ଏବେ ଶୁଖିଲା ପାଗ, ୬ରୁ ବର୍ଷା

ଏବେ ଶୁଖିଲା ପାଗ, ୬ରୁ ବର୍ଷା

ଏବେ ଶୁଖିଲା ପାଗ, ୬ରୁ ବର୍ଷା
ଭୁବନେଶ୍ୱର : ରଥଯାତ୍ରାରେ ସାରା ଓଡ଼ିଶାରେ ଶୁଖିଲା ପାଗ ରହିବା ଉତ୍ତର ଓ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ । ବାକି ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ଉପକୂଳରେ ଝିପିଝିପି ବର୍ଷା ହୋଇପାରେ । ତେବେ ଦିନର ତାପମାତ୍ରା ୩୫ ଡିଗ୍ରୀ ଭିତରେ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆହୁରି କୁହାଯାଇଛି ଯେ ଆସନ୍ତା ତିନି ଦିନ ଯାଏ ଶୁଖିଲା ପାଗ । ଜୁଲାଇ ୬ ରୁ ପୁଣି ଥରେ ବର୍ଷା ଲେଉଟିବ । ୬ ତାରିଖ ଠାରୁ ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୭ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଭଦ୍ରକରେ ବର୍ଷାର ସମ୍ଭାବନା ରହିଛି । ମୌସୁମୀ ସକ୍ରିୟ ରହିଥିବାରୁ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସଜୀବୀମାନେ ସମୁଦ୍ରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଜୁଲାଇ ୪ ରୁ ୧୨ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଉପକୂଳ ଓଡ଼ିଶାରେ ହାଲକା ବର୍ଷା ହୋଇପାରେ । ତେବେ ଜୁଲାଇ ୯ ପର୍ଯ୍ୟନ୍ତ ଓଡ଼ିଶାର ଅନ୍ୟ ସ୍ଥାନ ଗୁଡ଼ିକ ଶୁଖିଲା ରହିବ । ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ହୋଇପାରେ । ୱେଲ ମାର୍କତ ଲୋ ପ୍ରେସର ଓଡ଼ିଶା ଉପରୁ ହଟିବା ପରେ ବର୍ଷା ପରିମାଣ କମିଛି । ଆଜି ଦିନ ସାରା ମାଲକାନଗିରିରେ ସର୍ବାଧିକ ୧୫ ମିମି ବର୍ଷା ହୋଇଛି । ଏହାବ୍ୟତୀତ ସୁନ୍ଦରଗଡ଼ ଓ କୋରାପୁଟରେ ୮ ମିମି ଲେଖାଏଁ ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୩.୨, ଚାନ୍ଦବାଲି ଓ ତାଳଚେରରେ ୩ ମି.ମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି ।