ନିବେଶ ପାଇଁ ବିଦେଶୀ ଅମଙ୍ଗ : ଦେଶର କ୍ଷତି କରୁଛି ତେଲ ଦର

ନିବେଶ ପାଇଁ ବିଦେଶୀ ଅମଙ୍ଗ : ଦେଶର କ୍ଷତି କରୁଛି ତେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍‌ ଦର ନିର୍ଧାରଣ ପ୍ରକ୍ରିୟାକୁ ଯଦିଓ ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ କରାଯାଇଛି, ଏହାର ପ୍ରଭାବ ଦେଶର ବଡ଼ ଧରଣର କ୍ଷତି ହେଉଛି। ବିଦେଶୀ କଂପାନିଗୁଡ଼ିକ ଭାରତକୁ ଭରସା କରିପାରୁନାହାନ୍ତି। ଘରୋଇ କଂପାନିଗୁଡ଼ିକର ଅବସ୍ଥା ଆହୁରି ଖରାପ ରହିଛି। ତୈଳ ମୂଲ୍ୟ ନିର୍ଧାରଣରେ ଅଜବ ନୀତି ଯୋଗୁ ଏକ ପସନ୍ଦର ନିବେଶ ସ୍ଥଳ ଭାବେ ଭାରତ ଏହାର ଆକର୍ଷଣ ହରାଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

୨୦୨୧ ନଭେମ୍ବରରୁ ୨୦୨୨ ମାର୍ଚ୍ଚ ଭିତରେ ଅଶୋଧିତ ତୈଳର ବ୍ୟାରେଲ ପିଛା ହାରାହାରି ଦାମ୍ ୧୧୧ ଡଲାର ଥିବା ବେଳେ ସେହି ସମୟରେ ତିନି ସରକାରୀ ତେଲ କଂପାନି ଇଣ୍ଡିଆନ ଅଏଲ୍‌, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ୨୨୫ କୋଟି ଡଲାର କ୍ଷତି ସହିଥିଲେ। ରିଲାଏନ୍ସ ଓ ଏସାର ଭଳି ଘରୋଇ କଂପାନି ଲାଗି ବ୍ୟବସାୟର କୌଣସି ସୁଯୋଗ ହିଁ ନଥିଲା। ଅତୀତରେ ମଧ୍ୟ ସେଭଳି ସ୍ଥିତି ସୃଷ୍ଟି ହୋଇଥିଲା। ରିଲାଏନ୍ସ ଭଳି କଂପାନି ନିଜର ପେଟ୍ରୋଲ୍ ପମ୍ପଗୁଡ଼ିକୁ ୧୫ ବର୍ଷ ବନ୍ଦ ରଖିଥିଲେ।

ତୈଳ ଦର ନିର୍ଧାରଣ ଉପରେ ସରକାରଙ୍କ ପରୋକ୍ଷ ହସ୍ତକ୍ଷେପ ତୈଳ କ୍ଷେତ୍ରରେ ବିଦେଶୀ ଓ ଘରୋଇ ନିବେଶକୁ ପ୍ରଭାବିତ କରିଛି। ସେଲ୍‌ ଓ ଆରାମ୍‌କୋ ଭଳି ବିଶ୍ବସ୍ତରୀୟ ତୈଳ କଂପାନି ଭାରତ ଆସିବାକୁ ଚାହୁନାହାନ୍ତି। ଫଳରେ ଭାରତ କୋଟି କୋଟି ଡଲାରର ପୁଞ୍ଜିନିବେଶ ହରାଉଛି। ଏହି ନିବେଶ ଆସିଲେ ସରକାରଙ୍କୁ ଇଲେକ୍ଟ୍ରିକ୍ ଯାନ ଉପରେ ସବ୍‌ସିଡି ଦେବାକୁ ପଡ଼ିନଥାନ୍ତା। ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡ଼ିନଥାନ୍ତା ବୋଲି ବିଶେଷଜ୍ଞମାନେ କହିଛନ୍ତି।

ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ଅଶୋଧିତ ତୈଳ ଦାମ୍ ୧୪୬ ଡଲାର ପର୍ଯ୍ୟନ୍ତ ବୃଦ୍ଧି ହେବା ଓ ସେଠାରୁ ୮୫ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇବା ଭିତରେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ ଟଙ୍କାଟିଏ ପରିବର୍ତ୍ତନ ହୋଇନି। ସେଥିପାଇଁ ନିବେଶକମାନେ ଭାରତର ତୈଳ କ୍ଷେତ୍ରରେ ନିବେଶ କରିବାକୁ ଚାହୁନାହାନ୍ତି। କାରଣ ସରକାରୀ ତେଲ କଂପାନି ସହ ପ୍ରତିଦ୍ବନ୍ଦ୍ବିତା କରିବା କଷ୍ଟକର ବୋଲି ସେମାନେ ଭଲ ଭାବେ ଜାଣିଛନ୍ତି।

୨୦୨୧ ନଭେମ୍ବରରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ୧୩୭ ଦିନ ପର୍ଯ୍ୟନ୍ତ ତୈଳ ଦର ଅପରିବର୍ତ୍ତିତ ରହିଥିଲା। ଗତବର୍ଷ ଏପ୍ରିଲ୍‌ ୬ ପରଠାରୁ ତେଲ ଦାମ୍ ଆଉ ବଦଳିନାହିଁ। ସେହି ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ୧୪୮ ଡଲାରରୁ ୮୫ ଡଲାରକୁ ହ୍ରାସ ପାଇଥିଲେ ମଧ୍ୟ ତାହାର କୌଣସି ଲାଭ ଗ୍ରାହକଙ୍କୁ ମିଳିନାହିଁ। ନୁମୋରାର ଆକଳନ ଅନୁସାରେ ଚଳିତ ବର୍ଷ ଏପ୍ରିଲ୍‌-ଜୁନ୍ ତିନି ମାସରେ ତୈଳ ବିପଣନ କଂପାନିଗୁଡ଼ିକ ରେକର୍ଡ ଲାଭ କରିବେ।

କଂପାନିଗୁଡ଼ିକର ଲାଭ ହେଲେ ତେଲ ଦାମ୍ ଆପେ କମିବ ବୋଲି କିଛି ଦିନ ପୂର୍ବେ ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ। ତୈଳ ଦର ନିର୍ଧାରଣ ପ୍ରକ୍ରିୟା ପ୍ରକୃତରେ ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ହୋଇଥିଲେ ତାହା ବଜାର ଅନୁସାରେ ନିର୍ଧାରଣ ହେଉଥାନ୍ତା। ମାତ୍ର ଦୀର୍ଘଦିନ ପର୍ଯ୍ୟନ୍ତ ଦାମ୍ ଅପରିବର୍ତ୍ତିତ ରହିବା ଚିନ୍ତାର କାରଣ ପାଲଟିଛି। ‌ତୈଳ ଦରକୁ ସବୁପ୍ରକାର ନିୟନ୍ତ୍ରଣରୁ ମୁକ୍ତ କରିବା ଲାଗି ବିଶେଷଜ୍ଞମାନେ ଦାବି କରିଛନ୍ତି।