ସ୍ମରଣଶକ୍ତି ବଢ଼ାଏ ଯୋଗ
ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ ଶାରୀରିକ ବ୍ୟାୟାମ ସହ ମାନସିକ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ଶରୀରର ଯତ୍ନ ନେବାକୁ ଭୁଲିଯାଉଛେ, ଯାହାଦ୍ବାରା ଅନେକ ରୋଗର ଶିକାର ହେଉଛେ। ତେଣୁ ଶରୀରକୁ ଚଞ୍ଚଳ ରଖିବା ପାଇଁ ଯୋଗକୁ ବିକଳ୍ପ ଭାବେ ସମସ୍ତେ ଆପଣେଇ ପାରନ୍ତି। ଯୋଗ କରିବାଦ୍ବାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁଡ଼ିକ ମଜବୁତ୍ ହୋଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବେ ହୁଏ, ଯାହା ଆମ ଅଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ଶକ୍ତ କରିଥାଏ। ରକ୍ତଚାପକୁ ଏହା ସନ୍ତୁଳିତ ଅବସ୍ଥାରେ ରଖେ ଯଦ୍ବାରା ଡାଇବେଟିସ୍, ହୃଦ୍ରୋଗ, ଉଚ୍ଚ ରକ୍ତଚାପ, କ୍ୟାନ୍ସର ଭଳି ଅନେକ ରୋଗରୁ ଆମେ ରକ୍ଷା ପାଇଥାଉ। ଅନେକ ସମୟରେ ଅଧିକାଂଶ ଲୋକ ଚାପର ବଶବର୍ତ୍ତୀ ହୋଇ ଠିକ୍ ଭାବେ ଶୋଇ ପାରନ୍ତି ନାହିଁ। ଫଳରେ ସେମାନେ ନିଦ୍ରାହୀନତାର ଶିକାର ହୁଅନ୍ତି। ଏଥିରୁ ଯୋଗ କେତେକାଂଶରେ ଉପଶମ ଦେଇଥାଏ। ମାନସିକ ଭାରସାମ୍ୟ ଠିକ୍ ରଖିବା ଓ ସ୍ମରଣ ଶକ୍ତି ବଢ଼ାଇବା ଦିଗରେ ମଧ୍ୟ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।