ପ୍ରଥମ ଶାସ୍ତ୍ରୀୟ ଓଡିଆ ଭାଷା ଯୁବ ଗବେଷକ ସମ୍ମାନ ପାଇବେ ଡକ୍ଟର ସୁବ୍ରତ ପୃଷ୍ଟି
ପ୍ରଥମ ଶାସ୍ତ୍ରୀୟ ଓଡିଆ ଭାଷା ଯୁବ ଗବେଷକ ସମ୍ମାନ ପାଇବେ ଡକ୍ଟର ସୁବ୍ରତ ପୃଷ୍ଟି
admin
Aug 16, 2019 - 07:37
Updated: Aug 16, 2019 - 07:37
ପାଞ୍ଚବର୍ଷ ପରେ ଶାସ୍ତ୍ରୀୟ ଓଡିଆ ଭାଷାକୁ ମିଳିଲା ସମ୍ମାନ
ଭୁବନେଶ୍ୱର: ବିଶିଷ୍ଟ ଯୁବ ଭାଷାବିତ ତଥା ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ପ୍ରମୁଖ କାର୍ଯ୍ୟ କରିଥିବା ଡକ୍ଟର ସୁବ୍ରତ କୁମାର ପୃଷ୍ଟିଙ୍କୁ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି । ରାଷ୍ଟ୍ରପତି ଭବନରୁ ଏହି ମର୍ମରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ପାଞ୍ଚ ବର୍ଷ ପରେ ପ୍ରଥମକରି କେନ୍ଦ୍ର ସରକାର ଏହି ଭାଷାରେ ଗବେଷଣା କରୁଥିବା ଯୁବ ଭାଷାବିତ ସୁବ୍ରତ ପୃଷ୍ଟିଙ୍କୁ ମହର୍ଷି ବାଦରାୟଣ ବ୍ୟାସ ସମ୍ମାନ ପ୍ରଦାନ ସ୍ୱରୂପ ରାଷ୍ଟ୍ରପତି ପଦକ, ସନନ୍ଦ, ସାଲ ଓ ନଗଦ ଏକଲକ୍ଷ ଟଙ୍କା ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ । ଏହି ଖବର ପ୍ରକାଶିତ ହେବା ପରେ ନିଜର ଜନ୍ମସ୍ଥାନ ଯାଜପୁର ଜିଲ୍ଲାର ବିଦ୍ୟାଧରପୁର ସମେତ ସାରା ରାଜ୍ୟରେ ଆନନ୍ଦ ପ୍ରକାଶ ପାଇବା ସହିତ ବିଭିନ୍ନ ମହଲରୁ ସୁଭେଚ୍ଛାର ସୁଅ ଛୁଟିଛି । ଡକ୍ଟର ପୃଷ୍ଟି ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ୨୦୦୪ରେ ୟୁଜିସି କନିଷ୍ଠ ଓ ବରିଷ୍ଠ ଗବେଷଣା ବୃତ୍ତି ପାଇ ଗବେଷଣା କାର୍ଯ୍ୟରେ ନିୟୋଜିତ ଥିଲେ । ନିଜର ଗବେଷଣା କାର୍ଯ୍ୟ ଓ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତିପାଇଁ ଦିଲ୍ଲୀରେ ଥିବାବେଳେ ଓଡିଆଭାଷାର ଶାସ୍ତ୍ରୀୟମାନ୍ୟତାପାଇଁ ଭିତ୍ତିପତ୍ର ପ୍ରସ୍ତୁତି କରିବା ସହିତ ଏ ବିଷୟରେ ଦାବି କରିବାପାଇଁ ଓଡିଶାର ସାଂସଦମାନଙ୍କୁ ଅନୁରୋଧ କରିଥିଲେ । ପରେ ଭୁବନେଶ୍ୱର ଫେରି ଆସି ଜନସମ୍ମିଳନୀ ଓ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ନାମକ ଅନୁଷ୍ଠାନ ପ୍ରତିଷ୍ଠା କରି ଏହାରି ମାଧ୍ୟମରେ ଓଡିଆଭାଷାର ଶାସ୍ତ୍ରୀୟତା ଦାବିକୁ ଏକ ବୌଦ୍ଧିକ ଆନେ୍ଦାଳନରେ ପରିଣତ କରିବାରେ ଉଦ୍ୟମରତ ଥିଲେ । ଏହି ସମୟରେ ସେ ରାଜ୍ୟ ସଂସ୍କୃତି ବିଭାଗର ଆର୍ଥôକ ଅନୁଦାନ ପାଇ ସଂଗୃହୀତ ତଥ୍ୟ ଆଧାରରେ ଭାଷା ଓ ଜାତୀୟତା ପୁସ୍ତକ ପ୍ରକାଶ କରି ‘ଓଡିଆଭାଷାର ଶାସ୍ତ୍ରୀୟମାନ୍ୟତା ଦାବୀ ନୁହେଁ ଅଧିକାର’ ବୋଲି ସର୍ବାନ୍ତକରଣରେ ଘୋଷଣା କରିଥିଲେ । ପରିଣତି