ରୋଚକ ମୋଡରେ ଧର୍ମଶାଳା ରାଜନୀତି
ରୋଚକ ମୋଡରେ ଧର୍ମଶାଳା ରାଜନୀତି
admin
Mar 23, 2019 - 05:58
Updated: Mar 23, 2019 - 05:58
ଯାଜପୁର: ଯାଜପୁର ଜିଲ୍ଲାର ୭ଟି ବିଧାନସଭା ଆସନ ମଧ୍ୟରୁ ଧର୍ମଶାଳା ନିର୍ବାଚନମଣ୍ଡଳୀ ବର୍ଷତମାମ ଚର୍ଚ୍ଚାରେ ରହିଆସୁଛି । ବର୍ଷ ତମାମ ସାହିତ୍ୟ ଚର୍ଚ୍ଚା, ରାଜନୈତିକ କାର୍ଯ୍ୟକ୍ରମ ଚାଲଛି । ଲଘୁଖଣିଜ ସଂପଦ କାରବାରକୁ ନେଇ ମଧ୍ୟ ଧର୍ମଶାଳା ଗଣମାଧ୍ୟମ ଫୋକସରେ ରହିଆସିଛି । ଏଠାରେ ହେଉଥିବା ଶାସକ ଦଳର ଦଳୀୟ କାର୍ଯ୍ୟକ୍ରମକୁ ଦେଖି ରାଜ୍ୟର ଅନ୍ୟାନ୍ୟ ନେତାମାନେ ନିଜ ନିଜ ଅଂଚଳରେ ଧର୍ମଶାଳା ପଦାଙ୍କ ଅନୁସରଣ କରିଛନ୍ତି ।
ବିଧାୟକ ପ୍ରଣବ ବଳବନ୍ତ ରାୟ (ଜିତୁ)ଙ୍କୁ ଆଶୀର୍ବାଦ କରିବାକୁ ଗତ ମାସରେ ମୁଖ୍ୟମନ୍ତ୍ରୀ ଧର୍ମଶାଳା ଗସ୍ତ ବେଳେ କହିଥିଲେ । ଜିତୁଙ୍କ ନାମ ସର୍ବ ପ୍ରଥମେ ମୁଖ୍ୟମନ୍ତ୍ରୀ ଘୋଷଣା କରିବାରୁ ଜୋରଦାର ଚର୍ଚ୍ଚା ହୋଇଥିଲା । ଏବେ ରାଜ୍ୟ ଓ ଜିଲ୍ଲାରେ ଯେପରି ଭାବେ ବିଜେଡି ମଧ୍ୟରେ ଘଡିକେ ଘୋଡା ଛୁଟୁଛି, ସେ ଦୃଷ୍ଟିରୁ ଧର୍ମଶାଳାରୁ ବିଜେଡି ପ୍ରାର୍ଥୀ ନେଇ ମଧ୍ୟ ବିଭିନ୍ନ ରୋଚକ କଥା ଶୁଣାଯାଉଛି ।
୨୦୧୪ ନିର୍ବାଚନରେ ପ୍ରଥମଥର ପ୍ରାର୍ଥୀ ହୋଇ ମଧ୍ୟ ଜିତୁ ୬୮.୬ ଭାଗ ଅର୍ଥାତ୍ ରାଜ୍ୟର ଦ୍ୱିତୀୟ ସର୍ବାଧିକ ଭୋଟ୍ ବ୍ୟବଧାନ ୮୫,୭୮୬ ଖଣ୍ଡରେ ବିଜୟୀ ହୋଇଥିଲେ । ଜିତୁଙ୍କର ବିରୋଧୀ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର କୌଣସି କଥାକୁ ବୁଝି ପାଇପାରୁ ନଥିଲେ । ସାଂପ୍ରତିକ ସମୟରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହେଉଛି । ଦୈନିକ ଚାଲିଛି ପଟ ପରିବର୍ତନ । ଏହା ସାଙ୍ଗକୁ ନିର୍ବାଚନ କମିଶନଙ୍କର କଡାକଡି ଆଚରଣବିଧି ଲାଗୁ ଘଟଣା ବିବାଦରେ ଫସିଥିବା ରାଜନେତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ଜମି ସ୍କାନ ହେଉ କି ଚିଟ୍ ଫଣ୍ଡ ଅବା ଖଣି ମହାଦୁର୍ନୀତି ଭଳି ଚର୍ଚ୍ଚିତ ପ୍ରସଙ୍ଗ ଓ ଧର୍ମଶାଳାରୁ ଶହ ଶହ କୋଟି ଟଙ୍କାର ଲଘୁଖଣିଜ ସଂପଦ ଲୁଟ୍ କାରବାରରେ ଯୁବ ନେତା ଜିତୁଙ୍କ ପିତା ସ୍ୱର୍ଗତ କଳ୍ପତରୁ ଦାସ ଧର୍ମଶାଳାକୁ ବିଜେଡିର ଗଡରେ ପରିଣତ କରିଛନ୍ତି । ମାତ୍ର ଜିତୁଙ୍କ ଶିବିରରେ ତାଙ୍କ ପିତାଙ୍କ ସହଯୋଗୀ ତଥା କେତେକ ବରିଷ୍ଠ ଦଳୀୟ ସଂଗଠକ ଅଣଦେଖା ହେବା ସହିତ ଯୁବକମାନେ ଆଗଧାଡିରେ ନେତୃତ୍ୱ ନେଲେ । ଯାହାକୁ ବରିଷ୍ଠମାନେ ସହ୍ୟ କରିପାରଲେ ନାହିଁ । ଫଳରେ ଜିତୁଙ୍କ ଯୁବ ବାହିନୀର ନିୟନ୍ତ୍ରଣ ରେ ଧର୍ମଶାଳା ବିଜେଡି ରାଜନୀତି ନିୟନ୍ତ୍ରଣରେ ଧର୍ମଶାଳା ବିଜେଡି ରାଜନୀତି ନିୟନ୍ତ୍ରିତ ହେଉଛି । ଯାହାକୁ ନେଇ ବିବାଦ ଦେଖା ଦେଇଛି ।
ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ତଥା ବିଜୁବାବୁଙ୍କର ସମସାମୟିକ ରବି ଲାବଣ୍ୟ ଦଳୀୟ ଟିକେଟ ଦୌଡରେ ବେଶ ଶାଣିତ ଗୋଟି ଚଳାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତି , ସତୀଶ ବିଶ୍ୱାଳ ଚର୍ଚ୍ଚାରେ ରହିଛି । ସେହିପରି ବିଜେପିରେ ୨୦୧୪ରେ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ପରିଡା (ତୁଷାର) ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସୀମିତ ରଖିଛନ୍ତି । ସେ ମଧ୍ୟ ଆଶାୟୀ ଥିବା ବେଳେ ବିଜେପି ରାଜ୍ୟ ନେତା ପବିତ୍ର ମୋହନ ଦାସ, ଅପର୍ଣ୍ଣା ଧୀର ସିଂହ, ସୁରେନ୍ଦ୍ର ପଣ୍ଡା, କାହ୍ନୁଚରଣ ଦାଶ, ସୁଶାନ୍ତ ପଟ୍ଟନାୟକ, ସବିତା ମିଶ୍ର ପ୍ରମୁଖ ଟିକେଟ୍ ହାସଲ ପାଇଁ ଲବିରେ ଅଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଦଳରୁ ମଧ୍ୟ ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା, କିଷାନ ପଣ୍ଡା, ରାଜ୍ୟ ମହିଳା କଂଗ୍ରେସ ସଂପାଦକ ସ୍ମୃତିରେଖା ପହି ରାଜ୍ୟ ଯୁବ କଂଗ୍ରେସ ମୁଖ୍ୟପାତ୍ର ମାନସରଞ୍ଜନ କର, ଜିଲ୍ଲା ଓବିସି ସେଲ୍ ଅଧ୍ୟକ୍ଷ ସଞ୍ଜୟ କୁମାର ରାୟ, ଜିଲ୍ଲା କଂଗ୍ରେସ କୋଷଧ୍ୟେକ୍ଷ ଶ୍ରୀକାନ୍ତ ସାହୁ, ପିସିସି ସଭାପତି ଅଧୀର କୁମାର ଜେନା , ପୂର୍ବତନ ପସିସି ସାଧାରଣ ସଂପାଦକ ଶ୍ରୀନାଥ ମିଶ୍ର ପ୍ରମୁଖ ଟିକେଟ୍ ଲବିରେ ଅଛନ୍ତି । ମାତ୍ର ସବୁ ଦଳ ବିଜୟର ସମ୍ଭାବନା ଥିବା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ୱ ଦେଉଥିବାରୁ କିଏ ପ୍ରାର୍ଥୀ ହେଉଛନ୍ତି, ତା ଉପରେ ସମସ୍ତଙ୍କର ନଜର ରହିଛି ।