ଥିଲେ କ୍ରୀଡ଼ା ଶିକ୍ଷକ, ହେଲେ ମୁଖ୍ୟମନ୍ତ୍ରୀ

ଥିଲେ କ୍ରୀଡ଼ା ଶିକ୍ଷକ, ହେଲେ ମୁଖ୍ୟମନ୍ତ୍ରୀ

ଥିଲେ କ୍ରୀଡ଼ା ଶିକ୍ଷକ, ହେଲେ ମୁଖ୍ୟମନ୍ତ୍ରୀ

ହେମାନନ୍ଦ ବିଶ୍ୱାଳ ହେଉଛନ୍ତି ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଆଦିବାସୀ ଚେହେରା  । ଝାରସୁଗୁଡ଼ାର ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ହେମାନନ୍ଦ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ  । ୧୯୩୯ ମସିହା ଡିସେମ୍ବର ୧ରେ ଜନ୍ମିତ ହେମାନନ୍ଦଙ୍କର ଫେବୃଆରୀ ୨୫ରେ ପରଲୋକ ହୋଇଯାଇଛି  ।

୧୯୭୦ରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ  । ୧୯୬୭ରେ ସେ ଝାରସୁଗୁଡ଼ା କିର୍ମିରା ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ  ।  ୧୯୭୪ରେ ପ୍ରଥମ ଥର ପାଇଁ ସେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଲଇକେରା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  । ଏହାପରେ ୧୯୮୦ରୁ ୨୦୦୪ ପର୍ଯ୍ୟନ୍ତ ସେ ଲଗାତର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇପାରିଥିଲେ  । ୧୯୮୪ରେ ସେ ସମ୍ବଲପୁର ଜିଲ୍ଳା କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ  । ୧୯୮୫ରୁ ୧୯୮୬ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ  । ୧୯୮୯ ଡିସେମ୍ବର ୭ରୁ ୧୯୯୦ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଓ ୧୯୯୯ ଡିସେମ୍ବର ୬ରୁ ୨୦୦୦ ମସିହା ମାର୍ଚ୍ଚ ୫ ପର୍ଯ୍ୟନ୍ତ ଦୁଇଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ  । ଦୁଇ ଦଫାରେ ସେ ୧୭୮ ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ  । ୨୦୦୯ରେ ସେ ସୁନ୍ଦରଗଡ଼ରୁ ସାଂସଦ ଭାବେ ନିର୍ବାଚିତ ହୋଇ ଲୋକସଭା ଯାଇଥିଲେ  ।

ପଙ୍କରୁ ପଦ୍ମ ଫୁଟିବା ଭଳି ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା  ହେମାନନ୍ଦ ବିଶ୍ୱାଳ ରାଜ୍ୟ ରାଜନୀତିର ଶୀର୍ଷରେ ପହଁଚି ପାରିଥିଲେ  । ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ବିରେନ ମିତ୍ର, ସଦାଶିବ ତ୍ରିପାଠୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିଶ୍ୱନାଥ ଦାସ, ନନ୍ଦିନୀ ଶତପଥି, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ଦ୍ୱାଦଶ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମାନନ୍ଦ  । ରାଜ୍ୟର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବାର ସେ ସୌଭାଗ୍ୟ ଲାଭ କରିଥିଲେ  ।

୧୯୩୯ ମସିହା ଡିସେମ୍ବର ୧ରେ ଝାରସୁଗୁଡ଼ା ଜିଲ୍ଲା ଠାକୁରପଡ଼ାରେ ହେମାନନ୍ଦ ଜନ୍ମଗ୍ରହଣ କରିଥିଲେ  । ତାଙ୍କ ବାପାଙ୍କ ନାମ ବାସୁଦେବ ବିଶ୍ୱାଳ ଓ ମା’ଙ୍କ ନାମ ତ୍ରିମଣି ବିଶ୍ୱାଳ  । ଛାତ୍ର ଜୀବନରେ ଖେଳ ଓ ନାଟକ ପ୍ରତି ତାଙ୍କର ସ୍ୱତନ୍ତ୍ର ରୁଚି ରହିଥିଲା  । ଫୁଟବଲ, ଆଥଲେଟିକ୍ସ ଆଦି ଖେଳ ସହିତ ନାଟକରେ ନିଜ ଶିକ୍ଷାନୁଷ୍ଠାନର ନାଁ ରଖିଥିଲେ  । କିର୍ମିରା ସରକାରୀ ହାଇସ୍କୁଲରେ ଖେଳ ଶିକ୍ଷକ ଭାବେ ସେ ଚାକିରୀ ଜୀବନ ଆରମ୍ଭ କରିଥିଲେ  । କିନ୍ତୁ ରାଜନୀତି ପ୍ରତି ତାଙ୍କର ଆଗ୍ରହ ଥିବାରୁ ସେ ଶିକ୍ଷକତା ଚାକିରୀ ଛାଡ଼ି ରାଜନୀତି ସହ ଯୋଡ଼ି ହୋଇ ଯାଇଥିଲେ  । ପାଞ୍ଚ ଦଶନ୍ଧିର ରାଜନୀତିକ ଜୀବନରେ ସେ ଅନେକ ସଫଳତା ସାଉଁଟିବା ସହ ରାଜ୍ୟ ରାଜନୀତିର ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ  । 

ଗତ ୪ ତାରିଖରେ ସେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଝୁଣ୍ଟି ପଡ଼ିବାରୁ ଆଘାତପ୍ରାପ୍ତ ହୋଇଥିଲେ । ସେହିପରି ତାଙ୍କର ଶ୍ୱାସଜନିତ ସ୍ୱାସ୍ଥ୍ୟ ସମସ୍ୟା ଥିବାବେଳେ ଜ୍ୱର ମଧ୍ୟ ହୋଇଥିଲା  । ନିମୋନିଆ ଲକ୍ଷଣ ଦେଖାଦେବାରୁ ଗତ ୮ ତାରିଖରେ ହେମାନନ୍ଦଙ୍କୁ ତାଙ୍କ ଝିଅ ସୁନୀତା ବିଶ୍ୱାଳ ଓ ଜ୍ୱାଇଁ ରମେନ୍ଦ୍ର ପ୍ରଧାନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ  । କିନ୍ତୁ ଏକାଧିକ ରୋଗ କାରଣରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଆଶାନୁରୂପକ ଉନ୍ନତି ପରିଲକ୍ଷିତ ହୋଇନଥିଲା  । ଗତ ଶୁକ୍ରବାର ରାତିରେ ତାଙ୍କର ପରଲୋକ ହୋଇଥିଲା  ।