ମୁଖ୍ୟମନ୍ତ୍ରୀଙ୍କ ସଭାକୁ ବିନା ହେଲମେଟରେ ବାଇକ ରାଲି କରି ଆସିଲେ ସମର୍ଥକ
ମୁଖ୍ୟମନ୍ତ୍ରୀଙ୍କ ସଭାକୁ ବିନା ହେଲମେଟରେ ବାଇକ ରାଲି କରି ଆସିଲେ ସମର୍ଥକ
admin
Jan 8, 2020 - 15:36
Updated: Jan 8, 2020 - 15:36
ବାରିପଦା(ଦିଲ୍ଲୀପ ମହାନ୍ତି) - ମୁଖ୍ୟମନ୍ତ୍ରୀ ନବୀନ ଜାନୁଆରୀ ୮ ବୁଧବାର ଦିନିକିଆ ବାରିପଦା ଗସ୍ତରେ ଆସି ବାରିପଦା ବ୍ଲକ ଅଧୀନରେ ଥିବା ବାଙ୍କିଶୋଳଠାରେ ପହଁଞ୍ଚିବା ପରେ ସେଠାରେ ଆଦାନୀ ଫାଉଣ୍ଡେସନର ଆର୍ଥକ ସହାୟତା ଏବଂ କିସର ସହଭାଗିତାରେ କିସ ଜମି ଉପରେ ନବ ନିର୍ମିତ ଆଦାନୀ-କିସ୍ ଆବାସିକ ଜନଜାତି ବିଦ୍ୟାଳୟ ସହ ୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟକୁ ଶୁଭ ଉଦଘାଟନ କରିଥିଲେ । ଏହି ସମୟରେ କଳିଙ୍ଗ ଇନଷ୍ଟିଚୁ୍ୟଟ ଅଫ୍ ସୋସିଆଲ ସାଇନସେସ୍(କିସ୍)ର ପ୍ରତିଷ୍ଠାତା ଡ଼ଃ ଅଚୁ୍ୟତ ସାମନ୍ତ, ଆଦାନୀ ଗ୍ରୁପ ଫାଉଣ୍ଡେସନ ଚେୟାରପର୍ସନ ଡ଼ଃ ପ୍ରୀତି. ଜି. ଆଦାନୀ, ଆଦାନୀ ପୋର୍ଟସ ଏବଂ ଏସଇଜେଡ଼ ଲିମିଟେଡ଼ ମୁଖ୍ୟ ପରିଚାଳନା ଅଧିକାରୀ ତଥା ଆଦାନୀ ଏୟାରପୋର୍ଟସ ହୋଲଡ଼ିଂ ଲିମିଟେଡ଼ ନିଦେ୍ର୍ଧଶକ କରଣ ଗୌତମ ଆଦାନୀ ପ୍ରମୁଖଙ୍କ ସମେତ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାଜ୍ୟ ସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଲୋକସଭା ସାଂସଦ ଇଂ ବିଶ୍ୱେଶର ଟୁଡ଼ୁ, ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥି ସହିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ମୟୂରଭଞ୍ଜବାସୀଙ୍କୁ ୫୩ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମିତ ବହଳଦା, ରରୁଆଁ, ବିଶୋଇ, କୁସୁମୀ, ରାଇରଙ୍ଗପୁର, ବାରିପଦା, ଶାମାଖୁଣ୍ଟା ଓ ଶୁଳିଆପଦାରେ ୧୮ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ସହ ଠାକୁରମୁଣ୍ଡା, କୁସୁମୀ, ଶୁକ୍ରୁଳି, ସାରସକଣା ଓ ଶୁଳିଆପଦା ବ୍ଲକରେ ୫ଟି ହାଇ ଲେଭଲ ସେତୁ, ବାରିପଦା ସରକାରୀ ମହାବିଦ୍ୟାଳୟ ପରିସରରେ ନିର୍ମିତ ସାଇନ୍ସ ବ୍ଲକ, ମୋରଡ଼ା ବ୍ଲକରେ ନିର୍ମିତ ଭାଲିଆଶୋଳ ଆଦର୍ଶ ବିଦ୍ୟାଳୟ, କୁସୁମୀ ବ୍ଲକର ସାନଞ୍ଜୟଧାନପୋଷି ଓ ବିଜାତୋଳା ବ୍ଲକର ଲୁହାଶିଳାଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଆଦି ପ୍ରକଳ୍ପଗୁଡ଼ିକର