ବୃହତ୍ତମ ଥଣ୍ଟ ଧାରଣ କରିଥିବା କୁମ୍ଭୀର ଶିକାରୀ ପକ୍ଷୀ!
ବୃହତ୍ତମ ପକ୍ଷୀର ମାନ୍ୟତା ଓଟପକ୍ଷୀକୁ ମିଳିଛି। ତେବେ ସମଗ୍ର ଆକାର ଦୃଷ୍ଟିରୁ ଆହୁରି ଅନେକ ପ୍ରଜାତିର ବଡ଼ ବଡ଼ ପକ୍ଷୀ ମଧ୍ୟ ରହିଛନ୍ତି। ଆଫ୍ରିକାରେ ‘ସୋବିଲ୍’ ନାମକ ଏକ ପ୍ରକାର ବିରାଟକାୟ ଶିକାରୀ ପକ୍ଷୀ ଅଛି, ଯାହା ୫ ଫୁଟ ଉଚ୍ଚତା ଯାଏ ବଢ଼ିପାରେ। ଏହି ପକ୍ଷୀ ଅତ୍ୟନ୍ତ ହିଂସ୍ର ଏବଂ ନିଜର ବିଶାଳକାୟ ଥଣ୍ଟ ପାଇଁ ପ୍ରସିଦ୍ଧ। ନିଜ ବିଶାଳ ଥଣ୍ଟରେ ସେ କୌଣସି ଶିକାରକୁ ଗୋଟାପଣେ ଗିଳିଦେଇପାରେ। ସାଧାରଣତଃ ପୂର୍ବ ଆଫ୍ରିକାର ସନ୍ତସନ୍ତିଆ ସ୍ଥାନମାନଙ୍କରେ ଦେଖିବାକୁ ମିଳୁଥିବା ସୋବିଲ୍ର ପ୍ରମୁଖ ଆହାର ହେଉଛି ବିଭିନ୍ନ ପ୍ରକାର ମାଛ ଓ ସରୀସୃପ। ପ୍ରାୟ ୭୧ ପ୍ରତିଶତ ମତ୍ସ୍ୟାହାର ଉପରେ ନିର୍ଭର କରୁଥିବା ଏହି ଭୟଙ୍କର ପକ୍ଷୀ ହାବୁଡ଼ରେ ପଡ଼ିଲେ ବଡ଼ ବଡ଼ ସାପ ଓ କୁମ୍ଭୀର ଛୁଆ ମଧ୍ୟ ଆହାର ପାଲଟିଯା’ନ୍ତି।
ପ୍ରାଗୈତିହାସିକ ଯୁଗର ପ୍ରାଣୀ ଭଳି ଦିଶୁଥିବା ଏହି ପକ୍ଷୀ ଥଣ୍ଟର ଦୈର୍ଘ୍ୟ ହେଉଛି ଏକ ଫୁଟ। ଏହା ବିଶ୍ବର ତୃତୀୟ ବୃହତ୍ତମ ଥଣ୍ଟ ଧାରଣ କରିଥିବା ପକ୍ଷୀ। ପ୍ରାୟ ଏକାକୀ ରହିବାକୁ ପସନ୍ଦ କରୁଥିବା ଏହି ପକ୍ଷୀ ଥରକେ ମାତ୍ର ତିନିଟି ଅଣ୍ଡା ଦେଇଥାଏ। ତେବେ ଛୁଆ ଫୁଟିଲା ପରେ ଶାବକମାନଙ୍କ ଭିତରେ ଲଢ଼େଇ ଯୋଗୁଁ କେବଳ ଗୋଟିଏ ସୋବିଲ୍ ଛୁଆ ହିଁ ବଡ଼ ହେବାର ସୁଯୋଗ ପାଇଥାଏ। ଅନ୍ୟ ପ୍ରଜାତିର ମା’ପକ୍ଷୀମାନେ ନିଜ ଛୁଆକୁ ଆହାର ଯୋଗାଣଠାରୁ ଆରମ୍ଭ କରି ସୁରକ୍ଷା ପ୍ରଦାନ ଯାଏ ଯାବତୀୟ ଯତ୍ନ କରୁଥିବା ବେଳେ ସୋବିଲ୍ ପକ୍ଷୀ ନିଜ ଛୁଆ ପ୍ରତି ଆଦୌ ଯତ୍ନଶୀଳ ନଥାଏ। ଫଳସ୍ବରୂପ ସେମାନଙ୍କର ସଂଖ୍ୟା ଅତି ନଗଣ୍ୟ। ସମ୍ପ୍ରତି ସାରା ବିଶ୍ବରେ ମାତ୍ର ୫ ହଜାରରୁ ୮ ହଜାର ସୋବିଲ୍ ରହିଥିବାରୁ ତାହାକୁ ଏକ ବିପନ୍ନ ପ୍ରାଣୀ ଭାବେ ଘୋଷଣା କରାଯାଇଛି।