ସ୍ୱରୂପ ଏଥିପାଇଁ ସରକାରି ଓ ବେସରକାରି ସ୍ତରରେ କମିଟି ଗଠନ କରାଯାଇଥିଲା ଓ ଉଭୟ କମିଟିର ସଦସ୍ୟ ରହି ନିଜର ପୂର୍ବପ୍ରସ୍ତୁତ ଭିତ୍ତିପତ୍ର ଉଭୟ କମିଟିକୁ ପ୍ରଦାନ କରିଥିଲେ । କମିଟି ସଦସ୍ୟଙ୍କ ଅନୁମୋଦନ ପରେ ଏହି ଭିତ୍ତିପତ୍ର କେନ୍ଦ୍ରସରକାରଙ୍କୁ ପ୍ରଦାନ କରାଯାଇଥିଲା । କେନ୍ଦ୍ର ଭାଷା ବିଶେଷଜ୍ଞ କମିଟି ୨୩ ଜୁଲାଇ ୨୦୧୩ ମସିହାରେ ଏହି ଭିତ୍ତିପତ୍ର ଆଧାରରେ ଓଡିଆଭାଷାକୁ ଶାସ୍ତ୍ରୀୟମାନ୍ୟତା ପ୍ରଦାନପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ, ଯାହାକୁ ୨୦ଫେବୃଆରି ୨୦୧୪ରେ କ୍ୟାବିନେଟ ଅନୁମୋଦନ କରିବାରୁ ଓଡିଆ ଏକ ଶାସ୍ତ୍ରୀୟଭାଷା ବୋଲି ସେହି ବର୍ଷ ମାର୍ଚ୍ଚ ୧୧ତାରିଖରେ ରାଷ୍ଟ୍ରପତିଙ୍କଦ୍ୱାରା ସ୍ୱୀକୃତ ହୋଇ ଭାରତ ରାଜପତ୍ରଦ୍ୱାରା ଘୋଷିତ ହେଲା ।
ଶାସ୍ତ୍ରୀୟମାନ୍ୟତାପାଇଁ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥିବା ୪ଟି ମାନଦଣ୍ଡ ଅନୁସାରେ ଭାରତ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ଥାନୀତ ଭାରତୀୟ ଭାଷାର ୧୫୦୦ ରୁ ୨୦୦୦ ବର୍ଷ ଧରି ଲିପିବଦ୍ଧ ଇତିହାସ ଓ ସଂସ୍କୃତି ଥିବ । ଏହି ଭାଷାରେ ମହତ୍ୱପୂର୍ଣ୍ଣ ପ୍ରାଚୀନ ସାହିତ୍ୟ ରଚନା ପରଂପରା ଥିବ । ଅନ୍ୟ କୌଣସି ଭାଷାଦ୍ୱାରା ପ୍ରଭାବିତ ନ ହୋଇ ମୌଳିକ ସୃଷ୍ଟିସମ୍ଭାରରେ ସମୃଦ୍ଧ ଥିବ । ବ୍ୟବହାରିକତା ଦୃଷ୍ଟିରୁ ଭାଷାର ପ୍ରାଚୀନ ଓ ଆଧୁନିକ ରୂପ ମଧ୍ୟରେ ଅବିଚ୍ଛିନ୍ନ ସଂପର୍କ ନ ଥାଇପାରେ । ଏହି ମାନଦଣ୍ଡ ଆଧାରରେ ଓଡିଆ ଭାଷା ଶାସ୍ତ୍ରୀୟମାନ୍ୟତାପାଇଁ କରିଥିବା ଯୁକ୍ତି ହେଉଛି - ଓଡିଆ ଏକ ପ୍ରାଚୀନ ମୌଳିକ ଭାଷା ତଥା ଏହା ସଂସ୍କୃତରୁ ସୃଷ୍ଟି ନୁହେଁ । ଏହା ଅନ୍ୟ ଭାଷା ଭଳି ସଂସ୍କୃତଦ୍ୱାରା ପ୍ରଭାବିତ । ଏଥିପାଇଁ ଇଂରେଜ ବିଦ୍ୱାନ ଓମାଲି ଓ ବହୁ ଭାଷା ଗବେଷକଙ୍କ ମତକୁ ଦୃଷ୍ଟାନ୍ତ ଭାବରେ ପ୍ରଦାନ କରାଯାଇଥିଲା । ପ୍ରାଚୀନ ଓଡିଆ ଲିପି ଭାବରେ ୫ହଜାର ବର୍ଷ ତଳର ଯୋଗୀମଠ ଚିତ୍ରଲିପିରେ ଥିବା “ଠ” ଲିପି ଭାରତ ବର୍ଣ୍ଣମାଳାର ସର୍ବପ୍ରାଚୀନ ଲିପି ବୋଲି ସପ୍ରମାଣ ଉପସ୍ଥାପନ କରାଗଲା । ଓଡିଶାର ସମୃଦ୍ଧ ଇତିହାସ, ସାହିତ୍ୟ ଓ ସଂସ୍କୃତିର ନିରବଚ୍ଛିନ୍ନ କ୍ରମିକ ବିକାଶ ଭାବରେ ଅଶୋକ, ଖାରବେଳ, ଶତ୍ରୁଭଞ୍ଜଙ୍କ ଶିଳାଲେଖ ସହିତ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ଭାରତର ପ୍ରଥମ କାବ୍ୟସାହିତ୍ୟ ବୋଲି ପ୍ରମାଣ କରାଯାଇ ଖାରବେଳଙ୍କଠାରୁ ଆଧୁନିକ ଓଡିଆ ସାହିତ୍ୟର ଉନ୍ମେଷ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଦେଖାଦେଇଥିବା ସାହିତି୍ୟକ ମୋଡ ପରିବର୍ତ୍ତନର ଐତିହାସିକ କାରଣ ଉପସ୍ଥାପନ ମାଧ୍ୟମରେ ପ୍ରାଚୀନରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାର ଇତିହାସ ଓ ଓଡିଆ ସାହିତ୍ୟର କ୍ରମିକତା ଓ ମୌଳିକତାକୁ ପ୍ରମାଣ କରାଯାଇଥିଲା ।
କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ପ୍ରତିବର୍ଷ ଶାସ୍ତ୍ରୀୟମାନ୍ୟତାପ୍ରାପ୍ତ ଭାଷା ଉପରେ ଗବେଷଣା କରିଥିବା ୮ଜଣ ବିଦ୍ୱାନଙ୍କୁ ଆନ୍ତର୍ଜାତିକ ସ୍ତରର ପୁରସ୍କାର ପ୍ରଦାନ କରାଯାଇଥାଏ । ତିନୋଟି ବିଭାଗରେ ବିଭକ୍ତ ଉକ୍ତ ପୁରସ୍କାର ମଧ୍ୟରୁ ୬୦ବର୍ଷରୁ ଉଦ୍ଧ୍ୱର୍ ଜଣେ ବରିଷ୍ଠ ଶିକ୍ଷାବିତଙ୍କ ଶାସ୍ତ୍ରୀୟ ଓଡିଆଭାଷାପାଇଁ ଜୀବନବ୍ୟାପୀ ସାଧନା ନିମିତ୍ତ, ଓଡିଆଭାଷା ଉପରେ ବ୍ୟାପକ ଗବେଷଣା କରିଥିବା ଜଣେ ବିଦେଶୀ ଓ ଜଣେ ଭାରତୀୟ ଗବେଷକଙ୍କୁ ଆନ୍ତର୍ଜାତିକ ସମ୍ମାନ ଓ ଶାସ୍ତ୍ରୀୟ ଓଡିଆଭାଷାପାଇଁ ଗବେଷଣାରତ ଯୁବ ଗବେଷକଙ୍କୁ ଏହି ସମ୍ମାନ ସ୍ୱରୂପ ମହର୍ଷି ବାଦରାୟଣ ବ୍ୟାସ ସମ୍ମାନ ପ୍ରଦାନ କରାଯାଇଥାଏ । ପ୍ରାୟ ୧୧ଟି ପୁସ୍ତକର ସ୍ରଷ୍ଟା ଥିବା ଡକ୍ଟର ପୃଷ୍ଟିଙ୍କ ଭାଷା ସମ୍ପର୍କୀତ ପୁସ୍ତକ ହେଉଛି ପ୍ରସଙ୍ଗ ଓଡିଆଭାଷା ଓ ସାହିତ୍ୟ, ଓଡିଆଭାଷା ସାହିତ୍ୟ ପରିଚୟ, ଭାଷା ଓ ଜାତୀୟତା, ଶାସ୍ତ୍ରୀୟଭାଷା ଓଡିଆ । ଏଥିସହିତ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଗବେଷେଣା ପ୍ରବନ୍ଧ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ସ୍ତରୀୟ ଆଲୋଚନାଚକ୍ରରେ ପାଠ ହେବା ସହିତ ବିଭିନ୍ନ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ସମ୍ପ୍ରତି ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ତଥା ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରାମର୍ଶଦାତା ଥିବା ଡକ୍ଟର ପୃଷ୍ଟି ଭାରତୀୟ ଲିପିର ଉପôତ୍ତି ଓ କ୍ରମବିକାଶ ଉପରେ ଗବେଷଣାରତ ଥିବାବେଳେ ବିକ୍ରମଖୋଲ ଶିଳାଲେଖର ଲିପି ଚିହ୍ନଟ କରି ଏହାକୁ ପାଠ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗବେଷଣା ସହିତ ଓଡିଆଭାଷାକୁ ଜ୍ଞାନ ଓ ବିକାଶର ଭାଷା ବାବରେ ପ୍ରତିଷ୍ଠିତ କରିବାପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରିୟ କ୍ଲାସିକାଲ ଓଡିଆ ସଂସ୍ଥା ସ୍ଥାପନ, ଓଡିଆରେ ସରକାରି କାମ ତଥା ଓଡିଆ ମାଧ୍ୟମରେ ବିଭିନ୍ନ ପ୍ରବେଶିକା ଓ ପ୍ରତିଯୋଗିତାମୂଳକ ପରୀକ୍ଷା ଆୟୋଜନରେ ପ୍ରମୁଖ ଭୂମିକା ରହିଛି ।