ଶୁଭ ଉଦଘାଟନ କରିଥିଲେ । ସେହିପରି ୨ ଶହ କୋଟି ୩୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ବାରିପଦା ପୌରବାସୀଙ୍କ ନିମନ୍ତେ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ସହ ରରୁଆଁ ବ୍ଲକର ଫଗୁ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ କାର୍ଯ୍ୟ, ବାରିପଦା ପୌରପରିଷଦର ତଖତପୁରଠାରେ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ନାତକୋତ୍ତର କମ୍ପୋଜିଟ୍ ବ୍ଲକ, ସାରସକଣା ଓ ଗୋପବନ୍ଧୁନଗର ବ୍ଲକରେ ୨ଟି ମେଗା ଜଳଯୋଗାଣ ପ୍ରକଳ୍ପ ସହ ରାଇରଙ୍ଗପୁର, ବାଙ୍ଗିରିପୋଷି ଓ ଖୁଣ୍ଟା ବ୍ଲକରେ ୩ଟି ଜଳ ଯୋଗାଣ ପ୍ରକଳ୍ପ, ବଡ଼ସାହି, ଗୋପବନ୍ଧୁନଗର ଓ ଖୁଣ୍ଟା ବ୍ଲକରେ ୪ଟି ହାଇ ଲେଭଲ ସେତୁ ନିର୍ମାଣ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ଆୟୋଜିତ ସାଧାରଣ ସଭାରେ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେବା ଅବସରରେ ଦୀର୍ଘ ବର୍ଷ ଧରି ସେବାୟତ, ଜିଲ୍ଲା ପ୍ରଶାସନ ଓ ସରକାର ମଧ୍ୟରେ ଚାଲି ଆସୁଥିବା ହାଇ ଭୋଲଟେଜ ଡ୍ରାମାର ପୂର୍ଣ୍ଣଚ୍ଛେଦ ଟାଣିବା ନିମନ୍ତେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ମନ୍ଦିରକୁ ୫ କୋଟି ଟଙ୍କାର ଅନୁଦାନ ରାଶି ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ଯାହା ସେବାୟତମାନଙ୍କ ୧୧ ଦଫା ଦାବି ପ୍ରତି ଏକ ପରିହାସ ସଦୃଶ୍ୟ । ସେବାୟତମାନଙ୍କ ଦାବି ଅନୁସାରେ ମୟୂରଭଞ୍ଜ ମିଶ୍ରଣ ସମୟରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ମଠ ମନ୍ଦିର ନିମନ୍ତେ ଛାଡ଼ି ଦେଇଯାଇଥିବା ୪୪ ହଜାର ଏକରୁ ଅଧିକ ସମ୍ପତ୍ତିର ପୁର୍ନଉଦ୍ଧାର ସହ ଉପଯୁକ୍ତ ରକ୍ଷଣାବେକ୍ଷଣ, ପୂର୍ଣ୍ଣ କ୍ଷମତାପ୍ରାପ୍ତ ସ୍ଥାୟୀ ଦେବୋତ୍ତର ନିର୍ବାହୀ ଅଧିକାରୀ ନିଯୁକ୍ତି, ସେବାୟତମାନଙ୍କ ପାଉଣା ବୃଦ୍ଧି ଆଦି ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ଦାବି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ସେ ସବୁ ଦିଗ ପ୍ରତି କର୍ଣ୍ଣପାତ କରିନଥିଲେ । ପୁଣି, ୨୦୦୮ ବାରିପଦା ପୌରପରିଷଦ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ବାରିପଦା ଗସ୍ତରେ ଆସି ଜମ୍ଭୀରା ନଦୀରୁ ବାରିପଦା