ଦିନକୁ 31 ଟଙ୍କା ପାଇଁ ଜୀନକୁ ବାଜି ଲଗାଇଥାନ୍ତି
ଭୁବନେଶ୍ବର : ବନ୍ୟା ହେଉ କି ବାତ୍ୟା, ଦୁର୍ଘଟଣା ହେଉ ଅବା ପ୍ରାକୃତିକ ବିପଯ୍ୟୟ । ନହେଲେ ହେଉ ଭିଡ ନିୟନ୍ତ୍ରଣ, ରଥଯାତ୍ରା ବା ପୋଲିସ ସହ କାନ୍ଧ ମିଳାଇ ଛିଡା ହେବା । ସବୁଠି ଛାତି ଦେଖାଇ ଛିଡା ହୋଇଥାନ୍ତି ସିଭିଲ୍ ଡିଫେନ୍ସ ଟ୍ରୁପ୍ । ଅଗ୍ନିସମ ବିଭାଗ, ପୋଲିସ ସହିତ ଏମାନେ ହାତରେ ହାତ ମିଳାଇ ସବୁ ପରିସ୍ଥିତିରେ କାମ କରିଥାନ୍ତି । ଏମାନେ ପୋଲିସ ନୁହନ୍ତି, କିନ୍ତୁ ପୋଲିସ ଠାରୁ କମ୍ ନୁହନ୍ତି । ପ୍ରାକୃତିକ ବିପଯ୍ୟୟ ବେଳେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ଏନଡିଆରଏଫ୍ ସହ ତାଳ ଦେଇ କାମ କରନ୍ତି । ହେଲେ ବିଡମ୍ବନାର କଥା ଏମାନେ ସବୁ ପରିସ୍ଥିତିକୁ ସାମ୍ନା କରୁଥିଲେ ବି ସରକାରୀ ପ୍ରତାରଣାର ଶିକାର ହୋଇ ଆସୁଛନ୍ତି । ପୋଲିସ ଓ ସରକାରୀ ବିଭାଗ ଏମାନଙ୍କୁ ସବୁ ପ୍ରତିକୂଳ ପରିସ୍ଥିତିରେ ବ୍ୟବହାର କରି ପେଟକୁ ଲାତ ଓ ଜୀବନକୁ ବାଜିରେ ଲଗାଇ ଦେଉଛନ୍ତି । ସତେ ଯେମିତି ଏମାନେ ସରକାରଙ୍କର ସାବତ ପୁଅ । ସବୁ ପ୍ରକାର ବୈମାତୃକ ମନୋଭାବ ଏହି ସିଭିଲ୍ ଡିଫେନ୍ସ ଭାଇ ଭଉଣୀଙ୍କ ପ୍ରତି ଲାଗୁ ହେଉଛି ।
ଆମେ କହୁଛୁ ସିଭିଲ ଡିଫେନ୍ସ ଟ୍ରୁପର ସରକାରୀ ଅନୁଦାନ କଥା । ଏମାନେ ସରକାରୀ କାମରେ ତ ଲାଗନ୍ତି, କିନ୍ତୁ ସରକାରୀ ଚାକିରିଆ ନୁହନ୍ତି, ଦିନ ମଜୁରିଆ ଭାବେ ସରକାରୀ ଅନୁଦାନ ପାଆନ୍ତି । ତାହା ପୁଣି କେତେ ଟଙ୍କା ଆପଣ ଜାଣନ୍ତି ? ଦିନକୁ ମାତ୍ର ୩୧ ଟଙ୍କା । ହଁ ଆଜ୍ଞା ଆପଣ ଠିକ୍ ଶୁଣିଛନ୍ତି, ଦିନଟିଏ କାମ କଲେ ଏମାନଙ୍କୁ ମିଳେ ମାତ୍ର ୩୧ ଟଙ୍କା । ଏହି ୩୧ ଟଙ୍କା ଆୟ ପାଇଁ ସେ ନିଜ ଜୀବନ ବାଜିରେ ଲଗାଇ ଦିଅନ୍ତି । କିଏ ଜାଣେ ଡ୍ୟୁଟି କରୁ କରୁ ଯଦି ଜୀବନ ଚାଲିଗଲା, ତାହାଲେ କ୍ଷତି ପୁରଣ ସରକାରୀ ତହବିଲ ରେକର୍ଡରେ ନାହିଁ । ଏପରିକି ସିଭିଲ ଡିଫେନ୍ସ ଭାଇ ଭଉଣୀଙ୍କ ପାଇଁ ସରକାରୀ ଜୀବନ ବୀମାର ବ୍ୟବସ୍ଥା ବି ନାହିଁ ।
ସରକାରୀ ସ୍ତରରେ ଏଭଳି ସାଘାଂତିକ ମାନବାଧିକାର ଉଲଘଂନ ଆଉ କେଉଁଠି ଦେଖିବାକୁ ମିଳେ ନାହିଁ । ତାହା ପୁଣି ଓଡିଶାରେ ଅତି ସାଘାଂତିକ । ୧୮ ଜୁଲାଇ ୨୦୨୪, ଓଡିଶା ସରକାରଙ୍କର ଶ୍ରମ ବିଭାଗ ଗ୍ୟାଜେଟ୍ ନୋଟିଫିକେସନ୍ ଅନୁସାରେ ରାଜ୍ୟରେ ଅଣକୁଶଳୀ, ଅର୍ଧ କୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ ସବର୍କନିମ୍ନ ମଜୁରୀ ଭତ୍ତା ନିର୍ଦ୍ଧାରଣ ହୋଇଛି । ଜଣେ ଅଣକୁଶଳୀ ଶ୍ରମିକ ଦିନକୁ ୪୫୦ ଟଙ୍କା, ଅର୍ଧକୁଶଳୀ ଶ୍ରମିକ ୫୦୦ ଟଙ୍କା, କୁଶଳୀ ଶ୍ରମିକ ୫୫୦ ଟଙ୍କା ଓ ଉଚ୍ଚ କୁଶଳୀ ଦୈନିକ ୬୦୦ ଟଙ୍କା ସର୍ବନିମ୍ନ ପାଇବେ ।
ଏହି ନିୟମକୁ ଦେଖିଲେ, ଏମାନେ ସମସ୍ତେ ଦୈନିକ ସର୍ବନିମ୍ନ ୬୦୦ ଟଙ୍କା ପାଇବା ପାଇଁ ଯୋଗ୍ୟ । କାରଣ ପ୍ରତି ସିଭିଲ ଡିଫେନ୍ସ ପର୍ସନେଲ ଉଚ୍ଚ ତାଲିମ୍ ପ୍ରାପ୍ତ । କେମିତି ଧନ ଜୀବନ ବଂଚାଇ ହେବ ସେଥି ପାଇଁ ଭୁବନେଶ୍ୱର ଅଗ୍ନିଶମ ବିଭାଗ ତାଲିମ୍ କେନ୍ଦ୍ରରେ ପେଶାଗତ ତାଲିମ୍ ନେଇଥାନ୍ତି । ସେଠାରୁ ସଫଳତାର ସହ ପାସ୍ ଆଉଟ ହେବା ପରେ ସରକାରୀ କାମରେ ନିୟୋଜିତ ହୁଅନ୍ତି । ଏହି ଦୃଷ୍ଟିରୁ ସେମାନେ ଜଣେ ଜଣେ ଉଚ୍ଚ କୁଶଳୀ ଓ ସର୍ବନିମ୍ନ ୬୦୦ ଟଙ୍କା ପାଇବା ହକ୍ଦାର । ହେଲେ ମିଳୁଛି ମାତ୍ର ୩୧ ଟଙ୍କା ।
ଏବେ ଆସନ୍ତୁ ନଜର ପକାଇବା ସିଭିଲ୍ ଡିଫେନ୍ସ ପର୍ସନେଲଙ୍କୁ କେଉଁ ରାଜ୍ୟ କେତେ ଟଙ୍କା ପ୍ରଦାନ କରୁଛନ୍ତି । ଦିଲ୍ଲୀରେ ଦୈନିକ ୭୩୨ ଟଙ୍କା, ରାଜସ୍ଥାନରେ ୫୯୦ ଟଙ୍କା, ହରିୟାନାରେ ୫୭୨ ଟଙ୍କା, ପଶ୍ଚିମ ବଙ୍ଗରେ ୫୬୫ ଟଙ୍କା, ଏମିତି କି ବିହାରରେ ୪୦୦ ଟଙ୍କା । କିନ୍ତୁ ଆମ ଓଡିଶାରେ ଦେଶର ସର୍ବନିମ୍ନ ଭତା ରହିଛି । ସେହିପରି ତାଲିମ୍ ନେବା ବେଳେ ସିଭିଲ୍ ଡିଫେନ୍ସ ପର୍ସନେଲଙ୍କୁ ମିଳେ ମାତ୍ର ୨୮ ଟଙ୍କା ।
ତେବେ ଏ ସଂକ୍ରାନ୍ତରେ ବର୍ତମାନର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ୨୦୨୩ରେ ବିଧାୟକ ଥିବା ବେଳେ ସେତେବେଳର ସରକାରକୁ ସିଭିଲ୍ ଡିଫେନ୍ସ ପର୍ସନେଲଙ୍କ ଦୁରାବସ୍ଥା ସଂପର୍କରେ ଚିଠି ଲେଖିଥିଲେ । ଦୈନିକ ଭତା ସର୍ବନିମ୍ନ ୩୨୬ ଟଙ୍କା ଓ ତାଲିମ୍ ଭତା ୨୫୦ ଟଙ୍କା କରାଯାଉ ବୋଲି ଦାବି କରିଥିଲେ । କିନ୍ତୁ ସରକାର ଆଜି ଯାଏଁ ଏ ଗୁହାରି ଶୁଣି ନାହାନ୍ତି । ସେପଟେ କେନ୍ଦ୍ର ଅଗ୍ନିଶମ, ହୋମଗାର୍ଡ, ସିଭିଲ୍ ଡିଫେନ୍ସ ବିଭାଗର ଡିଜି ଦେଶର ସବୁ ରାଜ୍ୟକୁ ଚଳିତ ସେପଟେମ୍ବର ୪ ତାରିଖରେ ଚିଠି ଲେଖି ନିଦେ୍ର୍ଦଶ ଜାରି କରିଛନ୍ତି ଯେ ସିଭିଲ୍ ଡିଫେନ୍ସ ପର୍ସନେଲଙ୍କ ସର୍ବନିମ୍ନ ଭତା ୧୫୦ ଟଙ୍କା ଓ ତାଲିମ୍ ପାଇଁ ୧୪୦ ଟଙ୍କା ପ୍ରଦାନ କରିବାକୁ ।
ସରକାରଙ୍କୁ ଏଇଠି ଗୋଟିଏ ପ୍ରଶ, ଯେଉଁଠି ଚାଉଲ କିଲୋ ୫୦ ଟଙ୍କା, ଡାଲି କିଲୋ ଦେଢ ଶହ ଟଙ୍କା , ପିଆଜ କିଲୋ ୬୦ ଟଙ୍କା, ଆଳୁ କିଲୋ ୩୫ ଟଙ୍କା, ତେଲ ଲିଟର ୧୪୦ ଟଙ୍କା ଓ ପେଟ୍ରୋଲ ଲିଟର ଶହେ ଉପରେ, ସେଠାରେ ଏହି ସିଭିଲ୍ ଡିଫେନ୍ସ ପର୍ସନେଲ ୩୧ ଟଙ୍କାରେ କେମିତି ଚଳିବେ । ବିଡମ୍ବନାର କଥା ୨୫ ବର୍ଷ ସରକାରର ଥିବା ବିଜେଡି ଏହି ଭାଇ ଭଉଣୀଙ୍କ ପାଇଁ କିଛି ତ କରିଲେ ନାହିଁ । ଏବେ ଦେଖିବାର କଥା ମୋହନ ସରକାର ଏହି ବିଭାଗ ପାଇଁ କେତେ ସମ୍ବେଦନଶୀଳ ହେଉଛନ୍ତି ।