ଆଠଗଡ ନିର୍ବାଚନ ମଣ୍ଡଳୀ
ଆଠଗଡ ନିର୍ବାଚନ ମଣ୍ଡଳୀ
admin
Mar 23, 2019 - 06:02
Updated: Mar 23, 2019 - 06:02
ଆଠଗଡ: ରାଜ୍ୟର ଅନ୍ୟତମ ପ୍ରମୁଖ ଆଠଗଡ ନିର୍ବାଚନ ମଣ୍ଡଳୀରେ ଏବେ ବିଭିନ୍ନ ରାଜନୈତିକ ଦଳର ପାର୍ଥୀତ୍ୱକୁ ନେଇ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାର ଲାଗିଛି । ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରଠାରୁ ଆଠଗଡରେ ରାଜନୈତିକ ଦଳଗୁଡିକ ମଧ୍ରରେ ପାର୍ଥୀତ୍ୱ ନେଇ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି ଉପଖଣ୍ଡର ୮୯ ଆଠଗଡ ଓ ୮୭ ବଡମ୍ବା ନିର୍ବାଚନ ମଣ୍ଡଳୀ ଦ୍ୱୟରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୩ ତାରିଖରେ ଭୋଟ ଗ୍ରହଣ ହେବ । ଏଥିପାଇଁ ଚଳିତ ମାସ ୨୮ ତାରିଖରୁ ନାମାଙ୍କରପତ୍ର ଦାଖଲ ପ୍ରକିୟା ଆରମ୍ଭ ହେବ । ଏପର୍ଯ୍ୟନ୍ତ କୌଣସି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ । ଏଥର ନିର୍ବାଚନରେ ମୁଖ୍ୟତଃ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ହେବ । ଶାସକ ବିଜେଡି ଓ ପୂର୍ବର ଜନତା ଦଳ ଆଠଗଡ ନିର୍ବାଚନ ମଣ୍ଡଳିରେ ଗତ ୧୯୯୦ ମସିହାରୁ ଲଗାତର ଭାବେ ଜିତି ଏହି ନିର୍ବାଚନ ମଣ୍ଡଳିକୁ ନିଜର ଅଭେଦ୍ୟ ଦୁର୍ଗା ଭାବେ ସୃଷ୍ଟି କରିପାରନ୍ତି । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଠାରୁ ୬ ଥର ନିର୍ବାଚିତ ହୋଇଥିବାବେଳେ ୨୦୦୯ରେ ତାଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଯିବା ପରେ ବିଜେଡିର ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ରମେଶ ରାଉତ ଏଠାରୁ ବିଜୟୀ ହୋଇଥିଲେ । ପରବର୍ତୀ ସମୟରେ ତାଙ୍କ ନିର୍ବାଚନକୁ ସର୍ବୋଚ୍ଚ ଅଦାଳଦ ଅସିଦ୍ଧ ଘୋଷଣା କରିବା ପରେ ୨୦୧୨ ଏଠାରେ ଅନୁଷ୍ଠିତ ଉପନିର୍ବାଚନରେ ରଣେନ୍ଦ୍ର ପୁଣି ନିର୍ବାଚିତ ହୋଇଥିଲେ । ସ୍ଥାନୀୟ ଅଂଚଳର ଯୁବନେତା ଅଭୟ କୁମାର ବାରିକ ରଣେନ୍ଦ୍ରଙ୍କ ବିରୋଧରେ ଯାଇ ନିଜର ଏକ ଦୃଢ ସଂଗଠନ କରିବାରେ ସକ୍ଷମ ହେବାସହ ଦଳୀୟ ଟିକେଟ ହାତେଇବା ପାଇଁ ଉଦ୍ୟମ ଚଳାଇ ଥିବା ଜଣାପଡିଛି । ୧୯୮୦ ରୁ ୯୦ ଆଠଗଡର ବିଧାୟକ ଭାବେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସମୟରୁ ଏବଂ ତା ପୂର୍ବରୁ ମଧ୍ୟ ଆଠଗଡ କଂଗ୍ରେସର ଏକ ଅଭେଦ୍ୟ ଦୁର୍ଗ ଭାବେ ପରିଣତ ହୋଇଥିଲା । କିନ୍ତୁ ୧୯୯୦ ମସିହାରେ ନିର୍ବାଚନରେ ଦଳ ଏଠାରେ ପ୍ରାର୍ଥୀ ନଦେଇ ଯେଉଁ ଐତିହାସିକ ଭୁଲ କରିଥିଲା ତାର କୁ ପରିମାଣ ଆଜି ପର୍ଯ୍ୟନ୍ତ କଗ୍ରେସ ଦଳ ଭୋଗୁଛି । ସେବେଠାରୁ କଂଗ୍ରେସ ଦୃଢ ନେତୃତ୍ୱ ଦଳର ମଙ୍ଗ ଧରି ନଥିବାରୁ ଦଳର ସଂଗଠନ ଏଠାରେ ଲଗାତର ଦୁର୍ବଳ ହେବାରେ ଲାଗିଛି । ଏବେ ପୁରୀର ପୂର୍ବତନ ବିଧାୟକ ଓ ପିସିସି ସାଧାରଣ ସଂପାଦକ ଉମାବଲ୍ଲଭ ରଥ ଆଠଗଡ କଂଗ୍ରେସର ସାଂଗଠନିକ ଦାୟିତ୍ୱ ଗତ ୬ ମାସ ପୂର୍ବରୁ ନେବାପରେ ଦଳର ସଂଗଠନ ସୁଦୃଢ ହୋଇଥିବା କୁହାଯାଇଛି । ଆଗାମୀ ନିର୍ବାଚନରେ ଉମା ରଥ ଏଠାରୁ ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ ହୋଇଯାଇଥିବା ବେଳେ ତାଙ୍କର ପ୍ରାର୍ଥୀତ୍ୱକୁ ଅନ୍ୟତମ ଯୁବ ନେତା ଅକ୍ଷମ କୁମାର ତୁଙ୍ଗସାମନ୍ତ ବିରୋଧ କରିବା ସହ ନିଜେ ଦଳୀୟ ଟିକେଟ ପାଇଁ ଆଶା ବାନ୍ଧିଛନ୍ତି । କିନ୍ତୁ ଦଳର ରାଜ୍ୟସ୍ତରୀୟ ସର୍ବେଚ୍ଚ ନେତୃବୃନ୍ଦ ଉମାଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ଖୋଲାଖୋଲି ସମର୍ଥନ ଜଣାଇସାରିଥିବାରୁ ତାଙ୍କୁ ଦଳୀୟ ଟିକେଟ ମିଳିବା ସମ୍ଭାବନା ଅଧିକ ଥିବା ଜଣାପଡିଛି ।
ଗତ ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଏବଂ ଏନଡିଏ ସରକାରଙ୍କର ସଫଳତାକୁ ପାଥେୟ କରି ରାଜ୍ୟରେ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଏହି ପରିପ୍ରେକ୍ଷୀରେ ସମ୍ମାନଜନକ ଆଠଗଡ ଆସନକୁ ମଧ୍ୟ ଦଳ ହାତେଇବା ପାଇଁ ଦୀର୍ଘ ୫ ବର୍ଷ ଧରି ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବାର ଲାଗିଛି । କିନ୍ତୁ ଏଠାରେ ଦଳୀୟ ଟିକେଟ ପାଇଁ ଆଶାୟୀଙ୍କ ସଂଖ୍ୟା ଯେପରି ବୃଦ୍ଧି ପାଇ ଚାଲିଛି ଆଗମୀ ଦିନରେ ଏହା ବିଜେପି ପାଇଁ ସମସ୍ୟା ସୃଷ୍ଟି କରିପାରେ । ପୂର୍ବରୁ ଏଠାରେ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଦୀର୍ଘ ବର୍ଷଧରି ଉଦ୍ୟମ କରିଆସିଥିବା ପୂର୍ବତନ ବିଧାୟକ ପ୍ରାର୍ଥୀ ରାମନାରାୟଣ ମହାନ୍ତି ଦଳୀୟ ଟିକେଟ ଦୌଡରେ ସର୍ବାଗ୍ରେ ଥିବାବେଳେ ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ୱସୁନ୍ଦର ମିଶ୍ର ଓ ବିକ୍ରମକେଶରୀ ଦାଶାୟୀଙ୍କ ମଧ୍ୟରେ ରହିଛି । ଏବେ ଆଠଗଡରେ ବିଭିନ୍ନ ରାଜନୈତିକ ଦଳର ଆଶାୟୀଙ୍କ ମଧ୍ୟରେ ଦଳୀୟ ଟିକେଟ ଲାଗି ଛକା ପଞ୍ଝା ଲାଗି ରହିଥିବାବେଳେ କେଉଁ ଦଳରୁ କାହାକୁ ପ୍ରାର୍ଥୀ କରାଯିବ ତାଙ୍କୁନେଇ ସାମାଜିକ ଗଣମାଧ୍ୟମ ଏବଂ ବଜାର ଘାଟରେ ଚର୍ଚ୍ଚା ଯୋର ଧରିଛି । ମାର୍ଚ୍ଚ ୨୮ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ନାମାଙ୍କର ପତ୍ର ଦାଖଲ , ଏପ୍ରିଲ ୬ରେ ଯାଂଚ ଏବଂ ୮ ତାରିଖରେ ପ୍ରାର୍ଥୀପତ୍ର ପତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଆଗାମୀ ୫-୬ ଦିନ ମଧ୍ୟରେ ସବୁ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀତ୍ୱ ସଂପର୍କରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।