ସହରରକୁ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରିବେ ବୋଲି ଘୋଷଣା କରିଥିଲେ । ମାତ୍ର ଏହା ମଧ୍ୟରେ ୧୧ ବର୍ଷରୁ ଅଧିକ ସମୟ ଅତୀତ ହୋଇ ସାରିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ସେହିପରି ୨୦୧୩ ଡ଼ିସେମ୍ବର ୧୧ ବାରିପଦା ଛଉପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ବାରିପଦା ଆର୍ବାନ ବ୍ୟାଙ୍କକୁ ପୁନଃକାର୍ଯ୍ୟକ୍ଷମ କରାଇବା ସହ ଆୟୁର୍ବେଦିକ ଓ ମୋମିଓପ୍ୟାଥିକ ମହାବିଦ୍ୟାଳୟରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରାଇବେ ବୋଲି ପ୍ରକାଶ କରିଥିଲେ । ଏହାପରେ ୨୦୧୯ ଜାନୁଆରୀ ୩୦ ସେହି ବାରିପଦା ଛଉପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବାରିପଦା ଆର୍ବାନ ବ୍ୟାଙ୍କ ପୁନଃ କାର୍ଯ୍ୟକ୍ଷମ କରାଇବା ଓ ଆୟୁର୍ବେଦିକ ମହାବିଦ୍ୟାଳୟକୁ ରାଜ୍ୟ ସରକାର ହାତକୁ ନେବେ ବୋଲି ଘୋଷଣା କରିଥିଲେ ଅଦ୍ୟାବଧି ସେ ଦିଗରେ କୌଣସି ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଥିବା ଭଳି ଜନସାଧାରଣ ହୃଦୟଙ୍ଗମ କରିପାରି ନାହାନ୍ତି । ରାଜ୍ୟରେ ବିଜେଡ଼ି ବିଜେପି ମିଳିତ ସରକାର ସମୟରେ ରାଜ୍ୟରେ ଏକ ନମ୍ବର ଥିବା ବାରିପଦା ଆର୍ବାନ ବ୍ୟାଙ୍କ ଖୋଳ ହେବା ଆରମ୍ଭ କରି ଶେଷରେ ତାହା ବନ୍ଦ ହୋଇଗଲା । ବ୍ୟାଙ୍କର ୨୫୭୩୧ ଜଣ ସେୟାର ହୋଲଡ଼ର ଓ ୭୨୩୨୪ ଜଣ ଡ଼ିପୋଜିଟରମାନଙ୍କ ୨୦୧୪ ଅକ୍ଟୋବର ସୁଦ୍ଧା ସୁଧ ଓ ମୂଳ ମିଶି ୭୧.୫୬ କୋଟି ଏକ ଅନିଶ୍ଚିତତା ମଧ୍ୟ ଦେଇ ଗତି କରିଆସୁଛି । କେତେକ ଜମାକାରୀ ରୋଗଗ୍ରସ୍ତ ହୋଇ ଚିକିତ୍ସା ନିମନ୍ତେ ଜମା ଉଠାଇ ନ ପାରି ଆରପାରିକୁ ଟିକଟ କାଟି ସାରିଥିବା ବେଳେ ଅନ୍ୟ କେତେକ ସେମାନଙ୍କ ଝିଅ ବାହାଘର କରାଇ ପାରୁ ନାହାନ୍ତି । ଜମାକାରୀମାନେ ଏହି ଭଳି ଘଡ଼ିସନ୍ଧି ପରିସ୍ଥିତି ମଧ୍ୟ ଦେଇ ଗତିକରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ଆଜିର ଗସ୍ତ ସମୟରେ ଆର୍ବାନ ବ୍ୟାଙ୍କ ଉପରେ କିଛି ଘୋଷଣା କରିବେ ବୋଲି ଜମାକାରୀମାନେ ଆଶାବାନ୍ଧି ବସିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ଆର୍ବାନ ବ୍ୟାଙ୍କର ନାମ ଧରିନଥିବାରୁ ତାହା ଜମାକାରୀମାନଙ୍କୁ ବ୍ୟଥିତ କରିପକାଇଛି ।
