାହା ସମୟ କହିବ ।