ଲକ୍ଷ୍ମୀପୁର ନିର୍ବାଚନ ହାଲଚାଲ

ଲକ୍ଷ୍ମୀପୁର ନିର୍ବାଚନ ହାଲଚାଲ

 ଲକ୍ଷ୍ମୀପୁର ନିର୍ବାଚନ ହାଲଚାଲ
କୋରାପୁଟ: କୋରାପୁଟ ଜିଲ୍ଲାର ଏମିତି ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଲକ୍ଷ୍ମୀପୁର ଯେଉଁଠାରେ ପ୍ରତି ନିର୍ବାଚନରେ ଭୋଟରମାନେ ନେତା ବଦଳାଇବାର ପରମ୍ପରା ଚାଲି ଆସିଛି । ଏହି ବିଧାନସଭା କ୍ଷେତ୍ରରେ ଏବେ କଂଗ୍ରେସର ବିଧାୟକ ରହିଛନ୍ତି । ପଚାଂୟତ ନିର୍ବାଚନରେ ଏଠି ବିଜେଡିର ଆଶାତୀତ ସଫଳତା ଲାଭ କରିଛି । ତେଣୁ ବିଜେଡି ଶିବିର ଉତ୍ସାହିତ ରହିଥିଲାବେଳେ ପରମ୍ପରା ଭାଙ୍ଗିବା ଲକ୍ଷ୍ୟରେ ରହିଛି କଂଗ୍ରେସ । କଂଗ୍ରେସରୁ ବିଧାୟକ କୈଳାସ କୁଲେସିକା ପୁଣି ଥରେ ପ୍ରାର୍ଥୀ ହେଉଥିଲାବେଳେ ବିଜେଡି ଟିକେଟରେ ଜିଲ୍ଲା ପରିଷଦ ସଭାପତି ପ୍ରଭୂ ଜାନୀ ଲଢିବା ପ୍ରାୟ ଚୂଡାନ୍ତ ହୋଇଛି । ଏପଟେ ସେମାନଙ୍କୁ ବିଜେପି ଓ ବିଏସପି ମଧ୍ୟ ବଳ ଗୋଟାଇ କଡା ମୁକାବିଲା ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଲକ୍ଷ୍ମୀପୁର ବ୍ଳକ ସମେତ ବନ୍ଧୁଗାଁ ନାରାୟଣପାଟଣା ଓ ଦଶମନ୍ତପୁର ବ୍ଳକ ରହିଛି । ଭୋଟର ତାଲିକା ସଂଶୋଧନ ପରେ ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ହେଉଛନ୍ତି ୧,୬୮,୭୩୪ । ଗତ ବିଧାନସଭା ନିର୍ବାଚନରେ ଏଠାରେ କଂଗ୍ରେସ ନେତା କୈଳାସ କୁଲେସିକା ଓ କଂଗ୍ରେସରୁ ବିଜେଡିକୁ ଡେଇଁଥିବା ହେମା ଗମାଙ୍ଗୋ ପରସ୍ପର ବିରୋଧରେ ଲଢିଥିଲେ । କିନ୍ତୁ କୈଳାସ ଏକତରଫା ଭାବେ ଜିତି ପ୍ରଥମ ଥର ପାଇଁ ବିଧାନସଭାକୁ ଯାଇଥିଲେ । ବିଜେଡି ଗଠନ ପରଠାରୁ ଏହି ନିର୍ବାଚନମଣ୍ଡଳୀର କଂଗ୍ରେସ ସହିତ ମୁକାବିଲା କରୁଛି । ଗତ ୨୦୦୯ରେ ଏଠାରୁ ବିଜେଡିର ଝିନ୍ନ ହିକକା ଜିତି ବିଧାନସଭାକୁ ଯାଇଥିଲେ । ୨୦୦୪ରେ କଂଗ୍ରେସ ପ୍ରାର୍ଥୀ ଅନନ୍ତରାମ ମାଝୀ ବିଜେଡିରେ କମଳ ଲୋଚନ ସାଉନ୍ତାଙ୍କୁ ପରାସ୍ତ କରିଥିଲେ । ୨୦୦୦ ମସିହା ନିର୍ବାଚନରେ ବିଜେଡିର ବିଭୀଷଣ ମାଝୀ,୧୯୯୦ରେ ଜନତା ଦଳର ଅଖିଳ ସାଉନ୍ତା ଓ ୧୯୮୫ରେ କଂଗ୍ରେସର ଅନନ୍ତ ରାମ ମାଝୀ ଲକ୍ଷ୍ମୀପୁର ଆସନକୁ ଜିତିଥିଲେ । ଲକ୍ଷ୍ମୀପୁର ଆସନରେ ୧୯୮୫ ମସିହା ପରଠାରୁ କ୍ଷମତା ପରିବର୍ତନର ଏକ ଧାରା ଚାଲିଛି । ଅର୍ଥାତ ପ୍ରତି ୫ ବର୍ଷରେ ନେତା ବଦଳାଇଛନ୍ତି ଭୋଟର । କେଉଁ ଦଳ ଲଗାତର ଦୁଇଥର ଜିତି ପାରି ନାହିଁ । ୨୦୦୦ ମସିହା ପରଠାରୁ ହୋଇଥିବା ୪ଟି ନିର୍ବାଚନରେ ଦୁଇଥର ବିଜେଡି ଓ ଦୁଇଥର କଂଗ୍ରେସ ଜିତିଛି । ତେଣୁ ଏଥର ମଧ୍ୟ ପରିବର୍ତନ ଆଶାରେ ରହିଛି ବିଜେଡି । ଗତ ପଂଚାୟତ ନିର୍ବାଚନରେ ବିଜେଡି ଏହି ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ସମସ୍ତ ୭ ଟି ଯାକ ଜିଲ୍ଲା ପରିଷଦ ଜୋନକୁ ଜିତି ନିଜ ସ୍ଥିତି ସୁଦୃଢ କରିଛି । ସାଂସଦ ଝିନ୍ନ ହିକକା ପୁଣି ଥରେ ଏଠାରୁ ପ୍ରାର୍ଥୀ ହେବାକୁ ମନ ବଦଳାଇଥିଲେ ମଧ୍ୟ ଦଳ ତାଙ୍କୁ ସବୁଜ ସଙ୍କେତ ଦେଇନି । ବିଜେଡି ପକ୍ଷରୁ ପରଦା କୁଳେସିକା ଓ ପୋଡାଗଡ ସରପଂଚ ଭଗବାନ ମୁଦୁଲି ମଧ୍ୟ ଦଳୀୟ ଟିକେଟ ଆଶାରେ ରହିଛନ୍ତି । ଇତିହାସ ଓ ଗଣିତ ଆଧାରରେ ବିଜେଡି ଉତ୍ସାହିତ ରହିଛନ୍ତି । ହେଲେ କଂଗ୍ରେସ ବାଟ ଛାଡିବା ମୁଡରେ ନାହିଁ । ବିଧାୟକ କୈଳାସ କୁଲେସିକା ପୁଣି ଥରେ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇଥିଲାବେଳେ ସେ ଇତିହାସ ବଦଳାଇବା ଲକ୍ଷ୍ୟରେ ଅଛନ୍ତି । ତେବେ ଦଳ ଭିତରୁ ବିରୋଧ ତାଙ୍କ ପାଇଁ ଅଡୁଆ ହୋଇପାରେ । ଦଳର ପୁରୁଣା ନେତା ରାଜେନ୍ଦ୍ର ହୁଇକା ଓ ମହିଳା ନେତ୍ରୀ ନିରୁପମା ୱାଡେକା କଂଗ୍ରେସ ଟିକେଟ ପାଇଁ ଆଶାୟୀ ଅଛନ୍ତି । ଏପଟେ କୈଳାସଙ୍କୁ ଜିଲ୍ଲାର ଟାଣୁଆ ନେତା ତାରା ପ୍ରସାଦ ବାହିନୀପତି ସମର୍ଥନ କରିବା ପରି ଲାଗୁନି ।ତେଣୁ ଦଳର ଆଭ୍ୟନ୍ତରୀଣ ବିବାଦ ତାଙ୍କୁ ଅଡୁଆ କରିବାର ଆଶଙ୍କା ରହିଛି । ବିଜେପିରେ କିଛି ବିଜେଡି ନେତା ମିଶିବା ପରେ ଦଳର ଶକ୍ତିବୃଦ୍ଧି ହୋଇଛି । ସେଥିପାଇଁ ଏବେ ଟିକେଟ ଆଶାରେ ଅଧା ଡଜନ ନେତା ଅଛନ୍ତି । ବିଜେଡିରୁ ଆସିଥିବା କୁମୁଦ ସାଉଁତା, ବିପିନ ମାଣ୍ଡିଙ୍ଗା,ଉଦୟ ହିକକା,ଶିବ ମୁଦୁଲିଙ୍କ ନାମ ଅଧିକ ଚର୍ଚ୍ଚା ହୋଉଛି । କିନ୍ତୁ ଆଶାୟୀଙ୍କ ଭିତରେ ବିବାଦ ଦାଣ୍ଡରେ ପଡି ହାଟରେ ଗଡିଲାଣି । ସଂଗଠନ ସଜାଡିବା ପରିବର୍ତେ ନେତାମାନେ ପରସ୍ପର ବିରୋଧରେ ଲାଗି ପଡିଛନ୍ତି । ଏପଟେ ବିଏସପିରେ କୃଷ୍ଣଚନ୍ଦ୍ର ସଗରିଆ ମିଶିବା ପରେ ଦଳ ଅଧିକ ଶକ୍ତିଶାଳୀ ହୋଇଛି । ତେଣୁ ୨୦୧୯ ଲଢେଇ କାହା ପାଇଁ ସହଜ ହେବନି ।