ମୋଟର ଯାନ ସଂଶୋଧିତ ଆଇନକୁ ଢ଼ାଲ କରି ପୁଲିସ ହେଲମେଟ ନଥିଲେ ଚାଲାଣ କାଟୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ବାଇକରେ ଆସୁଥିବା ବିଜେଡ଼ିର ଦଳୀୟ କର୍ମୀମାନେ ହେଲମେଟ ବ୍ୟବହାର କରିନଥିଲେ ମଧ୍ୟ ପୁଲିସ ନୀରବ ଦ୍ରଷ୍ଟା ସାଜିଥିବା ବିଷୟକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି । ଏଥି ସହିତ ଆଜି ଭାରତ ବନ୍ଦ ଡ଼ାକରା ଦିଆ ଯାଇଥିବାର ଜାଣି କିସ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ କରଞ୍ଜିଆ, ଠାକୁରମୁଣ୍ଡା, ମହୁଲଡ଼ିହା ଆଦି ଅଞ୍ଚଳରୁ ଅନୁଷ୍ଠାରେ ଅଯଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସାଥୀରେ ଧରି ଆସିବା ନିମନ୍ତେ ସେମାନଙ୍କ ଅଭିଭାବକମାନଙ୍କୁ ପତ୍ର ଲେଖିଥିଲେ ଏବଂ ଅଭିଭାବକମାନେ ମଧ୍ୟ ନିଜ ଖର୍ଚ୍ଚରେ ତାହା ପାଳନ କରିଥିଲେ । ମାତ୍ର କାର୍ଯ୍ୟକ୍ରମ ଶେଷ ହେବା ପରେ ସେମାନେ କିପରି ନିଜ ନିଜ ଘରକୁ ଫେରିବେ ତାହା ବୁଝିବା ନିମନ୍ତେ କେହି ନଥିଲେ । ଫଳରେ ଭୋକ ଉପବାସ ଓ ଶୀତ ରାତିରେ କୁନି କୁନି ପିଲାମାନଙ୍କୁ ଧରି ଅଭିଭାବକମାନେ ବାରିପଦା ଘରୋଇ ବସଷ୍ଟାଣ୍ଡରେ ଚକ୍କର କାଟୁଥିବାର ଦେଖି ମୋଟର ଟ୍ରାନ୍ସପୋର୍ଟ ୱାର୍କସ ୟୁନିଅନର ସଦସ୍ୟମାନେ ଏକ ହୋଟେଲ ମାଲିକକୁ ଡ଼କାଇ ହୋଟେଲ ଖୋଲା କରାଇଥିଲେ ।
ମୟୂରଭଞ୍ଜରେ ବିକାଶ ନାମରେ ଚାଲିଛି ହରିଲୁଟ । ବିଭିନ୍ନ ସମୟରେ ସରକାରୀ କର୍ମଚାରୀମାନେ ଖୋଲମଖୋଲା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡୁଥିବା ବେଳେ କେତେକ କର୍ମଚାରୀ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଉଛନ୍ତି । ଏପରିକି ଏକ ସରକାରୀ କାର୍ଯ୍ୟାଳୟର କୋଟିପତି ମାଳି ଭିଜିଲାନ୍ସ ହାତରେ ଧରାପଡ଼ି ନୂତନ ରେକଡର଼୍ କରିଛି । ଯେଉଁ ଜିଲ୍ଲାରେ ମାଳିର କୋଟି କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିପାରୁଛି, ସେହି ଜିଲ୍ଲାରେ ଅଧିକାରୀ ଓ ପଦାଧିକାରୀଙ୍କର କେତେ ବୋଲି ଜନସାଧାରଣରେ ଆଲୋଚନା ହେଉଛି । ସ୍ୱାସ୍ଥ୍ୟସେବା କଥା ନକହିବା ଭଲ । ଚିକିତ୍ସା ଅବହେଳାରେ ରୋଗୀର ମୃତୁ୍ୟ ଭଳି ସଙ୍ଗୀନ ଅଭିଯୋଗ ହେଉଥିଲେ ମଧ୍ୟ ନବୀନ ସରକାର ଏଦିଗରେ ନୀରବ ଦ୍ରଷ୍ଟା ସାଜିଛି । ପୁଣି ଡ଼ାହାଣି ଓ ଗୁଣିଗାରେଡ଼ି ଭଳି କୁସଂସ୍କାର କାରଣରୁ ପ୍ରତ୍ୟେକ ବର୍ଷ ଏକାଧିକ ମହିଳା ଓ ପୁରୁଷଙ୍କ ମୁଣ୍ଡ ଗଡ଼ିବାରେ ଲାଗିଛି ।