ହରିୟାଣାରେ ହାଇଡ୍ରାମା, ହାରିଲେ ଅଜୟ
ହରିୟାଣାରେ ହାଇଡ୍ରାମା, ହାରିଲେ ଅଜୟ
ନୂଆଦିଲ୍ଲୀ: ହରିୟାଣାରେ ହାଇଡ୍ରାମା । ସକାଳୁ ରାତି ଅଧ ଯାଏ ଚାଲିଲା ରାଜନୀତିର ଛକିଶୂନ ଖେଳ । ଶେଷରେ ବାଜି ମାରିନେଲେ ବିଜେପି ଓ ଜେଜେପି । ଆଉ ଜିତୁ ଜିତୁ ହାରିଗଲେ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଅଜୟ ମାକେନ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଜୟ ମାକେନ ଜିତୁଛନ୍ତି ବୋଲି ସମସ୍ତେ ଜାଣିଥିଲେ । ଏମିତିକି ଅନେକ ଅଜୟଙ୍କୁ ଶୁଭେଚ୍ଛା ଜଣାଇ ବି ସାରିଥିଲେ । ପ୍ରଥମେ ଗଣତିରେ ମାକେନ ଜିତିଲେ ବୋଲି ପ୍ରଚାର ବି ହେଲା । ମାତ୍ର ଗଣତି ସରିଲାବେଳକୁ ଖେଳ ପୂରା ଓଲଟା । ଜିତୁଥିବା ଅଜୟ ହାରିଗଲେ ୨ଟି ଭୋଟରେ । ବିଜେପି ନିଜ ଦଳର ପ୍ରାର୍ଥୀ ସହ ସମର୍ଥିତ ନିର୍ଦ୍ଧଳୀୟ ପ୍ରାର୍ଥୀଙ୍କୁ ବି ବିଜେପି ଜିତାଇବାକୁ ସକ୍ଷମ ହେଲା ।
ସକାଳୁ ସକାଳୁ ଏ ଖବର ଅନେକଙ୍କୁ ଚକିତ କରିଥିଲା । ଏହାର ସବୁଠୁ ବଡ଼ ଝଟକା ଲାଗିଛି କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡ଼ାଙ୍କୁ ।
ହରିୟାଣାରେ ଏ ହାଇଡ୍ରାମା ୨୦୧୬ର ଇତିହାସକୁ ଦୋହରାଇଛି । ସେତେବେଳେ ବି କଂଗ୍ରେସ ଏମିତି ହାରିଥିଲା । ଏଥର ସ୍ଥିତି ଆରମ୍ଭରୁ ଗୋଳମାଳିଆ ଥିଲା । ବିଜେପି ରାଜ୍ୟସଭା ପାଇଁ କି୍ରଷାନ ପନୱାରଙ୍କୁ ପ୍ରାର୍ଥୀ କରିଥିଲା । କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ କେନ୍ଦ୍ରୀୟ ନେତା ଅଜୟ ମାକେନ । ସଂଖ୍ୟା ଦୃଷ୍ଟିରୁ ଉଭୟ ପ୍ରାର୍ଥୀ ଜିତିବାରେ ଅସୁବିଧା ନଥିଲା । ମାତ୍ର ବିଜେପି ଓ ଜେଜେପି ସମର୍ଥନରେ ଏକ ଗଣମାଧ୍ୟମ ସଂସ୍ଥା ମାଲିକ କାତ୍ତିର୍କେୟନ ଶର୍ମାଙ୍କ ନାମାଙ୍କନ ପରେ ଖେଳ ଆରମ୍ଭ ହେଲା । ହୁଡ଼ା କଂଗ୍ରେସ ବିଧାୟକଙ୍କୁ ନେଇ ଛତିଶଗଡ଼ ରିସୋର୍ଟରେ ରଖିଲେ । ହେଲେ ହୁଡାଙ୍କ ଟିମ୍ରେ ଯୋଗ ଦେଲେନି କଂଗ୍ରେସର ବରିଷ୍ଠ ନେତା କୁଲଦୀପ ବିଶ୍ନୋୟୀ । ପିସିସି ସଭାପତି ନ ହେବାରୁ କୁଲଦୀପ ରାଗିଥିଲେ । ତଥାପି କଂଗ୍ରେସ ତାଙ୍କୁ ମନାଇବାକୁ ଲାଗିଥିଲା । ଏମିତିକି କୁଲଦୀପ ମାନିଯାଇଥିବା କଂଗ୍ରେସ ନେତା ଭାବିଥିଲେ । କୁଲଦୀପ ଅଜୟ ମାକେନଙ୍କୁ ହିଁ ଭୋଟ ଦେଇଥିବା କଂଗ୍ରେସ ଦାବି କରିଥିଲା । ଲାଗୁଥିଲା କାର୍ତ୍ତିକେୟନ ହାରିଯିବେ । ଗତକାଲି ଭୋଟିଂ ପରେ ବିଜେପି ଅଭିଯୋଗ ଆଣିଲା- କଂଗ୍ରେସର ଦୁଇ ବିଧାୟକ କିରଣ ଚୌଧୁରୀ ଓ ବିବି ବତ୍ରା ଭୋଟିଂବେଳେ ଗୋପନୀୟତା ରକ୍ଷା କରିନାହାନ୍ତି । ଉଭୟଙ୍କ ଭୋଟ ରବ୍ଦ କରିବାକୁ ବିଜେପି ଦାବି କରିଥିଲା । ମାତ୍ର ପ୍ରଥମେ ନିର୍ବାଚନ ଅଧିକାରୀ ଏହାକୁ ଅଗ୍ରାହ୍ୟ କରିଥିଲେ । ପରେ ନିର୍ବାଚନ କମିଶନ ବି ଉଭୟଙ୍କ ଭୋଟକୁ ଠିକ୍ ଦର୍ଶାଇବା ସହ ବିଜେପି ଅଭିଯୋଗକୁ ଖଣ୍ଡନ କରିଥିଲେ । ବିଳମ୍ବିତ ରାତିରେ ଗଣତି ଆରମ୍ଭ ହେଲା । ପ୍ରଥମେ କୁହାଗଲା, ଗଣତିରେ ମାକେନ ଜିତିଗଲେ । ମାତ୍ର ଗଣତି ସରିବା ପରେ ଚୂଡ଼ାନ୍ତ ଖବର ଆସିଲା- ମାକେନ ହାରିଗଲେ । ଏହା ପଛରେ କଂଗ୍ରେସର କୁଲଦୀପ ବିଶ୍ନୋୟୀ ଥିବା କୁହାଯାଉଛି । କୁଲଦୀପ କ୍ରସ ଭୋଟିଂ କରିଥିବାବେଳେ ଅନ୍ୟ ଜଣେ କଂଗ୍ରେସ ବିଧାୟକଙ୍କ ଭୋଟ ନାକଚ ହୋଇଥିବା ଜଣାପଡିଛି । ସେ ବିଧାୟକ କିଏ, ଜଣାପଡିନି ।
କୁଲଦୀପ ମଧ୍ୟ ଆଜି ସକାଳୁ ସକାଳୁ ଟ୍ୱିଟ୍ କରି ଲେଖିଛନ୍ତି, ସାପର ଫଣାକୁ ଦଳିବା ତାଙ୍କୁ ବି ଜଣା । ସାପ ଭୟରେ ସେ ଜଙ୍ଗଲ ଛାଡ଼ି ପଳାଇବା ଲୋକ ନୁହନ୍ତି । ଏ ଲେଖା ମାଧ୍ୟମରେ ସେ ହୁଡାଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି । ବିଜେପି କହିଛି, କୁଲଦୀପ ନିଜ ଅନ୍ତର ଆତ୍ମା କଥାରେ କଂଗ୍ରେସ ବିରୋଧରେ ଭୋଟ ଦେଇଛନ୍ତି । ଅପରପକ୍ଷରେ କୁଲଦୀପଙ୍କୁ ଦଳରୁ ତଡ଼ିବା ପାଇଁ ହୁଡ଼ା ଶିବିର ଏବେ ଲାଗି ପଡ଼ିଛି । ଖୁବଶୀଘ୍ର ତାଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇପାରେ ।