ଜଳବାୟୁ ଲଢ଼େଇର ଯୁବ ମହିଳାଯୋଦ୍ଧା
ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରି ଶୀର୍ଷ ସ୍ଥାନ ଦଖଲ କରିବାରେ ଲାଗିଛନ୍ତି। ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସେମାନଙ୍କ ଭୂମିକା କିଛି କମ୍ ନୁହେଁ।
‘ଲେଡି ଟାର୍ଜନ’ ଭାବେ ଜଣାଶୁଣା ଯମୁନା ଟୁଡୁଙ୍କର ପରିବେଶ ସୁରକ୍ଷା ପାଇଁ ସ୍ବତନ୍ତ୍ର ଅବଦାନ ରହିଛି। ଝାଡ଼ଖଣ୍ଡରେ ଜନ୍ମିତ ଏହି ପରିବେଶ କର୍ମୀ ୨୦ ବର୍ଷ ଧରି ନିଜ ରାଜ୍ୟରେ ଜଙ୍ଗଲ ଜମିର ସଂରକ୍ଷଣ ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି। ବନାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଜଙ୍ଗଲ ପରିବେଶର ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସେ ଉତ୍ସାହିତ କରି ଆସୁଛନ୍ତି। ସେ ନିଜ ଗାଁର ମହିଳାମାନଙ୍କୁ ନେଇ ୧୯୯୦ ଦଶକରେ ‘ବନ ସୁରକ୍ଷା ସମିତି’ ନାମକ ସଂଗଠନ ଗଢ଼ିଥିଲେ। ଜଙ୍ଗଲରେ ବେଆଇନ ଖନନ ଓ ବୃକ୍ଷଛେଦନକୁ ରୋକିବା ପାଇଁ ସେ ସଂଗଠନର ସଦସ୍ୟାମାନଙ୍କୁ ଧରି ଜଙ୍ଗଲ ଜଗିବା ଆରମ୍ଭ କରିଥିଲେ। ତାଙ୍କର ଏହି ଅନବଦ୍ୟ ଅବଦାନ ପାଇଁ ତାଙ୍କୁ ୨୦୨୧ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ଜଳବାୟୁ ପରିବର୍ତ୍ତନର ପ୍ରଭାବ ପ୍ରତି ସାଧାରଣ ଲୋକଙ୍କ ଦୃଷ୍ଟି ଅାକର୍ଷଣ କରାଇବାରେ ରିଧିମା ପାଣ୍ଡେ ହେଉଛନ୍ତି ଅନ୍ୟତମ ଅଗ୍ରଣୀ ପରିବେଶ କର୍ମୀ। ତାଙ୍କୁ ଯେତେବେଳେ ମାତ୍ର ୯ ବର୍ଷ ହୋଇଥିଲା, ସେତେବେଳେ ସେ ଜଳବାୟୁ ପରିବର୍ତ୍ତନ ଦିଗରେ ଭାରତ ସରକାରଙ୍କ ଉଦାସୀନ ମନୋଭାବ ବିରୋଧରେ ନାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍ର ଦ୍ବାରସ୍ଥ ହୋଇଥିଲେ। ଜଳବାୟୁ ପରିବର୍ତ୍ତନ ଦିଗରେ ଉଲ୍ଲେଖନୀୟ ପ୍ରୟାସ ଯୋଗୁଁ ତାଙ୍କୁ ୨୦୨୦ରେ ‘ଚିଲ୍ଡ୍ରେନ୍ସ କ୍ଲାଇମେଟ୍’ ପୁରସ୍କାର ମିଳିଥିଲା। ସେ ଆହୁରି ଅନେକ ଜାତୀୟସ୍ତରୀୟ ସମ୍ମାନ ଓ ପୁରସ୍କାରର ଅଧିକାରିଣୀ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ନେଇ ବିଶ୍ବସ୍ତରରେ ଯୁବପିଢ଼ିଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ରିଧିମା।
ଦୀର୍ଘ ତିନି ଦଶନ୍ଧି ଧରି ଭାରତରେ ପରିବେଶ ସଚେତନତା ସୃଷ୍ଟି କରି ଆସୁଛନ୍ତି ସୁମୈରା ଅବଦୁଲାଲି। ପରିବେଶ ସୁରକ୍ଷା ପାଇଁ ଆଇନ ଯୁଦ୍ଧ ଲଢ଼ିବାଠାରୁ ଗଣମାଧ୍ୟମ ଜରିଆରେ ମତ ସୃଷ୍ଟି ଓ ଜନଆନ୍ଦୋଳନ ପର୍ଯ୍ୟନ୍ତ ବିଭିନ୍ନ ମାଧ୍ୟମରେ ସେ ନିଜ ଶାଣିତ ସ୍ବରକୁ ସକ୍ରିୟ ରଖିଛନ୍ତି। ତାଙ୍କ ପ୍ରତିଷ୍ଠିତ ପରିବେଶ ସଂଗଠନ ‘ଆଵାଜ ଫାଉଣ୍ଡେସନ’ ଉପକୂଳ ସୁରକ୍ଷା, ବର୍ଜ୍ୟ ପରିଚାଳନା, ଶବ୍ଦ ଓ ବାୟୁ ପ୍ରଦୂଷଣ ପରି ବହୁବିଧ ପରିବେଶ ଲାଗି କାର୍ଯ୍ୟ କରୁଛି। ପରିବେଶର ସ୍ଥାୟୀ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୧୩ରେ ‘ଗୋଲ୍ଡେନ୍ ଏନ୍ଭାରନ୍ମେଣ୍ଟ୍’ ପୁରସ୍କାର ପ୍ରଦାନ କରାଯାଇଥିଲା।
‘ସେଣ୍ଟର ଫର୍ ସାଇନ୍ସ ଆଣ୍ଡ୍ ଏନ୍ଭାରନ୍ମେଣ୍ଟ୍’ ଗବେଷଣା ପ୍ରତିଷ୍ଠାନର ମହାନିର୍ଦ୍ଦେଶିକା ଲେଖିକା ସୁନୀତା ନାରାୟଣ ହେଉଛନ୍ତି ଅନ୍ୟତମ ବରେଣ୍ୟ ପରିବେଶକର୍ମୀ। ତାଙ୍କ ଦ୍ବାରା ସମ୍ପାଦିତ ‘ଡାଉନ୍ ଟୁ ଆର୍ଥ’ ପତ୍ରିକାରେ ପରିବେଶର ଉନ୍ନତି ଓ ବୈଶ୍ବିକ ପାଣିପାଗ ସମସ୍ୟା ସମ୍ବନ୍ଧିତ ସାରଗର୍ଭକ ପ୍ରବନ୍ଧମାନ ପ୍ରକାଶିତ ହୋଇ ଆସୁଛି। ତାଙ୍କର ଏପରି ବିଶେଷ ଅବଦାନ ପାଇଁ ସେ ୨୦୧୬ ମସିହାରେ ‘ଟାଇମ୍’ ପତ୍ରିକାର ‘ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିତ୍ବ’ର ଶହେଜଣିଆ ତାଲିକାରେ ସ୍ଥାନ ପାଇଥିଲେ। ତାଙ୍କ ପ୍ରସ୍ତୁତ ବୃତ୍ତଚିତ୍ର ‘ବିଫୋର୍ ଦି ଫ୍ଲଡ୍’ ଜଳବାୟୁ ପରିବର୍ତ୍ତନ ଓ ଚାଷୀଙ୍କ ଉପରେ ତାହାର ପ୍ରଭାବ ସମ୍ପର୍କରେ ବିଶଦ୍ ଆଲୋକପାତ କରି ଚର୍ଚ୍ଚାରେ ରହିଥିଲା।
ପରିବେଶର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିଥିବା ବନ୍ଦନା ଶିବାଙ୍କ ପ୍ରୟାସ ଉଲ୍ଲେଖନୀୟ। ସେ ଏକାଧାରରେ ଜଣେ ଗବେଷକ, ଲେଖକ ଓ ପରିବେଶକର୍ମୀ। ଦିଲ୍ଲୀରେ ଅବସ୍ଥାପିତ ଶିବା ୨୦ଟି ପୁସ୍ତକ ରଚନା କରିଛନ୍ତି। ପ୍ରକୃତି ସହ ତାଳ ଦେଇ ସ୍ଥାୟୀ କୃଷି ପ୍ରଣାଳୀ ବଜାୟ ରଖିବା ପାଇଁ ସେ ସଚେତନତା ସୃଷ୍ଟି କରିଆସୁଛନ୍ତି। ଅତ୍ୟାଧୁନିକ ବିହନ ବ୍ୟବହାର କରି ଉଚ୍ଚ ଅମଳକ୍ଷମ ଫସଲକୁ ସେ ପସନ୍ଦ କରୁଥିବା ବେଳେ ଜୈବିକ କୃଷିକୁ ପ୍ରୋତ୍ସାହିତ କରି ପ୍ରାକୃତିକ ପରିବେଶର ସୁରକ୍ଷା ଉପରେ ମଧ୍ୟ ସେ ଗୁରୁତ୍ବରୋପ କରୁଛନ୍ତି। କୃଷିକ୍ଷେତ୍ରରେ ମହିଳାମାନଙ୍କୁ ପୁରୁଷ ସମାନ ସକ୍ରିୟ ସଦସ୍ୟ ଭାବେ ବିଚାର କରିବା ପାଇଁ ସେ ରାଜନୈତିକ ସ୍ତରରେ ପ୍ରଭାବ ପକାଇ ଆସୁଛନ୍ତି