ଅଭାବ ଓ ଅନ୍ଧ ବିଶ୍ୱାସ କାରଣରୁ ଖାଉଚନ୍ତି ମାଟି ବିସ୍କୁଟ
ନୂଆଦିଲ୍ଲୀ : ହାଇତି ବିଶ୍ୱର ଅନ୍ୟତମ ଦରିଦ୍ର ଦେଶ ଭାବେ ପରିଚିତ । ଯାହାର ଜନସଂଖ୍ୟା ପ୍ରାୟ ୧ କୋଟି ୨୦ ଲକ୍ଷ । ଏଠାକାର ବାସିନ୍ଦାମାନେ ଏକାଂଶ ଏତେ ଗରିବ ଯେ ଅନେକ ସମୟରେ ସେମାନେ ମାଟିରୁ ଏକ ପ୍ରକାର ବିସ୍କୁଟ, କୁକି ତିଆରି କରି ଖାଇବାକୁ ବାଧ୍ୟ ହୁଅନ୍ତି । ଦରିଦ୍ର ଲୋକମାନେ ଦ୍ୱିପହରରେ ଖାଦ୍ୟ ହିସାବରେ ସାଧାରଣତଃ ଏହି ମାଟିବିସ୍କୁଟ ଖାଇଥାଆନ୍ତି । ମୂଲ୍ୟବୃଦ୍ଧି କାରଣରୁ ହାଇତିର ଅନେକ ଲୋକ ଗୋଟିଏ ଓଳିର ଖାଦ୍ୟ ଯୋଗାଡ଼ କରିବାକୁ ବି ଅକ୍ଷମ । ପେଟର ଜ୍ୱାଳା ମେଂଟାଇବା ପାଇଁ ମାଟିରୁ ପ୍ରସ୍ତୁତ ବିସ୍କୁଟ ବା କୁକିକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ।
୨୦୦୭ ମସିହାରେ ହୋଇଥିବା ଘୃର୍ଣ୍ଣିବାତ୍ୟା ଏବଂ ୨୦୧୦ ମସିହାରେ ହୋଇଥିବା ଭୂକମ୍ପ କାରଣରୁ ଜାତିସଂଘ ତରଫରୁ ଜରୁରୀ ଘୋଷଣା କରାଯାଇଥିଲା । ସେହି ପରିସ୍ଥିତିରୁ ଆଜି ଯାଏଁ ଠିକ୍ ଭାବେ ବାହାରି ପାରିନି ହାଇତି । ସେହିଚ କାରଣରୁ ସେଠାକାର ଲୋକମାନେ ବଂଚିରହିବା ପାଇଁ ମାଟି ବିସ୍କୁଟ ଉପରେ ନିର୍ଭର କରିବା ପାଇଁ ବାଧ୍ୟ ହେଉଛନ୍ତି । ମାଟିର କୁକି ତିଆରି ହୋଇ ହାଇତିର ହିନଚେ ସହରରୁ ଆସି ଲା ସାଲାଇନ୍ ସହରରେ ବିକ୍ରି ହୁଏ । ପନିପରିବା, ମାଛ ମାଂସ, ତେଜରାତି ସହ ଏହି ମାଟି ମଧ୍ୟ ବିକ୍ରି ହୋଇଥାଏ ।
ପ୍ରଥମେ ବଜାରରୁ ସେହି ଶୁଖିଲା ମାଟି କିଣା ଯାଇ ସେଥିରୁ ଗୋଡ଼ି , ଛୋଟପଥର ବାହାର କରାଯାଇ ତାକୁ ଖରାରେ ଶୁଖାଇ ସବୁକୁ ବାହାର କରିଦିଆଯାଇଥାଏ । ଏହାପରେ ସେହି ମାଟିକୁ ମଶୃଣ କରି ଗୁଣ୍ଡ କରି ଦିଆଯାଏ । ଏହାପରେ ସେଥିରେ ପାଣି ମିଶାଇ ବହଳିଆ ମଣ୍ଡ ତିଆରି କରାଯାଏ । ଶେଷରେ ସେହି ମଣ୍ଡରେ ଲୁଣ ଏବଂ ମସଲା ମିଶାଯାଇ ଛୋଟ ଛୋଟ ରୁଟି ଭଳି କରି ପତଳା କରି ଜରି ଉପରେ ଶୁଖାଯାଏ । ଦୁଇରୁ ତିନି ଦିନ ଖରାରେ ଶୁଖିଲା ପରେ ପ୍ରସ୍ତୁତ ହୋଇଯାଏ ମାଟି ବିସ୍କୁଟ । ଅନେକ ସମୟରେ ହାଇତି ବଜାରେ ବି ଲହି ମାଟି ବିସ୍କୁଟ ଖୁବ୍ କମ୍ ଦାମରେ ବିକ୍ରି ହୋଇଥାଏ ।
ହାଇତିର କିଛି ଲୋକଙ୍କ କହିବାନୁସାରେ ମାଟି ବିସ୍କୁଟରେ ଏକପ୍ରକାର ପୈାଷ୍ଟିକ ତତ୍ୱ ରହିଛି ଯାହା ଗର୍ଭବତୀ ମଡିଳା ଏବଂ ଛୋଟପିଲାଙ୍କ ପାଇଁ ଉପକାରୀ । ଗର୍ଭବତୀ ମହିଳାମାନେ ଏହି ବିସ୍କୁଟ ଖାଇଲେ ସେମାନଙ୍କ ସନ୍ତାନ ସୁସ୍ଥ ରହିବେ ବୋଲି ବିଶ୍ୱାସ ରହିଛି । କିନ୍ତୁ ବିଶେଷଜ୍ଞଙ୍କ ମ ତରେ ଏହି ବିସ୍କୁଟ ଖାଇବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତିକର ପ୍ରଭାବ ପଡ଼ିଥାଏ । ତେବେ ଚିକିତ୍ସକଙ୍କ କଥାକୁ ନଶୁଣି ଏବେ ବି ସେହି ଦେଶରେ ମାଟି କୁକି ଖାଇବାର ପରମ୍ପରା ଚାଲୁ ରହିଛି ।